ଭୁବନେଶ୍ବର: ଉତ୍ତର ବଙ୍ଗେପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଘନୀଭୂତ ହୋଇ ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୩ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୧୩୦ ମିମିରୁ ଅଧିକ ବର୍ଷି ଥିବାବେଳେ ସୁବର୍ଣ୍ଣପୁରରେ ୧୦୫.୨ ମିମି, ସୁନ୍ଦରଗଡ଼ରେ ୧୦୩.୬ ମିମି, ମାଲକାନଗିରିରେ ୧୦୩.୪ ମିମି, ଝାରସୁଗୁଡ଼ାରେ ୭୫.୪ ମିମି ଓ କେନ୍ଦୁଝରରେ ୫୬.୪ ମିମି ଲେଖାଏଁ ବର୍ଷା ହୋଇଯାଇଛି। ଅଳ୍ପ ସମୟରେ ଏତେ ପରିମାଣର ବର୍ଷା ଯୋଗୁଁ ଜଳ ନିଷ୍କାସନରେ ସମସ୍ୟା ଉପୁଜିବା ସହ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଛି। ତେବେ ନଦୀଗୁଡ଼ିକ ବିପଦ ସଙ୍କେତ ତଳେ ରହିଥିବା ବେଳେ ଆସନ୍ତାକାଲି ବି ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ କହିଛି ଜଳସମ୍ପଦ ବିଭାଗ।
Advertisment
ସତର୍କ କରାଇଲା ଜଳସମ୍ପଦ ବିଭାଗ
୪୩ ବ୍ଲକ୍‌ରେ ୫୦ ମିମିରୁ ଅଧିକ ବର୍ଷା
୨୯ ଯାଏଁ ଲାଗିରହିବ
ପ୍ରବଳ ବର୍ଷା ଫଳରେ ଆଜିଠାରୁ ନଦୀଗର୍ଭ ଫୁଲିବ। ତଳିଆ ଅଞ୍ଚଳରେ ପାଣି ଜମିବା ନେଇ ସତର୍କ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ। ଗତକାଲିଠାରୁ ଆଜି ଭିତରେ ୧୫ ଜିଲ୍ଲାର ୪୩ ବ୍ଲକ୍‌ରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ତେବେ ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଥିବା ସେ ସୂଚନା ଦେଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉପକୂଳ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳକୁ ଅତିକ୍ରମ କରିଛି। ଏହା ଆଜି ସକାଳ ସାଢ଼େ ୮ଟାରେ ଉପକୂଳ ପଶ୍ଚିମବଙ୍ଗ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ୨୯ ତାରିଖ ଯାଏଁ ଏହାର ପ୍ରଭାବରେ ବର୍ଷା ‌ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ରାଜ୍ୟରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ବରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଆଦି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପବନ ସହ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ଉପକୂଳ ଜିଲ୍ଲା ସମେତ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ବଙ୍ଗୋପସାଗର, ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି।