ଭୁବନେଶ୍ବର : ୨୦୧୫ ମସିହାରେ ରାଜ୍ୟରେ ପାଣିରେ ବୁଡ଼ି ଯେତିକି ଲୋକ ପ୍ରାଣ ହରାଉଥିଲେ, ୨୦୧୮ ପରେ ଏହି ସଂଖ୍ୟା ତିନିରୁ ଚାରିଗୁଣ ବୃଦ୍ଧି ପାଇଛି। ୨୦୧୫ ପରେ ଏମିତି କୌଣସି ବର୍ଷ ନାହିଁ, ଯେବେ ବୋଟ୍ ବୁଡ଼ିରେ ଓଡ଼ିଶାରେ ଲୋକଙ୍କର ମୃତ୍ୟୁ ଘଟିନାହିଁ। ବଜ୍ରପାତ ଓ ସାପ କାମୁଡ଼ା ଜନିତ ମୃତ୍ୟୁ କଥା ନ କହିବା ଭଲ। ଏ ସଂକ୍ରାନ୍ତ ପରିସଂଖ୍ୟାନ ମୁଣ୍ଡ ଘୂରାଇଦେବା ଭଳି।

Advertisment

ଏସବୁ ସମେତ ବାତ୍ୟା, ବନ୍ୟା, ଭୀଷଣ ବର୍ଷା, ଅଂଶୁଘାତ ଆଦିକୁ ଏକାଠି କରି ଦେଖିଲେ, ରାଜ୍ୟରେ ପ୍ରତିବର୍ଷ ଦୁଇରୁ ତିନି ହଜାର ଲୋକ ବିପର୍ଯ୍ୟୟ କାରଣରୁ ପ୍ରାଣ ହରାଉଛନ୍ତି। ଆଉ ଯଦି ୨୦୧୫-୧୬ ବର୍ଷରୁ ୨୦୨୨ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ସରକାରୀ ପରିସଂଖ୍ୟାନକୁ ନଜର ପକାଯିବ; ଏହି ମୃତ୍ୟୁ ସଂଖ୍ୟା ୧୭ ହଜାର ୪୩୨ରେ ପହଞ୍ଚିଛି। ବେସରକାରୀ ଭାବେ ହିସାବ କଲେ, ମୃତ୍ୟୁ ସଂଖ୍ୟା ଢେର୍ ବଢ଼ିଯାଇପାରେ।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଗୋଟିଏ ପଟେ ରାଜ୍ୟ ସରକାର ପୁରସ୍କାର ଗୋଟାଉଛନ୍ତି। ଅନ୍ୟପଟେ ଏହି ପରିସଂଖ୍ୟାନ ବୟାନ କରୁଛି ଯେ ଦୈନିକ ୬ରୁ ୭ଜଣ ବ୍ୟକ୍ତି ବିପର୍ଯ୍ୟୟ ମୁହଁରେ ପ୍ରାଣ ଦେଉଛନ୍ତି।

