ସମୁଦ୍ର ବାଲି ଉପରେ ମାଫିଆଙ୍କ ନଜର, ‘ଫନି’ରେ ଉଠି ଆସିଥିବା ବାଲି ବି ତାଡ଼ି ନେଉଛନ୍ତି

ପୁରୀ : ପୁରୀରେ ବାଲି ଚୋରି ସୀମା ଟପିଲାଣି। ପ୍ରତିଦିନ ମାଫିଆ ‌ଜେସିବି ଲଗାଇ ସମୁଦ୍ର ବାଲି ତାଡ଼ି ନେଉଛନ୍ତି। ପ୍ରତିଦିନ ରାତିରେ ପୁରୀ ସହରର ବଳିଆପଣ୍ଡା ଓ ସିପସରୁବାଲି ଅଞ୍ଚଳରୁ ମାଫିଆମାନେ ଶହ ଶହ ଟ୍ରକ୍‌ ବାଲି ଚୋରାଚାଲାଣ କରୁଛନ୍ତି। ପୁଲିସ୍‌ ଦିନେ ଦୁଇ ଦିନ ଚଢାଉ କରି ତିନି ଚାରି ମାସ ଖୋଲା ଛାଡ଼ି ଦେଉଛି। ନିୟମିତ ବ୍ୟବଧାନରେ ଏଭଳି ଚଢାଉ ଓ ଚାଲାଣର ଲୁଚକାଳି ଖେଳ ଚାଲିଛି। ଦଲାଲ, ମଧ୍ୟସ୍ଥି, ମାଫିଆ ଓ କିଛି ଅଧିକାରୀ ଏଥିରେ ମାଲେମାଲ ହେଉଛନ୍ତି। ତେବେ ସେମାନେ ନଷ୍ଟ କରୁଥିବା ସରକାରୀ ସମ୍ପତ୍ତି ଓ ରାଜସ୍ବ ପ୍ରତି ପ୍ରଶାସନର ନିଘା ନାହିଁ। ପୁରୀ ସହରରୁ ଏହି ବାଲି ଚୋରା ଚାଲାଣକୁ ବନ୍ଦ ପାଇଁ ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଚଢାଉ କରିଥିଲେ। ପ୍ରାୟ ୧୫ରୁ ଅଧିକ ବାଲିଟ୍ରକ(ହାଇୱା‌) ଜବତ କରିଥିଲେ। ଚୋରା ଚାଲାଣ କରୁଥିବ‌ା ବାଲି ମାଫିଆମାନେ ବାଲି ଖୋଳୁଥିବାବେଳେ ପ୍ରାୟ କୋଟିଏ ଟଙ୍କାର ବିଦ୍ୟୁତ୍ କେବୁଲ ନଷ୍ଟ କରି ଦେଇଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ବାଲି ଚୋରା ଚାଲାଣରେ ନିୟୋଜିତ ଥିବା ଗାଡ଼ିକୁ କିଛି ଦିନ ଅଟକ ରଖିବା ପରେ ସେଗୁଡିକୁ ଛାଡ଼ି ଦେଇଥିଲେ। ପୁଲିସ ପ୍ରଶାସନ କେବେଳ ମାଫିଆଙ୍କୁ ଚମକା‌ଇବା ପାଇଁ ଏଭଳି ପଦକ୍ଷେପ ନେଇଥିଲା ନା ବାଲି ଚା‌ଲାଣ ରୋକିବାର ସତରେ ଆଗ୍ରହ ଥିଲା ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ନେଇ ଉପଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ପଚାରିବାରେ ‌ବାଲି ଚୋରି କରୁଥିବା ଲୋକଙ୍କ ନାମରେ ଏତଲା ହୋଇଥିବା କାରଣରୁ ଏ ମାମଲା ଏବେ କୋର୍ଟରେ ବିଚ‌ାରଧୀନ ରହିଛି ବୋଲି କହିଛନ୍ତି। ଜାତୀୟ ସମ୍ପତ୍ତିକୁ ନଷ୍ଟ କରିଥିବା ବାଲିମାଫିଆ ସହଜରେ ଖସି ଯାଇଛନ୍ତି। ଫଳରେ ମାତ୍ର ଦିନ କେଇ ଦିନପରେ ସେ ଅଞ୍ଚଳରେ ପୂର୍ବାବସ୍ଥା ଫେରିଛି। ମାଫିଆମାନେ ବାତ୍ୟାରେ ରାସ୍ତା ଉପରକୁ ଉଠି ଆସିଥିବ‌‌ା ବାଲିକୁ ମଧ୍ୟ ଲୁଟି ନେଉଛନ୍ତି। ଇଷ୍ଟ ‌ୱେଷ୍ଟ ହୋଟେଲ ନିକଟରେ କିଛି ଠିକାଦାର ରୀତିମତ ବାଲି ଉଠାଉଛନ୍ତି। ରାସ୍ତ‌ା ଉପରକୁ ଉଠି ଆସିଥିବ‌ା ବାଲିକୁ ସମୁଦ୍ରକୂଳ ଠେଲି ଦିଆଯାଇଥିଲା। ଏ ବାଲିକୁ ମଧ୍ୟ ଟ୍ରକ୍‌ ଲଗାଇ ଲୁଟି ନେଉଛନ୍ତି। ଲୁଣା ବାଲିକୁ ମଧୁର ବାଲି ସହିତ ମିଶାଇ ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର