ମହିଳା ଫୁଟ୍‌ବଲ୍‌ ଖେଳାଳିଙ୍କୁ ହତାଦର, ଜିଲ୍ଲାପାଳଙ୍କ ଚିଠିକୁ ବି ଅଣଦେଖା

ସମ୍ବଲପୁର: ସମ୍ବଲପୁରର ମହିଳା ଫୁଟବଲ୍‌ ଖେଳାଳିମାନେ ରାଜ୍ୟ ଓ ଦେଶ ପାଇଁ ଖେଳି ସୁନାମ ଆଣିଛନ୍ତି। ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତ୍ବେ ସେମାନଙ୍କୁ କିନ୍ତୁ ନିଯୁକ୍ତି ସୁଯୋଗ ମିଳିପାରୁନାହିଁ। ରାଜ୍ୟ ସରକାର କ୍ରୀଡ଼ା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ନିମନ୍ତେ  ଖେଳାଳିଙ୍କୁ ସରକାରୀ ସଂସ୍ଥାରେ ନିଯୁକ୍ତି ବି ଦେଇଛନ୍ତି। ଏଥି ସହିତ ମହିଳାଙ୍କ ବିକାଶ ନିମେନ୍ତ ବି ଅନେକ କିଛି କାମ କରୁଛନ୍ତି। କିନ୍ତୁ, ଏଠାକାର ଜମି, ଜଳ, ଜଂଗଲ‌ ବ୍ୟବହାର କରି ଶିଳ୍ପ ସ୍ଥାପନ କରିଥିବା କଂପାନିମାନ‌େ ନିଜ ଦାୟିତ୍ବବୋଧ ‌ଭୁଲି ଯାଉଛନ୍ତି। ଖୋଦ୍ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖି ମହିଳା ଫୁଟବଲ୍ ଖେଳାଳିଙ୍କୁ ନିଯୁକ୍ତି ଦେବା ପାଇଁ ପରାମର୍ଶ ଦେଇଥିବା ସତ୍ତ୍ବେ କେବଳ ଗୋଟିଏ ଶିଳ୍ପସଂସ୍ଥାକୁ ଛାଡ଼ିଦେଲେ ଅନ୍ୟମାନେ ଅଣଦେଖା କରିଛନ୍ତି। ଏହାକୁ ନେଇ ଜିଲ୍ଲାର କ୍ରୀଡ଼ାପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବଲପୁର ସାକ୍ଷୀଗୋପୀନାଥପଡ଼ାର ମଧୁମିତା ମେହେର ୨୯ତମ ଜାତୀୟ ମହିଳା ଫୁଟବଲ ପ୍ରତିଯୋଗିତା ଖେଳିଥିବା ବେଳେ ତାଙ୍କ ଦଳ ଚାମ୍ପିଅନ ହୋଇଥିଲା। ୧୯ ବର୍ଷରୁ କମ୍ ବୟସ ଗ୍ରୁପ୍‌ରେ ବି ସେ ଆସମ, ଗୋଆ ଆଦି ସ୍ଥାନରେ ଅନୁଷ୍ଠିତ ବିଭିନ୍ନ ଜାତୀୟ ପ୍ରତିଯୋଗିତା ଖେଳିଛନ୍ତି। ଭାରତୀୟ କ୍ୟାମ୍ପ, ଆଇଏଫ୍‌ଏ ଲିଗ୍‌ରେ ବି ସାମିଲ ହୋଇଛନ୍ତି। ସରଲାକାନିର ସୁବାସିନୀ ବାଗ ମଧ୍ୟ ୧୭ ବର୍ଷ ବୟସରୁ କମ୍ ବାଳିକା ବର୍ଗ ସହିତ ବାଳିକା ଜୁନିୟର ଓ ସିନିୟର ମହିଳା ବର୍ଗରେ ଅନେକ ଥର ଜାତୀୟ ଫୁଟବଲ ପ୍ରତିଯୋଗିତା ଖେଳିଛନ୍ତି।

କେଉଁ ପ୍ରତିଯୋଗିତାରେ ତାଙ୍କ ଦଳ ଚାମ୍ପିଅନ ହୋଇଛି ତ ଆଉ କେଉଁ ପ୍ରତିଯୋଗିତାରେ ଉପବିଜେତା ହୋଇଛି। ଭୂତାପଡ଼ାର ରତନି ମୁଣ୍ଡା ମଧ୍ୟ ଜାତୀୟ ସ୍କୁଲସ୍ତରୀୟ, ଜାତୀୟ ଗ୍ରାମାଚଂଳ ପ୍ରତିଯୋଗିତା ସମେତ ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଖେଳି ଅନେକ ପ୍ରତିଯୋଗିତାରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି। ସେହିପରି ଭୂତାପଡ଼ାର କର୍ମୀ ମୁଣ୍ଡା, ମୀନତି ତିର୍କି, ସାକ୍ଷୀପଡ଼ାର ଦୀପ୍ତି କିସାନ ପ୍ରମୁଖଙ୍କ ସହିତ ସହର ପ୍ରେମା ଲୁହାର, ଲିଲି ମୁଣ୍ଡା, ସୁକାନ୍ତି ବାରିକ, ରିନା ଓରାମ, ପାର୍ବତୀ ମୁଣ୍ଡା, ସନ୍ତୋଷିନୀ ଓରାମ, ପଦ୍ମିନୀ ସୁନା ପ୍ରମୁଖ ୧୩ ଜଣ ପ୍ରତିଭାବାନ ମହିଳା ଫୁଟବଲ୍‌ ଖେଳାଳି ବିଭିନ୍ନ ପ୍ରତିଯୋଗିତାରେ ଖେଳି ଜିଲ୍ଲା ତଥା ରାଜ୍ୟର ଗୌରବ ବଢ଼ାଇଛନ୍ତି।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନରେ ନିଯୁକ୍ତି ଦେବା ପାଇଁ ଓଡ଼ିଶା ଆଦିବାସୀ ଦଳିତ ସେନା ପକ୍ଷରୁ ଗତ ବର୍ଷ ଅନେକ ଥର ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ଗତ ୨୭ ଏପ୍ରିଲ୍‌ ୨୦୨୧ରେ ଏହି ଫୁଟବଲ୍‌ ଖେଳାଳିମାନଙ୍କୁ ସ୍ପୋର୍ଟସ୍‌ କୋଟା କିମ୍ବା ଅନ୍ୟ କୌଣସି ଉପଯୁକ୍ତ ପଦରେ ନିଯୁକ୍ତି ଦେବା ପାଇଁ ଏନ୍‌ଏଲ୍‌ସି ଆଇଏଲ୍‌ର ତଲାବିରା ପ୍ରକଳ୍ପର ମୁଖ୍ୟ ମହାପ୍ରବନ୍ଧକ, ଆଦିତ୍ୟ ଆଲୁମିନିୟମ୍‌ ଲପଙ୍ଗାର ମୁଖ୍ୟ ପରିଚାଳନା ଅଧିକାରୀ, ହିଣ୍ଡାଲ୍‌କୋ, ହୀରାକୁଦର ମୁଖ୍ୟ, ଶ୍ୟାମ ମେଟାଲିକ୍ସର ନିର୍ଦ୍ଦେଶକ ପ୍ରମୁଖଙ୍କୁ ଚିଠି ଲେଖିଥିଲେ। ହେଲେ ସଂପୃକ୍ତ ଶିଳ୍ପସଂସ୍ଥାଗୁଡ଼ିକ ଜିଲ୍ଲାପାଳଙ୍କ ଚିଠିର ଉତ୍ତର ରଖିବାକୁ ଉଚିତ ମଣିଲେ ନାହିଁ। ଏଭଳି ସ୍ଥିତିରେ ଗତ ୯ ଜୁଲାଇ ୨୦୧୨୧ରେ ପୁଣି ଆଦିବାସୀ ଦଳିତ ସେନାର କର୍ମକର୍ତ୍ତାଙ୍କ ନେତୃତ୍ବରେ ଏହି ଫୁଟବଲ ଖେଳାଳିମାନେ ପୁଣି ଥରେ ଜିଲ୍ଲାପାଳଙ୍କୁ ଭେଟି ନିଯୁକ୍ତି ପାଇଁ ଅନୁରୋଧ କରିଥି‌ଲେ। ଏହା ପରେ ଜିଲ୍ଲା ପ୍ରଶାସନ ପୁଣି ଏ ଦିଗରେ ତତ୍ପରତା ଦେଖାଇଥିଲା।

