ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକ: ସୁନାମୀ ମୁକାବିଲା ପାଇଁ ପ୍ରସ୍ତୁତ ହେବେ ୩୨୬ ଗାଁ

ସହରାଞ୍ଚଳ ବନ୍ୟାର ମୁକାବିଲା ପାଇଁ ଓଡ୍ରାଫ୍‌ର ସ୍ବତନ୍ତ୍ର ୟୁନିଟ୍‌
ବିପର୍ଯ୍ୟୟ ମୁକାବିଲାର ତାଲିମ ଓ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାର ନୋଳିଆ ସାହି ଓ ଗଞ୍ଜାମ ଜିଲ୍ଲାର ଭେଙ୍କଟରାୟପୁର ଭାରତ ମହାସାଗର ଅଞ୍ଚଳର ପ୍ରଥମ ଦୁଇଟି ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ୟୁନେସ୍କୋର ଆନ୍ତର୍ଜାତିକ ସାମୁଦ୍ରିକ କମିସନ୍‌ଙ୍କ ସ୍ବୀକୃତି ଓ ପ୍ରଶଂସା ପାଇଛନ୍ତି। ଏହି ଅଭିଜ୍ଞତାକୁ ଭିତ୍ତି କରି ଓଡ଼ିଶା ଉପକୂଳରେ ଆଉ ୩୨୬ଟି ଗ୍ରାମକୁ ସୁନାମୀ ମୁକାବିଲା ନିମନ୍ତେ ପ୍ରସ୍ତୁତ କରାଯିବ। ଶୁକ୍ରବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ଏହାର କାର୍ଯ୍ୟାନ୍ବୟନ ପାଇଁ ୭.୧୭ କୋଟି ଟଙ୍କାକୁ ପରିଷଦ ମଞ୍ଜୁର ଦେଇଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ସହରାଞ୍ଚଳରେ ଅଧିକ ବୃଷ୍ଟିପାତ ଜନିତ ବନ୍ୟା ସ୍ଥିତିର ପରିଚାଳନା ନିମନ୍ତେ ଓଡ୍ରାଫ୍‌ର ସ୍ବତନ୍ତ୍ର ୟୁନିଟ୍‌ ଆରମ୍ଭ କରାଯିବ। ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନି ବିପତ୍ତି ଓ ଅନ୍ୟାନ୍ୟ ଆପାଦକାଳୀନ ସ୍ଥିତିର ମୁକାବିଲା ନିମନ୍ତେ ଅଗ୍ନିଶମ ସେବା ସଂସ୍ଥାକୁ ସ୍ବତନ୍ତ୍ର ତାଲିମ ଓ ଆଧୁନିକ ଯନ୍ତ୍ରପାତି ସହ ଅଧିକ ଦକ୍ଷ କରାଯିବ। ପ୍ରାକୃତିକ ବିପର୍ଯ୍ୟୟକୁ ଆଗୁଆ ସୈନିକ ଭାବେ ମୁକାବିଲା କରୁଥିବା ‌ସ୍ବେଚ୍ଛାସେବୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଓ ଓଡ୍ରାଫ୍‌ ୟୁନିଟ୍‌ର ସଦସ୍ୟମାନଙ୍କ ଦକ୍ଷତା ଅଭିବୃଦ୍ଧି ନିମନ୍ତେ ସ୍ବତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏହି ତାଲିମ ପାଇଁ ୧୯ କୋଟି ୫୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ଅନୁ ମୋଦନ ମିଳିଛି।

ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ, ରାଜ୍ୟରେ ୮୧୪ ଟି ବହୁମୁଖୀ ବନ୍ୟାବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟ କରୁଛି । ପ୍ରତି ଆଶ୍ରୟସ୍ଥଳୀରେ ୫୦ ସ୍ବେଚ୍ଛାସେବୀ ଓ ୨୫ ଜଣ ପରିଚାଳନା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଛନ୍ତି । ନିଜ ନିଜ ଅଞ୍ଚଳରେ ସେମାନେ ଆପଦକାଳୀନ ସହାୟକ ଭାବେ ସେବା ଯୋଗାଉଛନ୍ତି। ଏହିସବୁ ଆଶ୍ରୟସ୍ଥଳୀର ପ୍ରାୟ ୬୧ ହଜାର ୬୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ତାଲିମ ଦିଆଯିବ। ମୁଖ୍ୟତଃ ସର୍ଚ୍ଚ ଅପରେସନ ଓ ଉଦ୍ଧାର, ପ୍ରାଥମିକ ଚିକିତ୍ସା, ଆଶ୍ରୟସ୍ଥଳୀ ପରିଚାଳନା, ବିପଦଗ୍ରସ୍ତ ଲୋକଙ୍କୁ ଆଶ୍ବାସନା, ଯନ୍ତ୍ରପାତି ରକ୍ଷଣାବେକ୍ଷଣ ଓ ଆଶ୍ରୟସ୍ଥଳୀର ରେକର୍ଡପତ୍ର ପ୍ରସ୍ତୁତ ଆଦି ବିଷୟରେ ଏମାନେ ପ୍ରଶିକ୍ଷଣ ପାଇବେ। ରାଜ୍ୟରେ ଥିବା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରାୟ ୬୧ ଲକ୍ଷ ସଦସ୍ୟମାନଙ୍କୁ ମିସନ ଶକ୍ତି ବିଭାଗ ମାଧ୍ୟମରେ ପର୍ଯ୍ୟାୟ କ୍ରମେ ତାଲିମ ଦେବା ପାଇଁ ସ୍ଥିର ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରତି ଗୋଷ୍ଠୀରୁ ସଭାପତି, ସଂପାଦକ ଓ କୋଷଧ୍ୟକ୍ଷ ଆଦି ତିନିଜଣ ହିସାବରେ ପ୍ରାୟ ୩ ଲକ୍ଷ ସଦସ୍ୟଙ୍କୁ ତାଲିମ ଦିଆଯିବ। ସେହିପରି ରାଜ୍ୟର ପ୍ରାୟ ୧୫,୦୦୦ ପଞ୍ଚାୟତିରାଜ ବ୍ୟବସ୍ଥାର ପ୍ରତିନିଧିମାନଙ୍କୁ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ମାଧ୍ୟମରେ ପର୍ଯ୍ୟାୟକ୍ରମେ ତାଲିମ ଦିଆଯିବ। ବହୁମୁଖୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଓଡ୍ରାଫ୍ ଓ ଅଗ୍ନିଶମ ସେବା ୟୁନିଟ୍‌ମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ଦୁଇ ପ୍ରକାର ତାଲିମ କାର୍ଯ୍ୟକ୍ରମ ହେବ। ପ୍ରଥମଟି ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ମାଧ୍ୟମରେ ହେବ ଏବଂ ଦ୍ବିତୀୟଟି ଅନ୍ୟ ରାଜ୍ୟ ଓ ସଂସ୍ଥାମାନଙ୍କ ସହ ମିଳିତ ଭାବେ ଆୟୋଜିତ ହେବ।

ପରିବର୍ତ୍ତିତ ବୃଷ୍ଟିପାତ ଧରାରା, ଭୂ-ତାପମାତ୍ରା ଓ ପାଣିପାଗ ସ୍ଥିତିରେ ସହରୀ ବନ୍ୟା ଓ ସୁଉଚ୍ଚ ଅଟ୍ଟାଳିକାରେ ଅଗ୍ନି ଓ ଅନ୍ୟାନ୍ୟ ବିପତ୍ତି ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାର ଆଗକୁଆ ସୈନିକମାନଙ୍କ ଦକ୍ଷତା ବୃଦ୍ଧି ଓ ଆଧୁନିକ ଯନ୍ତ୍ରପାତି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ପୁଲିସ୍‌ ମହା ନିର୍ଦ୍ଦେଶକ ଅଭୟ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅଗ୍ନିଶ୍ରମ ସେବା ସଂସ୍ଥା ଡିଜି ଏମ୍. ଅକ୍ଷୟଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର