କାର୍ଯ୍ୟକାରୀ ହେବ ଭିନ୍ନକ୍ଷମ ଅଧିକାର ଆଇନ

ରାଜ୍ୟରେ ଅନ୍ତର୍ଭୁକ୍ତୀକରଣ ଶିକ୍ଷା ବ୍ୟବସ୍ଥା ସଂପର୍କିତ କର୍ମଶାଳା

ଚନ୍ଦ୍ରଶେଖରପୁର: ଭିନ୍ନକ୍ଷମମାନେ ସମାଜ ପାଇଁ ବୋଝ ନୁହନ୍ତି। ସେମାନେ ହେଉଛନ୍ତି ଭିନ୍ନ ଭାବରେ ସକ୍ଷମ। ସମାଜ ବିକାଶରେ ସେମାନଙ୍କର ଅବଦାନ ମଧ୍ୟ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଶିକ୍ଷା କ୍ଷେତ୍ରରେ ହେଉ ଅବା ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ସେମାନଙ୍କ ଅଧିକାରକୁ ଅଣଦେଖା କରାଗଲେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହିତ ଜେଲ୍‌ଦଣ୍ଡର ବ୍ୟବସ୍ଥା ରହିଛି। ସେମାନଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ରାଜ୍ୟରେ ଖୁବ୍‌ଶୀଘ୍ର ଭିନ୍ନକ୍ଷମ ଅଧିକାର ଆଇନ-୨୦୧୬ର କାର୍ଯ୍ୟକାରୀ କରାଯିବ। ଏହା ସହିତ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଇକୁଆଲ୍‌ ଅପରୁଚିନିଟି ସେଲ(ଇଓସି) ପ୍ରତିଷ୍ଠା କରାଯିବା ନେଇ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ।
ଆଜି କିମ୍‌ସ ଅଡିଟୋରିୟମ୍‌ରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟରେ ଅନ୍ତର୍ଭୁକ୍ତିକରଣ ଶିକ୍ଷା ବ୍ୟବସ୍ଥା ସଂପର୍କିତ ଅନୁଷ୍ଠିତ ଏକ କର୍ମଶାଳାରେ ଯୋଗ ଦେଇ ଶ୍ରୀ ସାମଲ ଆହୁରି କହିଲେ ଯେ କେନ୍ଦ୍ରୀୟ ସ୍ତରରେ କାର୍ଯ୍ୟକାରୀ ହୋଇସାରିଥିବା ଭିନ୍ନକ୍ଷମ ଅଧିକାର ଆଇନକୁ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀପୂର୍ବକ ସମସ୍ତ ନିୟମକୁ ପାଳନ କଲେ ଶିକ୍ଷାନୁଷ୍ଠାନକୁ ବାର୍ଷିକ ୫୦,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ସେହିପରି ଭିନ୍ନକ୍ଷମଙ୍କୁ ସ୍କଲାର୍‌ସିପ୍‌ ଯୋଗାଇଦେବା ଓ ଅନ୍ୟାନ୍ୟ ପ୍ରୋତ୍ସାହନ ଯୋଗାଇଦେଲେ ମଧ୍ୟ ଅନୁଷ୍ଠାନଗୁଡ଼ିକୁ ୫୦,୦୦୦ ଟଙ୍କା ଓ ଏହି କ୍ଷେତ୍ରରେ ନିଷ୍ଠାପର ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୨୫,୦୦୦ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।
ଉତ୍ସବରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଲେ ଯେ ସାମଗ୍ରିକ ବିକାଶ କ୍ଷେତ୍ରରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଭିନ୍ନକ୍ଷମଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ଓ ମାନସିକତାରେ ପରିବର୍ତ୍ତନ ଆସିବା ଆବଶ୍ୟକ। ରାଜ୍ୟରେ ସେମାନଙ୍କ ପାଇଁ ୫୫ଟି ନୂତନ ସ୍ୱତନ୍ତ୍ର ସ୍କୁଲ୍‌ ପ୍ରତିଷ୍ଠା କରାଯିବ ବୋଲି ସେ କହିଥିଲେ।
ପୂର୍ବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜେଏନ୍‌ୟୁରେ ଇକୁଆଲ୍‌ ଅପରୁଚିନିଟି ସେଲ ପ୍ରତିଷ୍ଠା ହୋଇ ସଫଳତା ହାସଲ କରିସାରିଛି। ଏହାର ପ୍ରତିଷ୍ଠା ଭିନ୍ନକ୍ଷମ, ତୃତୀୟଲିଙ୍ଗୀଙ୍କର ଅଧିକାରକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ। ଘରୋଇ କିମ୍ବା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ଭିନ୍ନକ୍ଷମ, ତୃତୀୟଲିଙ୍ଗୀମାନେ ସମାନ ଅଧିକାର ପାଇବାକୁ ହକ୍‌ଦାର। ଏହାର ଅବମାନନା କଲେ କଠିନ ଦଣ୍ଡବ୍ୟବସ୍ଥା ରହିଥିବା ଅତିଥିମାନେ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ନିତେନ ଚନ୍ଦ୍ରା, ଅତିରିକ୍ତ ମୁଖ୍ୟ ଶାସନ ସଚିିବ ଉଚ୍ଚଶିକ୍ଷା ବିଭାଗ ଜିଭିଭି ଶର୍ମା, ଏସ୍‌ଏସ୍‌ଇପିଡି ନିର୍ଦ୍ଦେଶକ ମାନସୀ ନିମ୍ବାଲ୍‌, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ପରମେଶ୍ୱରନ୍‌ ବି, ‘ସ୍ୱାଭିମାନ’ର ମୁଖ୍ୟ ଡ. ଶ୍ରୁତି ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସାରା ରାଜ୍ୟର ୫୦୦ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟରୁ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକ ଏବଂ ବିଶ୍ୱବିଦ୍ୟାଳୟର କୁଳପତିମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର