ଅନୁଗୁଳ: ବିଜେଡି ଗଡ଼ ଭାଙ୍ଗି ୩ ବିଧାୟକ ବିଧାନସଭା ଯାଇଥିଲେ ମଧ୍ୟ ବିଜେପି ଜିଲ୍ଲାବାସୀଙ୍କୁ ନିରାଶ କରିଛି। ଜିଲ୍ଲାରୁ ଜଣେ ହେଲେ ବି ବିଧାୟକ ମନ୍ତ୍ରୀ ହୋଇନଥିଲା ବେଳେ ଅବହେଳାର ତାଲିକା ଆହୁରି ଲମ୍ବା ହୋଇଛି। ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଅନୁଗୁଳ ଜିଲ୍ଲାରୁ ନଗେନ୍ଦ୍ର ପ୍ରଧାନ ଓ ସଂଜୀବ ସାହୁ ମନ୍ତ୍ରୀ ହୋଇଥିଲେ। ସେମାନେ ବିଭିନ୍ନ ବିଭାଗର ମନ୍ତ୍ରିପଦ ସମ୍ଭାଳିଥିଲେ। ପରେ ବିଜେଡି ସରକାରରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ମନ୍ତ୍ରିପଦ ମିଳିଥିଲା। ଶେଷ ଥର ପାଇଁ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ରଜନୀକାନ୍ତ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ହେଲେ ଏହାପରେ ଅନୁଗୁଳ ଜିଲ୍ଲାର କୌଣସି ନେତାଙ୍କ ଭାଗ୍ୟରେ ମନ୍ତ୍ରୀ ହେବାର ସୁଯୋଗ ଜୁଟିନି। ୨୦୧୪ ନିର୍ବାଚନରେ ଅନୁଗୁଳ ଜିଲ୍ଲାର ୫ଟି ଯାକ ବିଧାନସଭା ଆସନରେ ଲୋକେ ବିଜେଡି ବିଧାୟକମାନଙ୍କୁ ନିର୍ବାଚିତ କରିଥିଲେ ମଧ୍ୟ ମନ୍ତ୍ରୀ ପାଇଁ କାହାରିକୁ ମିଳି ନ ଥିଲା। ୨୦୧୯ରେ ୫ଟି ଯାକ ଆସନରେ ପୁଣିଥରେ ବିଜେଡିକୁ ସମର୍ଥନ ମିଳିଥିଲେ ମଧ୍ୟ କେହି ମନ୍ତ୍ରୀ ହୋଇ ନଥିଲେ। କେବଳ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି କରାଯାଇଥିଲା। ପରେ ସେଥିରୁ ତାଙ୍କୁ ଅବ୍ୟାହତି ମଧ୍ୟ ଦିଆଯାଇଥିଲା।
୨୦୨୪ ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ବିଜେଡି ଗଡ଼ରେ ପଶି ୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି। ଆଶା କରାଯାଉଥିଲା ଅନ୍ତତଃ ଏଥର ଜିଲ୍ଲାରୁ ଜଣଙ୍କୁ ମନ୍ତ୍ରିପଦ ମିଳିବ। ବିଜେଡି ଗ ଡ଼କୁ ଭାଙ୍ଗିବାର ପୁରସ୍କାର ନିଶ୍ଚିତ ମିଳିବ। ହେଲେ ଏଥର ବି ନିରାଶ ହେବାକୁ ପଡ଼ିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ହୋଇଥିବାବେଳେ କାହାରିକୁ ମନ୍ତ୍ରୀ ନ କରିବା ସଂଗଠନ କର୍ମକର୍ତ୍ତାଙ୍କୁ ଆଘାତ ଦେଇଛି। ଏପରିକି ଜିଲ୍ଲାବାସୀ ଯେଉଁ ଆଶା ନେଇ ବିଜେପି ଉପରେ ଭରସା କରିଥିଲେ, ସେଥିରେ ନିରାଶ ହେବାକୁ ପଡ଼ିଛି। ତେବେ ମନ୍ତ୍ରିମଣ୍ଡଳରେ ଆଉ ୬ଟି ପଦ ଫାଙ୍କା ଥିବାରୁ ଆଗାମୀ ଦିନରେ ସମ୍ପ୍ରସାରଣ ହେବାର ସମ୍ଭାବନା ରହିଛି। ଏଥିରେ ଅନୁଗୁଳକୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ଜିଲ୍ଲାବାସୀ ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/anugul.jpg)