publive-image India.com

ଆଉ ପାଦେ ଆଗକୁ ଯାଇ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପକୁ ବିଚାରକୁ ନେଲେ ଏହି ପ୍ରସଙ୍ଗର ଗୁରୁତ୍ବ ବହୁଗୁଣିତ ହେଉଛି। ଏଇଥିପାଇଁ ଯେ କୌଣସି ବାତ୍ୟା ଆସୁ କିମ୍ବା ବଡ ଧରଣର ବନ୍ୟା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୦ବର୍ଷ ଧରି ଗୋଟିଏ ଧାଡ଼ିକିଆ ମନ୍ତ୍ର ଅଧିକାରୀମାନଙ୍କ କାନରେ ବାରମ୍ବାର ଫୁଙ୍କୁଛନ୍ତି। ତାହା ହେଉଛି-ପ୍ରତ୍ୟେକ ଜୀବନ ମୂଲ୍ୟବାନ। କୌଣସି ଜଣେ ବି ଲୋକର ଜୀବନହାନି ହେବ ନାହିଁ, ତାହା ହେଉଛି ସରକାରଙ୍କ ନୀତି। ଏଣୁ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ସମସ୍ତ ପଦକ୍ଷେପ ନିଅ। କିନ୍ତୁ ଉପରୋକ୍ତ ପରିସଂଖ୍ୟାନକୁ ଟିକିନିଖି ତର୍ଜମା କଲେ, ଗୋଟିଏ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ନବୀନଙ୍କ ବାର୍ତ୍ତାର ଠିକ୍ ଅନୁପାଳନ କରିବାରେ ସରକାରୀ ଅଧିକାରୀ, ଶାସନ କଳଙ୍କ ସଫଳତା ନଗଣ୍ୟ। ବରଂ ବର୍ଷକୁ ବର୍ଷ କିଛି କ୍ଷେତ୍ରରେ ବିପର୍ଯ୍ୟୟଜନିତ ମୃତ୍ୟୁ ବୃଦ୍ଧିପାଉଥିବା ସ୍ଥଳେ କୌଣସି ବିଭାଗର ବିଫଳତାକୁ ଦାୟୀ କରାନଯିବା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରେ।

publive-image

ପ୍ରଥମେ ବାତ୍ୟା ପରିସଂଖ୍ୟାନ ଉପରେ ନଜର ପକାଯାଉ। ୧୯୯୯ ମହାବାତ୍ୟା ପରେ ନବୀନ ସରକାର ଶାସନକୁ ଆସିଥିଲେ ଓ ସେବେଠାରୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରାଥମିକତା ଦେଇଛନ୍ତି। ଏକଥା ଯେ କେହି ବି ସ୍ବୀକାର କରିବ ଯେ ଆଜି ଦିନରେ ବାତ୍ୟା ମୁକାବିଲା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ। ହେଲେ ଏକଥା ବି ଅସତ୍ୟ ନୁହେଁ ଯେ ସରକାର ବାରମ୍ବାର ଦାବି କରିଆସୁଥିଲେ ବି ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ଶୂନ ହୋଇପାରିନାହିଁ। ୨୦୧୫ ମସିହାରୁ ୨୦୨୨ ଜୁଲାଇ ୧୫ ତାରିଖ ମଧ୍ୟରେ ତିତ୍‌ଲି, ଫନି ଓ ୟାସ୍‌ ଭଳି ତିନିଟି ବାତ୍ୟାରେ ଓଡ଼ିଶାରେ ୧୩୯ଜଣଙ୍କର ମୃତ୍ୟୁ ଘଟିଛି। ସର୍ବାଧିକ ତିତ୍‌ଲିରେ ୭୨ଜଣ ପ୍ରାଣ ହରାଇଥିଲେ, ଫନିରେ ୬୪ ଏବଂ ୟାସରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହି କାଳଖଣ୍ଡରେ ବିପର୍ଯ୍ୟୟର ଆଉ ଗୋଟିଏ ସ୍ବରୂପ ଅର୍ଥାତ୍ ରାଜ୍ୟରେ ଭୀଷଣ ବର୍ଷା ଓ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ଦେଖିଲେ, ତାହା ମଧ୍ୟ ୧୦୦ ତଳେ ନାହିଁ। ଏ କ୍ଷେତ୍ରରେ ବି ୧୦୭ ଜଣଙ୍କ ଜୀବନ ଯାଇଥିବା ସରକାରଙ୍କ ପରିସଂଖ୍ୟାନ କହୁଛି। ଅଂଶୁଘାତରେ ୩୧୪ଜଣଙ୍କର ମୃତ୍ୟୁ ହୋଇଛି।

ଏସବୁକୁ ବାଦ୍ ଦେଇ ପ୍ରାକୃତିକ ବିପର୍ଯ୍ୟୟ ଘୋଷିତ ଘଟଣାବଳୀ, ଯେମିତିକି ପାଣିରେ ବୁଡ଼ି ପ୍ରାଣ ହରାଇବା, ବୋଟ୍ ବୁଡି, ବଜ୍ରପାତ, ଅଗ୍ନିକାଣ୍ଡ, ସାପ କାମୁଡ଼ା ଆଦିରେ ଏହି ସମୟ ମଧ୍ୟରେ ୧୬ ହଜାର ୮୭୨ ଲୋକଙ୍କର ମୃତ୍ୟୁ ଘଟିଛି।

ଏବେ ପ୍ରଶ୍ନ ଉଠେ, ପାଖାପାଖି ସାତ ବର୍ଷରେ ସାପ କାମୁଡ଼ାରେ ୬ ହଜାର ୧୪୮ ଲୋକ କାହିଁକି ମରିବେ? ଲୋକଙ୍କ ଭିତରେ ସଚେତନତାର ଅଭାବ ନା ସାପକାମୁଡ଼ା ଇଞ୍ଜେକସନ୍ ଉପଲବ୍ଧିରେ ସମସ୍ୟା; ନା ସାପ କାମୁଡ଼ିଥିବା ବ୍ୟକ୍ତି ଡାକ୍ତରଖାନା ଯାଏ ପହଞ୍ଚିପାରୁନାହାନ୍ତି? ଏଥିମଧ୍ୟରୁ କେଉଁ କାରଣଟି ବେଶୀ ଦାୟୀ? ସେହିଭଳି ରାଜ୍ୟରେ ଏହି ସମୟ ମଧ୍ୟରେ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ୮୫୦ ରହିଛି।

publive-image Symbolic picture by voanews.com

ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଚିନ୍ତା ଉଦ୍ରେକ କରିବା ଭଳି ଗୋଟିଏ ଘଟଣା। ୨୦୧୫-୧୬ରୁ ୨୦୨୨ ଜୁଲାଇ ୧୫ ତାରିଖ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୨୫୭୪ ଲୋକଙ୍କର ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟ କହୁଛି। ହେଲେ ଗୋଟିଏ ବେସରକାରୀ ସର୍ଭେ ରିପୋର୍ଟ କହେ ଯେ ୨୦୦୦ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୨୧.୭୩ଲକ୍ଷ ଥର ବଜ୍ରପାତ ହୋଇଛି ଏବଂ ୫୭୦୬ଜଣ ପ୍ରାଣ ହରାଇଛନ୍ତି। ଏହି ରିପୋର୍ଟ ଅନୁସାରେ, ମୟୂରଭଂଜରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଅଧିକ। ଖଣିଖାଦାନ ଭରା ମୟୂରଭଂଜ, ସୁନ୍ଦରଗଡ ଓ କେନ୍ଦୁଝରରେ କାହିଁକି ଅଧିକ ବଜ୍ରପାତ ହେଉଛି, ତାହା ଉପରେ ଅଧିକ ଗବେଷଣା ଅପେକ୍ଷା ରଖେ। ଏହା ବ୍ୟତୀତ ଗଞ୍ଜାମ, ଢେଙ୍କାନାଳରେ ମଧ୍ୟ ବଜ୍ରପାତରେ ଅନେକ ଲୋକ ପ୍ରାଣ ହରାଉଛନ୍ତି।

ସେହିଭଳି ୨୦୨୧ ମସିହାର ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟକୁ ବିଶ୍ବାସ କଲେ ଦେଖାଯାଏ ଯେ ଦେଶର ଅନ୍ୟ ସବୁ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ବଜ୍ରପାତ ଜନିତ ମୃତ୍ୟୁରେ ଯଥେଷ୍ଟ ଆଗରେ ରହିଛି। ଓଡ଼ିଶାର ଢେର୍ ପଛରେ ମଧ୍ୟପ୍ରଦେଶ, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଆଦି ରାଜ୍ୟ ଅଛନ୍ତି।
ସେହିପରି ୭୨ ଜଣଙ୍କର ମୃତ୍ୟୁ ବୋଟ୍ ବା ଡଙ୍ଗା ବୁଡ଼ି ଜନିତ। ତା’ ଠାରୁ ଆହୁରି ସାଂଘାତିକ ଘଟଣାଟି ହେଲା, ୭୧୭୯ ଜଣ (ପାଖାପାଖି ୭ବର୍ଷରେ)ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି।

ନିକଟରେ ରାଜ୍ୟ ସରକାର ବିପର୍ଯ୍ୟୟ ମୁକାବିଲାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ହେଲେ ଏକଥା ନିଃସନ୍ଦେହରେ ଯେ କେହି କହିବ ଯେ ବାତ୍ୟା ପୂର୍ବରୁ ଲୋକଙ୍କୁ ଉଦ୍ଧାର କ୍ଷେତ୍ରରେ ରାଜ୍ୟ ସରକାର ଯେତିକି ଯତ୍ନଶୀଳ, ବାତ୍ୟା ବା ଉପକୂଳ ଅଞ୍ଚଳର ପ୍ରତି ଘରକୁ ବାତ୍ୟା ନିରୋଧୀ କରିବାରେ ସେତିକି ବିଫଳ। ଏଣୁ ଲକ୍ଷ ଲକ୍ଷ ଲୋକଙ୍କୁ ଉଦ୍ଧାର କରିବା ଓ କଚ୍ଚା ଘରୁ ପକ୍କା ଘରକୁ ଆଣିବା ସରକାରଙ୍କ ପ୍ରମୁଖ କାର୍ଯ୍ୟ ପାଲଟିଛି। ହେଲେ ସରକାର ଯୋଗାଉଥିବା ଆବାସ ଯୋଜନାରେ ଘର ପକ୍କା। ଏସବୁ ତେବେ କେଉଁଠି ହୋଇଛି?

କେବଳ ସେତିକି ନୁହେଁ, ଉଦ୍ଧାର କାର୍ଯ୍ୟ ଆଦିରେ ଏସ୍‌ଡିଆରଏଫ୍‌ ବେଶୀ କୁଶ​ଳୀ। ହେଲେ ସବୁ ଜିଲ୍ଲାପାଳଙ୍କ ନିକଟରେ ଏଭଳି ଵିଙ୍ଗ୍ ନାହିଁ। କୌଣସି େଗାଟିଏ ଅଘଟଣ ଘଟିଲେ, ଖବର ପାଇ ଏମାନେ ଗଲାବେଳକୁ ସ୍ଥିତି ଗମ୍ଭୀର ହୋଇସାରିଥାଏ। ଅଗ୍ନି ନିର୍ବାପନ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ପ୍ରସ୍ତୁତି ଆହୁରି ତାଗଡ଼ା କରାଯିବାର ଆବଶ୍ୟକତା ରହଥିବା ବିଶେଷଜ୍ଞମାନେ ମତ ରଖନ୍ତି। ରାଜଧାନୀ ସମେତ ରାଜ୍ୟର କୋଣ ଅନୁକୋଣରେ ଗଢ଼ି ଉଠିଥିବା ଆପାର୍ଟମେଣ୍ଟ ଓ ବହୁତଳ ବିଶିଷ୍ଟ ହସ୍ପିଟାଲଗୁଡ଼ିକ ଏ କ୍ଷେତ୍ରରେ ସମ୍ବେଦନଶୀଳ।

publive-image Deccan Herald

ବଡ଼ବଡ଼ିଆଙ୍କ ଅଫିସ ବିପର୍ଯ୍ୟୟ ନିରୋଧୀ ତ?
ଅକ୍ଟୋବର ୨୯ ତାରିଖ ଦିନ ମହାବାତ୍ୟା ବର୍ଷପୂର୍ତ୍ତି ଉତ୍ସବରେ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ପାଣିରେ ବୁଡ଼ିବା, ସାପ କାମୁଡା, ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ଆଦି କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି। ହେେଲ ଏସବୁ ଏବେ ବି ପ୍ରସ୍ତୁତିରେ ରହିଛି।

ବିପର୍ଯ୍ୟୟ ସଂକ୍ରାନ୍ତରେ ଅନୁଧ୍ୟାନ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଂପ୍ରତି ଅଧିକାଂଶ ଘର ଛାତ ହୋଇଥିବା କାରଣରୁ ପୂର୍ବଭଳି ଅଗ୍ନିକାଣ୍ଡ ହେଉନାହିଁ। ମାତ୍ର ବିଦ୍ୟୁତ୍ ସଟ୍ ସର୍କିଟ୍, ଗ୍ୟାସ ଲିକ୍ ଆଦି ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ବେଙ୍ଗାଲୁରର ଏକ ସଂସ୍ଥା ସହିତ ମିଶି ଓଡ଼ିଶା ସରକାର ଏ ଦିଗରେ କାମ ଆରମ୍ଭ କରିଛନ୍ତି। ଭୁବନେଶ୍ବର ଓ କଟକରେ ପାଇଲଟ୍‌ ଭିତ୍ତିରେ ପ୍ରକଳ୍ପ ଆରମ୍ଭ ହେବ। ସଫଳତା ମିଳିଲେ ସମଗ୍ର ରାଜ୍ୟରେ ଏହି ଫର୍ମୁଲା ପ୍ରୟୋଗ କରାଯିବ। ଦ୍ବିତୀୟଟି ହେଉଛି ସାପକାମୁଡ଼ା। ହସ୍ପିଟାଲ ପର୍ଯ୍ୟନ୍ତ ସାପ କାମୁଡ଼ିଥିବା ବ୍ୟକ୍ତିକୁ କିଭଳି ଅଣାଯାଇପାରିବ, ଅଙ୍ଗନବାଡି ପର୍ଯ୍ୟନ୍ତ ସାପ କାମୁଡା ଇଞ୍ଜେକସନ୍ ଉପଲବ୍ଧ ହେବ, ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କର ଜଣେ ଆଇଏଫ୍‌ଏସ୍ ଅଫିସର, କେରଳ ଓ ଆସାମର କିଛି ସଂସ୍ଥାଙ୍କ ସହିତ ମିଶି ଏସଆରସି ରାସ୍ତା କାଢ଼ୁଛନ୍ତି। ପାଣିରେ ବୁଡ଼ିବା କ୍ଷେତ୍ରରେ ଭିଏତ୍‌ନାମ ମଡ଼େଲକୁ ଅନୁଶୀଳନ କରାଯାଉଛି।

ଅନ୍ୟପକ୍ଷରେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏ ବିପର୍ଯ୍ୟୟ ମୁକାବିଲା ପାଠ ପଢାଯିବା ପରେ ସ୍ଥିତିରେ ଧୀରେ ଧୀରେ ଉନ୍ନତି ଘଟିବ। ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ପୂର୍ବାପେକ୍ଷା କମିଥିବା ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ଦାବି କରିଛି।

ହେଲେ ଯେଉଁ ପ୍ରଶ୍ନଟି ଏସବୁଠୁ ବେଶୀ ଆନ୍ଦୋଳିତ କରେ, ତାହା େହଉଛି-ଲୋକସେବା ଭବନ, ଖାରବେଳ ଭବନ, ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିଜ କାର୍ଯ୍ୟାଳୟ ଥିବା ରାଜୀବ ଭବନ କିମ୍ବା ନିର୍ଦେଶକମାନେ ବସୁଥିବା ନଅ ମହଲା କୋଠା ବିପର୍ଯ୍ୟୟ ନିରୋଧୀ ତ? ଅଗ୍ନିକାଣ୍ଡ ଦୃଷ୍ଟିରୁ ଏସବୁ ସୁରକ୍ଷିତ ତ? ବିପର୍ଯ୍ୟୟ ସମୟରେ ଏହି କାର୍ଯ୍ୟାଳୟଗୁଡ଼ିକ ଅବଶିଷ୍ଟ ଓଡ଼ିଶାକୁ ସେବା ଯେଗାଇବା ପାଇଁ ସକ୍ଷମ ଅଟେ ତ? ଏଇଠୁ ବିପର୍ଯ୍ୟୟ ମୁକାବିଲା ଦିଗରେ ସରକାରଙ୍କ ଆନ୍ତରିକତାର ପରୀକ୍ଷା େହବା ଉଚିତ୍।