ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ ଭିତ୍ତିଭୂମି କର୍ମଶାଳା: ସଞ୍ଚାରଣ ଓ ବିତରଣ ଭିତ୍ତଭୂମି ଆଧାରିତ ରି‌ପୋର୍ଟ ଉନ୍ମୋଚିତ

ଭୁବନେଶ୍ବର: ୧୯୯୯ ମହାବାତ୍ୟାରୁ ଶିକ୍ଷା ଲାଭ କରି ଓଡିଶା ବିଦ୍ୟୁତ ଭିତ୍ତିଭୂମିକୁ ସୁଦୃଢ କରିଛି। ଏହିୀ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ଉଦ୍ୟମ ଅବ୍ୟାହତ ରହିଛି। ଏଥିପାଇଁ ବଜେଟରେ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଉଛି। ବାତ୍ୟା ଓ ଅନ୍ୟ ବିପର୍ଯ୍ୟୟରେ ଆଦୌ କ୍ଷତିଗ୍ରସ୍ତ ନହେବା ବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ଉପରେ ସରକାରଙ୍କର ପ୍ରାଥମିକତା ରହିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା।

ବୁଧବାର ମେଫେୟାର ଲାଗୁନରେ ‘ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି’ କର୍ମଶାଳାକୁ ଉଦ୍‌ଘାଟନ କରିବା ଅବସରରେ ସବୁ ଭିତ୍ତିଭୂମି ବିପର୍ଯ୍ୟୟ ପ୍ରତିରୋଧୀ ହେବା ଉପରେ ସେ ଗୁରୁତ୍ବ ଦେଇଛନ୍ତି। ରାଜ୍ୟ ସରକାର, କେନ୍ଦ୍ର ଶକ୍ତି ମନ୍ତ୍ରାଳୟ, ଓସଡ୍‌ମା, ଗ୍ରିଡ୍‌‌କୋ ଓ କୋଆଲିସନ ଫର୍ ଡିଜାଷ୍ଟର୍‌ ରେଜିଲିଏଣ୍ଟ (ସିଡିଆର୍‌ଆଇ)ର ମିଳିତ ଉଦ୍ୟମରେ ଅନୁଷ୍ଠିତ କର୍ମଶାଳାରେ ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ରିପୋର୍ଟ ଉନ୍ମୋଚିତ ହୋଇଥିଲା।

ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କେବଳ ଗୋଟିଏ ବିଭାଗରେ ସୀମିତ ନ ରହି ସମସ୍ତ ବିଭାଗ ନୀତିରେ ସ୍ଥାନ ପାଇବା ଜରୁରୀ ବୋଲି କହିଥିଲେ। ଅର୍ଥ ତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଜଳବାୟୁ ପରିବର୍ତ୍ତନ ଯୋଗୁ ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ଥ‌ିବାରୁ ଏଭଳି ଭିତ୍ତିଭୂମି ନିର୍ମାଣର ଗୁରୁତ୍ବ ଥିବା କହିଥିଲେ। କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଶଶାଙ୍କ ଶେଖର ମିଶ୍ର ରିପୋର୍ଟ ପ୍ରସ୍ତୁତ କରିଥିବା ସିଡିଆରଆଇକୁ ପ୍ରଶଂସା କରିଥିଲେ। ଏନ୍‌ଡିଏମଏର ସଦସ୍ୟ ଡ. କ୍ରିଷ୍ଣା ଏସ୍ ବସା, ସିଡିଆର୍‌ଆଇ ମହା ନିର୍ଦ୍ଦେଶକ ଅମିତ ପୁରୋହିତ ଏହି ରିପୋର୍ଟ ଉପକୂଳ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉପାଦେୟ ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର