ରାଜ୍ୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ମାମଲା: କ୍ରାକ୍ ଟିମ୍ ଅଚାନକ ପରିଦର୍ଶନ କରୁଛି

କଟକ : ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଓ ଡ୍ୟୁଟି ସମୟରେ ଡାକ୍ତରମାନେ ଘରୋଇ ଚିକିତ୍ସା କରୁଥିବା ଅଭିଯୋଗ ନେଇ ଦାୟର ମାମଲା‌ର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କ୍ରାକ୍ ଟିମ୍ ଗଠନ କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ବରେ ଗଠିତ କ୍ରାକ ଟିମ୍ ରାଜ୍ୟର ବିଭିନ୍ନ ସିଏଚସି, ପିଏଚସି ସହିତ ଅନ୍ୟ ସରକାରୀ ଡାକ୍ତରଖାନା ଅଚାନକ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ପ୍ରକ୍ରିୟା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ଆଜି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହା ପରେ ରାଜ୍ୟର ସରକାରୀ ଡାକ୍ତରଖାନା ଗୁଡିକର ବାସ୍ତବ ସ୍ଥିତି ସଂକ୍ରାନ୍ତରେ ହାଇକୋର୍ଟରେ ବିସ୍ତୃତ ତଥ୍ୟ ଦାଖଲ କରାଯିବ। ଏଭଳି ସ୍ଥିତିରେ ହାଇକୋର୍ଟ ଆଜି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୧କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ପୂର୍ବରୁ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲାର ଜିଲ୍ଲା ଆଇନସେବା ପ୍ରାଧିକରଣ (ଡିଏଲଏସଏ) ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଥିଲା। ଡିଏଲଏସଏ ପକ୍ଷରୁ ଗଠିତ ଟିମ୍ ବିଭିନ୍ନ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ), ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ଗସ୍ତ କରିଥିଲା। ଡିଏଲଏସଏ ପକ୍ଷରୁ ଗଠିତ ଟିମ୍ ଦେଇଥିବା ରିପୋର୍ଟରେ ଡାକ୍ତରଖାନା ଗୁଡିକରେ ରହିଥିବା ଅବ୍ୟବସ୍ଥା ତୁରନ୍ତ ଦୂର ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଥିଲେ। ଡାକ୍ତରଖାନା ଗୁଡିକୁ ରାଜ୍ୟ ସରକାରଙ୍କ କ୍ରାକ ଟିମ୍ ଅଚାନକ ଗସ୍ତ କରି ବାସ୍ତବ ସ୍ଥିତି ନେଇ ଅବଗତ ହେବାକୁ ହାଇକୋର୍ଟ ୨୦୨୨, ମେ ୨୧ରେ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର