କେଶବ ପାଣି
ଭୁବନେଶ୍ବର: ଯୋଗ୍ୟତା ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସ୍ନାତକୋତ୍ତର (ପିଜି)। ମାତ୍ର ନିଯୁକ୍ତି ନାହିଁ। ଡିଗ୍ରି ସାର୍ଟିଫିକେଟ୍‌ ଧରି ଘରେ ବସିଛନ୍ତି। କେବେ ରାଜ୍ୟ ସରକାରଙ୍କ ନିଯୁକ୍ତି ପ୍ରକ୍ରିୟା ହେବ ତାହାକୁ ଚାହିଁଛନ୍ତି। ଜଣେ କି ଦୁଇ ଜଣ ନୁହେଁ, ରାଜ୍ୟର ଏଭଳି ୭,୮୭୭ଜଣ ଯୁବକ ଯୁବତୀ ଇଞ୍ଜିନିୟରିଂରେ ପିଜି ଡିଗ୍ରି ହାସଲ କରିଥିଲେ ମଧ୍ୟ ଚାକିରି ପାଇପାରି ନାହାନ୍ତି। କେବଳ ଇଞ୍ଜିନିୟରିଂ ନୁହେଁ, ମେଡିକାଲ, ଆଇନ, ପ୍ରାଣୀ ଚିକିତ୍ସା, କୃଷି ପାଠ୍ୟକ୍ରମରେ ପିଜି ଶିକ୍ଷା ଗ୍ରହଣ କରି ଯୁବକ ଯୁବତୀ ଚାକିରି ସନ୍ଧାନରେ ଅଛନ୍ତି। ସାଧାରଣ ପାଠ୍ୟକ୍ରମ ଦୂରରେ ଥାଉ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏମ୍‌ବିଏ, ଏମ୍‌ସିଏ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ବି ସ୍ଥିତି ଅନୁରୂପ।

Advertisment

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଥିବା କହୁଛନ୍ତି। ମାତ୍ର ରାଜ୍ୟରେ ଉଚ୍ଚଶିକ୍ଷିତ ବେକାରିଙ୍କ ସଂଖ୍ୟା ବଢ଼ିଚାଲିଛି। ଯୁବକ ଯୁବତୀଙ୍କୁ ଅଧିକରୁ ଅଧିକ ଆତ୍ମନିଯୁକ୍ତି, ନିଯୁକ୍ତିକ୍ଷମ ଓ ସ୍ବାବଲମ୍ବୀ କରିବାକୁ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ସେତେଟା ଫଳପ୍ରଦ ହୋଇପାରି ନାହିଁ। ଚିନ୍ତାର ବିଷୟ ହେଉଛି ଯେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜଗୁଡ଼ିକରେ ଚାକିରି ପାଇଁ ୧୧ଲକ୍ଷ ୯୭ହଜାର ୪୯୭ଜଣ ପଞ୍ଜୀକରଣ କରିଛନ୍ତି। ସେଥିରେ ୭ଲକ୍ଷ ୬୯ହଜାର ୧୯୪ଜଣ ଯୁବକ ଓ ୪ଲକ୍ଷ ୨୮ହଜାର ୩୦୩ଜଣ ଯୁବତୀ ରହିଛନ୍ତି। ଏସ୍‌ସି ଓ ଏସ୍‌ଟି ସର୍ବାଧିକ ୧ଲକ୍ଷ ୫୪ହଜାର ୭୯୬ ଜଣ ନାମ ପଞ୍ଜୀକରଣ କରିଛନ୍ତି। ସେଥିରେ ୯୮ହଜାର ୬୯୭ ଯୁବକ ଓ ୫୬ହଜାର ୬୬ ଯୁବତୀ ଅଛନ୍ତି। ରାଜ୍ୟ ଏକ୍ସଚେଞ୍ଜ ଅଫିସ୍‌ରେ ୧ ଲକ୍ଷ ୬୦୭ଜଣ, ପୁରୀରେ ୫୮,୪୪୧, ବ୍ରହ୍ମପୁରରେ ୫୬,୮୪୫, ରାଉରକେଲାରେ ୫୧,୬୭୯, କେନ୍ଦ୍ରାପଡ଼ାରେ ୫୧,୩୫୪ଜଣ ପଞ୍ଜୀକରଣ କରିଥିବା ସୂଚନା ମିଳିଛି।

ଏମ୍ପ୍ଲଏମେଣ୍ଟ ଏକ୍ସଚେଞ୍ଜରେ ପଞ୍ଜୀକରଣ କରି ନିରାଶ
୩,୧୭,୬୩୩ଜଣ ସ୍ନାତକ ଡିଗ୍ରିଧାରୀ ପଞ୍ଜୀକରଣ କରିଛନ୍ତି
ନିଯୁକ୍ତି ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ

ପଞ୍ଜୀକରଣ କରିଥିବା ଯୁବକ ଯୁବତୀଙ୍କ ମଧ୍ୟରେ ୩ ଲକ୍ଷ ୧୭ହଜାର ୬୩୩ଜଣ କେବଳ ସ୍ନାତକ(ୟୁଜି) ଡିଗ୍ରିଧାରୀ ରହିଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ ବ୍ୟତୀତ ବିବିଏରେ ୧୨୫୯, ବିସିଏରେ ୨୩୯୮, କୃଷିରେ ୨୭୮, ପ୍ରାଣୀ ବିଜ୍ଞାନରେ ୬୮, ଇଞ୍ଜିନିୟରିଂରେ ୩୮୨, ଲ’ରେ ୧୧ ଓ ମେଡିକାଲ ପାଠ୍ୟକ୍ରମରେ ଜଣେ ଡିଗ୍ରିଧାରୀ ପଞ୍ଜୀକରଣ କରିଛନ୍ତି। ଅନୁରୂପ ଭାବେ ସ୍ନାତକୋତ୍ତରରେ କୃତକାର୍ଯ୍ୟ ହୋଇଥିବା ୪୮ହଜାର ୬୭୮ଜଣ ପଞ୍ଜୀକରଣ କରିଛନ୍ତି। କଳାରେ ପିଜି କରିଥିବା ୨୧,୮୬୮ ପଞ୍ଜୀକରଣ କରିଥିବା ବେଳେ ବିଜ୍ଞାନରେ ୧୧,୩୪୭, ବାଣିଜ୍ୟରେ ୩,୮୦୦, ଏମ୍‌ସିଏ ଡିଗ୍ରିଧାରୀ ୮୩୯, ଏମ୍‌ସିଏରେ ୬୩୪ଜଣ ପଞ୍ଜୀକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି। ବିଏଡ୍‌, ଏମ୍‌ଏଡ୍‌, ସିଟି କରି ୫୪,୩୩୨ଜଣ ପଞ୍ଜୀକରଣ କରିଥିବା ବେଳେ ମାଟ୍ରିକ୍‌, ଯୁକ୍ତ୨, ଡିପ୍ଲୋମା, ଆଇଟିଆଇ ଓ ମାଟ୍ରିକ୍‌ ପାସ୍‌ କରି ନ ଥିବା ପ୍ରାର୍ଥୀମା‌ନେ ମଧ୍ୟ ପଞ୍ଜୀକରଣ କରିଛନ୍ତି।

ପଞ୍ଜୀକରଣ କରିଥିବା ପ୍ରାୟ ୧୨ ଲକ୍ଷ ଛାତ୍ରଛାତ୍ରୀ ନିଯୁକ୍ତି ପାଇଛନ୍ତି କି ନାହିଁ ସେନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖବର ନାହିଁ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଯୁବକ ଯୁବତୀ ନାମ ପଞ୍ଜୀକରଣ କରିବା ସହ ଜୀବନ୍ତ ପଞ୍ଜିକାରେ ରହିଛନ୍ତି। ପଞ୍ଜୀକରଣ କରିଥିବା ପ୍ରାର୍ଥୀମାନେ ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ ନିଯୁକ୍ତିପ୍ରାପ୍ତ ହେଲେ ମଧ୍ୟ ସେମାନଙ୍କ ତଥ୍ୟ ରଖିବା କିମ୍ବା ପଞ୍ଜୀକରଣରୁ ବାଦ ଦେବାକୁ କୌଣସି ବ୍ୟବସ୍ଥା ହୋଇ ନାହିଁ। ନିଯୁକ୍ତିକୁ ବ୍ୟାପକ କରିବାକୁ ୨୦୨୩-୨୪ରେ ମଧ୍ୟ ନୂଆ ଓଡ଼ିଶା ନାମରେ ନୂତନ କାର୍ଯ୍ୟକ୍ରମ ରାଜ୍ୟ ସରକାର ପ୍ରଚଳନ କରିଛନ୍ତି। ଏହି ତାଲିମ କାର୍ଯ୍ୟକ୍ରମ ପ୍ରତିଷ୍ଠିତ ବେସରକାରୀ ସଂସ୍ଥାଙ୍କ ସହଭାଗୀତାରେ ହେଉଛି। ନୂତନ ଚାହିଦା ଥିବା ପ୍ରଯୁକ୍ତିବିଦ୍ୟା ଟ୍ରେଡ୍‌ଗୁଡ଼ିକରେ ପ୍ରତି ଜିଲ୍ଲାର ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଉଛି। ନିଯୁକ୍ତି ମେଳା, ବ୍ଲକ ସ୍ତରୀୟ କାଉନସେଲିଂ କ୍ୟାମ୍ପ, ପ୍ରି-ରିକ୍ୟୁଟମେଣ୍ଟ ରାଲି, ଜବ୍‌ ଡ୍ରାଇଭ୍‌/ନିଯୁକ୍ତି ମେଳା ଅନୁଷ୍ଠିତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି।