ନିଷ୍ପତ୍ତିର ୩ ବର୍ଷ ପରେବି ଖୋଲା ହେଲାନି ସ୍ବତନ୍ତ୍ର ସେଲ୍
ଅଚଳ ପଡ଼ିଛି ହେଲ୍ପ ଲାଇନ ନମ୍ବର, ସାମାଜିକ ସୁରକ୍ଷା ବିଭାଗର ବି ପାଣ୍ଠି ନାହିଁ
ଭୁବନେଶ୍ବର : ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରଶଂସିତ ହେଉଛନ୍ତି ଓଡ଼ିଶା ସରକାର। ହେଲେ ବାସ୍ତବତା ହେଲା ବନ୍ୟା, ବାତ୍ୟା, ମରୁଡ଼ି ଠାରୁ ଆରମ୍ଭ କରି ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭିନ୍ନକ୍ଷମଙ୍କୁ ସହାୟତା କିମ୍ବା ଉଦ୍ଧାର ପାଇଁ ଏଯାଏ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇ ପାରିନାହିଁ। ଫନି ବାତ୍ୟା ବେଳେ ଭିନ୍ନକ୍ଷମମାନଙ୍କ ଅବସ୍ଥା ଅତି ଜଟିଳ ହୋଇ ପଡ଼ିଥିଲା। ଏହାକୁ ଉପଲବ୍ଧି କରି ସାମାଜିକ କର୍ମକର୍ତ୍ତାଙ୍କ ଦାବି ପରେ ୨୦୧୯ ମସିହାରେ ସେମାନଙ୍କୁ ସହାୟତା ଏବଂ ଉଦ୍ଧାର ପାଇଁ ସ୍ବତନ୍ତ୍ର ସେଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏସଆରସି ପ୍ରଦୀପ ଜେନା ହିଁ ଏହି ନିଷ୍ପତ୍ତି ନେଇଥିଲେ। ହେଲେ ୩ ବର୍ଷ ପରେବି ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ। ଏପରିକି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କ୍ଷତିଗ୍ରସ୍ତ ଭିନ୍ନକ୍ଷମଙ୍କ ସହାୟତା ପାଇଁ ଖୋଦ୍ ସାମାଜିକ ସୁରକ୍ଷା ବିଭାଗ ମଧ୍ୟ କୌଣସି ସ୍ବତନ୍ତ୍ର ପାଣ୍ଠି ନଥିବା ଜଣାପଡ଼ିଛି।
୨୦୧୧ ଜନଗଣନା ଅନୁସାରେ, ରାଜ୍ୟରେ ଭିନ୍ନକ୍ଷମଙ୍କ ସଂଖ୍ୟା ୧୨ ଲକ୍ଷ ୪୪ ହଜାର ୯୦୨। ବର୍ତ୍ତମାନ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇଥିବ। ଅନ୍ୟଦିଗରେ ରାଜ୍ୟରେ ୫୧ ବର୍ଷ ମଧ୍ୟରେ ୪୩ ଥର ରାଜ୍ୟ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଉପଯୁକ୍ତ ମୁକାବିଲା ହିଁ ନବୀନ ପଟ୍ଟନାୟକ ସରକାରଙ୍କ ସବୁଠାରୁ ବଡ଼ ସଫଳତା ବୋଲି କୁହାଯାଏ। ମାତ୍ର ସାମାଜିକ କାର୍ଯ୍ୟକର୍ତ୍ତା ଜିତେନ୍ଦ୍ର ବିଶ୍ବାଳଙ୍କ ଅଭିଯୋଗ ଅନୁସାରେ, ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ସମସ୍ତେ ଅଛନ୍ତି କିନ୍ତୁ ଭିନ୍ନକ୍ଷମମାନେ ନାହାନ୍ତି। ସେଥିପାଇଁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଭିନ୍ନକ୍ଷମଙ୍କ ଉଦ୍ଧାର ନୀତି ପ୍ରସ୍ତୁତ ହୋଇ ପାରି ନାହିଁ। ୨୦୧୯ ମସିହାରେ ଏସଂକ୍ରାନ୍ତରେ ପ୍ରଥମେ ପୂର୍ବତନ ଏସଆରସି ବିଷ୍ଣୁ ପ୍ରସାଦ ସେଠୀ ଏବଂ ପରେ ବର୍ତ୍ତମାନର ଏସଆରସି ପ୍ରଦୀପ ଜେନାଙ୍କ ସହିତ ଆଲୋଚନା ହୋଇଥିଲା। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା (ଓସଡମା) ପକ୍ଷରୁ ସ୍ବତନ୍ତ୍ର ସେଲ ଖୋଲିବାର ନିଷ୍ପତ୍ତି ହେଲା। ଜଣେ ଭିନ୍ନକ୍ଷମ ନୋଡ଼ାଲ ଅଧିକାରୀଙ୍କ ଦ୍ବାରା ଏହା ପରିଚାଳିତ ହେବ। ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ହୋଇ ପାରିଲା ନାହିଁ। ଏହାକୁ ନେଇ ଭିନ୍ନକ୍ଷମ ସାମାଜିକ ସଙ୍ଗଠନ ପକ୍ଷରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଲାଭ ହୋଇ ନାହିଁ।
ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଥିବା ଅନେକ ଭିନ୍ନକ୍ଷମଙ୍କ କହିବା ଅନୁସାରେ, ରାତିରେ ବନ୍ୟା କିମ୍ବା ବର୍ଷା ହେଲା, ଭିନ୍ନକ୍ଷମଙ୍କୁ ତୁରନ୍ତ ସହାୟତା କେନ୍ଦ୍ରକୁ ଯିବା ସହଜ ହୁଏ ନାହିଁ। ଅଧିକାଂଶ ସହାୟତା କେନ୍ଦ୍ରକୁ ଯିବା ପାଇଁ କେବଳ ସିଡ଼ି ହିଁ ଉପଯୁକ୍ତ ମାଧ୍ୟମ। ଶୌଚାଳୟଗୁଡ଼ିକ ମଧ୍ୟ ଏଭଳି ନଥାଏ ଯେ ହ୍ବିଲ୍ଚେୟାରରେ ଥାଇ ଜଣେ ସେଠାକୁ ପ୍ରବେଶ କରିପାରିବ। ବନ୍ୟା, ବାତ୍ୟା ବେଳେ ହ୍ବିଲ୍ ଚେୟାର ଭାଙ୍ଗିଯିବା, କାନର ଯନ୍ତ୍ରାଂଶ, କୁତ୍ରିମ ହାତ, ଗୋଡ଼ ହଜି ଗଲେ ତାକୁ ତୁରନ୍ତ ଉପଲବ୍ଧ କରାଯାଏ ନାହିଁ। ଏପରିକି ଜିଲ୍ଲା ସ୍ତରରେ ଏହା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିଲେ ମଧ୍ୟ ଏହାର ବଣ୍ଟନ କରିବାକୁ କେହି ଗୁରୁତ୍ବ ଦିଅନ୍ତି ନାହିଁ।
/sambad/media/post_attachments/wp-content/uploads/2021/12/desability-2.jpg)
ସର୍ବୋପରି ଉଦ୍ଧାର କାର୍ଯ୍ୟ କରୁଥିବା ଅଙ୍ଗନବାଡି କର୍ମୀ, ଆଶା କର୍ମୀ କିମ୍ବା ସାମାଜିକ କର୍ମକର୍ତ୍ତାମାନଙ୍କୁ ଭିନ୍ନକ୍ଷମଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ ନାହିଁ। ଏପରିକି ସେମାନେ ଧାଡ଼ିରେ ଛିଡ଼ା ହୋଇ ପାରୁନଥିବାରୁ ସେମାନଙ୍କ ଘରକୁ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ବ୍ୟବସ୍ଥାର ନିୟମ ନାହିଁ। ସରକାରୀ ନିୟମ ଅନୁସାରେ, ପ୍ରାକୃତିକ ବିପର୍ଯ୍ୟାୟ ଶିକାର ଭିନ୍ନକ୍ଷମଙ୍କୁ ଏକ ମାସ ପର୍ଯ୍ୟନ୍ତ ସହାୟତା ମିଳିବାର ବ୍ୟବସ୍ଥା ରହିଛି। କିନ୍ତୁ କୌଣସି ସ୍ଥାନରେ ଏହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୁଏ। ଏପରିକି ଆଜି ପର୍ଯ୍ୟନ୍ତ ଭିନ୍ନକ୍ଷମଙ୍କୁ ସହାୟତା ପାଇଁ ସ୍ବତନ୍ତ୍ର ନୋଡ଼ାଲ ଅଧିକାରୀଙ୍କ ନିଯୁକ୍ତି ମଧ୍ୟ କରାଯାଇ ନାହିଁ। ଦ୍ବିତୀୟତଃ, ଘର ଭାଙ୍ଗିଥିବା କିମ୍ବା ଜୀବିକା ହରାଇଥିବା ଭିନ୍ନକ୍ଷମଙ୍କୁ ମଧ୍ୟ ଅନ୍ୟ ସାଧାରଣ ଲୋକଙ୍କ ଭଳି ସମାନ ସହାୟତା ରାଶି ମିଳେ। ଯାହା ତା ପାଇଁ ଯଥେଷ୍ଟ ହୁଏ ନାହିଁ।
ଆଉ ଏକ ଅଭିଯୋଗ ଅନୁଯାୟୀ, ୨୦୧୬ ମସିହାରୁ ଭିନ୍ନକ୍ଷମଙ୍କ ସହାୟତା ପାଇଁ ଜାରି ହେଲ୍ପ ଲାଇନ ନମ୍ବର ଅଚଳ ହୋଇ ପଡ଼ିଛି। ସବୁ ବିଭାଗରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଆସୁଥିବା ପାଣ୍ଠିର ୨୦ ପ୍ରତିଶତ ସଂରକ୍ଷିତ କରି ରଖାଯାଏ। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ କିନ୍ତୁ ଏହା କାର୍ଯ୍ୟକାରୀ କରି ନାହିଁ। ଓସ୍ଡମା ପକ୍ଷରୁ କୁହାଯାଇଛି, ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିନଥିବାରୁ ସ୍ବତନ୍ତ୍ର ସେଲ କରାଯାଇ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କୋର୍ଡ ଅନୁଯାୟୀ, ଭିନ୍ନକ୍ଷମଙ୍କୁ ସହାୟତା କରାଯାଏ। ସାମାଜିକ ସୁରକ୍ଷା ବିଭାଗ ଅନ୍ତର୍ଗତରେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ଭିନ୍ନକ୍ଷମଙ୍କ ସହାୟତାର କଣ ସ୍ବତନ୍ତ୍ର ବ୍ୟବସ୍ଥା ସୁବିଧା ରହିଛି ସେ ସମ୍ପର୍କରେ ବର୍ତ୍ତମାନ ଜଣାଇପାରିବେ ନାହିଁ ବୋଲି କହିଛନ୍ତି ଅତିରିକ୍ତ ସଚିବ ଦୀପକ ରାଉତରାୟ।