ଏମାନଙ୍କୁ ମଧ୍ୟରୁ କେବଳ ଶ୍ୟାମ ମେଟାଲିକ୍ସ କଂପାନି ୩ ଜଣ ମହିଳା ଫୁଟବଲ ମୀନତୀ, ସୁନିତା ଓ ସୁକାନ୍ତିଙ୍କୁ ନିଯୁକ୍ତି ଦେବାକୁ ପଦ‌କ୍ଷେପ ନେଇଥିଲା। ଅନ୍ୟ ଶିଳ୍ପସଂସ୍ଥା କିନ୍ତୁ ଏଦିଗରେ ନିରବତା ଅବଳମ୍ବନ କରିଥିବା ଜଣାପଡ଼ିଛି। ଅନ୍ୟପଟେ ସମ୍ବଲପୁର ଜିଲ୍ଲାର ଏହି ଶିଳ୍ପାସଂସ୍ଥାଗୁଡ଼ିକରେ ରାଜ୍ୟ ବାହାରର ଶହ ଶହ ଲୋକ କାମ କରୁଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ସରକାରୀ ବାବୁମାନଙ୍କର ସଂପର୍କୀୟ ମଧ୍ୟ ରହିଛନ୍ତି। କେତେକ ସରକାରୀ ବାବୁଙ୍କ ସଂପର୍କୀୟ ତଥା ଘନିଷ୍ଠ ବ୍ୟକ୍ତି ପୁଣି କେତେକ ଶିଳ୍ପସଂସ୍ଥା ସହିତ ବ୍ୟବସାୟିକ ସଂପର୍କ ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ହେଲେ, ଅଂଚଳ ଗୌରବ ଆଣିଥିବା ପ୍ରତିଭାବାନ ଖେଳାଳିମାନଙ୍କୁ ଶିଳ୍ପସଂସ୍ଥାଗୁଡ଼ିକ ନିଯୁକ୍ତି ଦେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ଏଥିରୁ ଅଞ୍ଚଳର ପ୍ରତିଭାମାନଙ୍କ ପ୍ରତି ସେମାନଙ୍କ କେତେ ସମ୍ମାନ ଓ ଦାୟିତ୍ବବୋଧ ରହିଥିବା ତାହା ଅନୁମାନ କରାଯାଇପାରେ। ଆଦିବାସୀ ଦଳିତ ସେନା ପକ୍ଷରୁ କହାଯାଇଛି, ଶିଳ୍ପ ସ୍ଥାପନ ଦ୍ବାରା ବିଶେଷ କରି ଆଦିବାସୀ ଓ ଦଳିତ ବର୍ଗ ବେଶ୍ କ୍ଷତିଗ୍ରସ୍ତ ହୋଇଛନ୍ତି। ଅଧିକାଂଶ ମହିଳା ଫୁଟବଲ ଖେଳାଳିଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ସ୍ବଚ୍ଛଳ ନୁହନ୍ତି। ଅନେକ ସମୟରେ ଅଭାବ ଅସୁବିଧାର ସମ୍ମୁଖୀନ ହେଉଥିବା ଏହି ଖେଳାଳିମାନଙ୍କୁ ନିଯୁକ୍ତି ମିଳିଲେ ସେମାନେ ବେଶ୍‌ ଉପକୃତ ହୋଇପାରନ୍ତେ। ଆଉ ଏହା ଦେଖି ଅନ୍ୟମାନେ ବି ଖେଳ ପ୍ରତି ଉତ୍ସାହିତ ହୋଇପାରନ୍ତେ। ତେଣୁ, ତୁରନ୍ତ ଏହି ଖେଳାଳିମାନଙ୍କୁ ଶିଳ୍ପସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ଆଦିବାସୀ ଦଳିତ ‌ସେନା ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର