ଚଣ୍ଡିଖୋଲ: ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍‌ ଦେଇ ପ୍ରବାହିତ ବିରୂପା ନଦୀ ଧୀରେଧୀରେ ଅସ୍ତିତ୍ବ ହରାଇବାକୁ ବସିଛି। ନଦୀଶଯ୍ୟା ପୋତି ହୋଇଯାଇ ପଡ଼ିଆ ପାଲଟିଛି। ଏହି କାରଣରୁ ବନ୍ୟା ସମୟରେ ନଈକୂଳିଆ ଲୋକଙ୍କ ପାଇଁ ବିରୂପା ବିପଦ ସୃଷ୍ଟି କରୁଛି। ବିରୂପା ନଦୀର ଏଭଳି ସମସ୍ୟା ବହୁବର୍ଷ ହେଲା ସୃଷ୍ଟି ହୋଇଥିବା ବେଳେ ଏଥିପ୍ରତି ସରକାର ଦୃଷ୍ଟି ଦେଉନାହାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଉଛି। ମହାନଦୀର ଶାଖାନଦୀ ବିରୂପା କଟକରୁ ବାହାରି ଟାଙ୍ଗି ଚୌଦ୍ୱାର, ସାଲେପୁର, ମାହାଙ୍ଗା, ବଡ଼ଚଣା ଆଦି ବ୍ଲକ୍‌ ଦେଇ ବରୀର କାଇପଡ଼ାଠାରେ ବ୍ରାହ୍ମଣୀ ନଦୀରେ ମିଶିଛି। ଏହି ନଦୀ କୁସୁପୁରଠାରୁ ବଡ଼ଚଣାର ନାନପୁର, ରୁକୁଟିପାଟ, ଆମ୍ବସୌରୀ, ଚାରିନଙ୍ଗଳ ଓ ଗୋପାଳପୁର ସମେତ ବିଭିନ୍ନ ସ୍ଥାନରେ ପୋତି ହୋଇଗଲାଣି। ନଦୀଶଯ୍ୟା ଏବେ ପଡ଼ିଆରେ ପରିଣତ ହୋଇଛି। ନଈପଠାରେ ବଡ଼ବଡ଼ ଗଛ ମୁଣ୍ଡ ଟେକିଛି।

Advertisment

ବିରୂପା ନଦୀ ସ୍ଥାନୀୟ ଲୋକଙ୍କ ଜୀବନରେଖା ଥିଲା। ନଦୀ ପାଣି ଉପରେ ନଦୀକୂଳିଆ ଲୋକେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ। ଏହାର ପାଣି ଚାଷ ପାଇଁ ବେଶ୍‌ ଉପଯୋଗୀ ହେଉଥିଲା। ନଦୀଶଯ୍ୟା ପୋତି ହୋଇଯିବାରୁ ଚାଷକାମ ବାଧାପ୍ରାପ୍ତ ହୋଇଛି। ଉଠା ଜଳସେଚନ ବିଭାଗ ଦ୍ବାରା ନଦୀଜଳକୁ ଚାଷଜମିରେ ମଡ଼ାଇବା ଯୋଜନା ବିଫଳ ହେଉଛି। ଅନ୍ୟପକ୍ଷରେ ନଦୀଶଯ୍ୟା ପୋତି ହୋଇଯିବା ଫଳରେ ଜଳସ୍ତର କମିଯାଇଛି। ପାନୀୟ ଜଳ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଭୂତଳ ଜଳସ୍ତର ମଧ୍ୟ କମୁଛି। ଏହି ସମସ୍ୟାର ସମାଧାନ ପାଇଁ ଗତ ୧୯୮୯ ମସିହାରେ ମାହାଙ୍ଗା ଓ ବଡ଼ଚଣା ଅଞ୍ଚଳରେ ‘ବିରୂପା ବଞ୍ଚାଅ ନାମରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନ ତୀବ୍ରତର ହେବାରୁ ଅବିଭକ୍ତ କଟକର ତତ୍‌କାଳୀନ ଜିଲ୍ଲାପାଳ ରଘୁନାଥ ଦାସ ନଦୀଶଯ୍ୟା ଖନନ ପାଇଁ ପ୍ରୟାସ କରିଥିଲେ। ସେତେବେଳେ ଏଥିପାଇଁ ଅର୍ଥ ମଞ୍ଜୁର କରାଯାଇ ନଦୀଶଯ୍ୟା ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ କାର୍ଯ୍ୟ ବନ୍ଦ ହୋଇଗଲା ବୋଲି ‘ବିରୂପା ବଞ୍ଚାଅ ଆନ୍ଦୋଳନର ତତ୍କାଳୀନ ସଭାପତି ଶାରଦା ପ୍ରସନ୍ନ ମହାନ୍ତି କହିଛନ୍ତି। ସେହିପରି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମଧ୍ୟ ବିରୂପା ନଦୀଶଯ୍ୟା ପୋତି ହୋଇପଡ଼ିବା ଓ ଖନନ ଏକାନ୍ତ ଜରୁରୀ ବୋଲି ବହୁବାର ବିଧାନସଭାରେ ଆଲୋଚନା କରିଥିଲେ। ଆଜିଯାଏ ଏନେଇ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନାହିଁ। ଅସ୍ତିତ୍ୱ ହରାଇବାକୁ ଯାଉଥିବା ବିରୂପା ନଦୀଶଯ୍ୟା ଖନନ ପାଇଁ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।