ଖୋର୍ଦ୍ଧା: ୧୯୯୯ ଅକ୍ଟୋବର ୨୯ ତାରିଖରେ ରାଜ୍ୟରେ ‘ମହାବାତ୍ୟା’ ହୋଇଥିଲା। ସେହି ସମୟରେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ସରକାରଙ୍କ ନିକଟରେ ଆବଶ୍ୟକ ସାଧନ ନଥିଲା। ଲୋକଙ୍କୁ ଆଗୁଆ ସୂଚନା ମିଳିପାରିନଥିଲା। ବର୍ତମାନ ସମୟ ବଦଳିଛି, ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ସହ ଏହାକୁ ସାମ୍ନା କରିବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିକ ଆଜି ପ୍ରସ୍ତୁତ। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରେ ବରିଷ୍ଠ ପ୍ରାଶାସନିକ ଅଧିକାରୀ ଓ ଅତିଥିମାନେ ଏଭଳି ମତ ଦେଇଛନ୍ତି।

Advertisment

ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀ ବୈଠକର ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲାପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନସିଂହ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ବାଗତ ଭାଷଣ ସହ ୧୯୯୯ ମହାବାତ୍ୟାର ସ୍ମୃତିଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ , ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡ ବାଦଲ କୁମାର ମହାନ୍ତି, ଉପଜିଲ୍ଲାପାଳ (ଭୁବନେଶ୍ବର) ଚିନ୍ମୟ କୁମାର ଆଚାର୍ଯ୍ୟ, ଉପଜିଲ୍ଲାପାଳ (ଖୋର୍ଦ୍ଧା) ଦୀପ୍ତି ରଞ୍ଜନ ସେଠୀ, କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁରାଧା ମହାନ୍ତି, ସହକାରୀ ଜିଲ୍ଲାମଙ୍ଗଳ ଅଧିକାରୀ ସୌଦାମିନୀ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଆର୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବାନଥ ତରାଇ, ଜିଲ୍ଲା ସୂଚନା ଅଧିକାରୀ ଜ୍ୟୋତ୍ସ୍ନାମୟୀ ଅଧିକାରୀ ପ୍ରମୁଖଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଯୋଗ ଦେଇଥିଲେ। ଏହି ଅବସରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏକଯୁଟ ହୋଇ ବିପର୍ଯ୍ୟୟ ପରିଚାଳନା କରିବା ଓ ଧନଜୀବନର ସୁରକ୍ଷା କରିବା ନିମନ୍ତେ ତତ୍ପର ହେବାକୁ ସ‌ମସ୍ତେ ଶପଥ ନେଇଥିଲେ।

ବୈଠକ ପୂର୍ବରୁ ସକାଳ ୮ଟାରେ ବିପର୍ଯ୍ୟୟ ପରିଚାଳନା ନେଇ ସ୍କାଉଟ୍‌-ଗାଇଡ୍‌, ଏନ୍‌ସିସି ଛାତ୍ରଛାତ୍ରୀଙ୍କ ଏକ ଶୋଭାଯାତ୍ରା ହୋଇଥିଲା। ଏହି ଶୋଭାଯାତ୍ରା ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଳାପାଳ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା। ସେଠାରେ ବିପର୍ଯ୍ୟୟ ସମୟରେ କିଭଳି ଲୋକଙ୍କୁ ଉଦ୍ଧାର କରାଯିବ, ଧନଜୀବନ ସହ ନିଜ ଜୀବନର କିଭଳି ସୁରକ୍ଷା କରାଯିବ ସେନେଇ ଏକ ମକ୍‌ଡ୍ରିଲ୍‌ ହୋଇଥିଲା।