ବନ୍ତ: ଜନସାଧାରଣଙ୍କୁ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ପ୍ରତି ବ୍ଲକ୍ ସଦରମହକୁମାରେ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ କେତେକ ସ୍ଥାନରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିଛନ୍ତି। ଭଦ୍ରକ ଜିଲ୍ଲାର ବନ୍ତ ପରି ଏକ ଗୁରୁତ୍ବପୂର୍ଣ୍ଣ ବ୍ଲକ୍ ସଦରମହକୁମାରେ ସ୍ବାଧୀନତାର ୭୫ବର୍ଷ ପରେ ବି ପ୍ରଶାସନିକ ଓ ରାଜନୈତିକ ଅଣଦେଖା ଯୋଗୁଁ ଏବେବି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ ହୋଇପାରିନାହିଁ। ଏପରିକି ଏଠାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରଶାସନ ପକ୍ଷରୁ ନିଯୁକ୍ତି କରାଯାଇଥିବା ୩ଜଣିଆ ଡାକ୍ତରୀ ଦଳ ଏବେ ପ୍ରହସନରେ ପରିଣତ ହୋଇଛି। ପ୍ରାୟ ୬ ଦଶନ୍ଧି ପୂର୍ବରୁ ଏଠାରେ ପ୍ରତିଷ୍ଠା ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବନ୍ତବାସୀଙ୍କୁ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରିବାକୁ ପଡୁଛି।

Advertisment

ବ୍ଲକ୍ ସଦରମହକୁମାରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ସ୍କୁଲ୍, କଲେଜ, ବିଭିନ୍ନ ବ୍ୟାଙ୍କ କାର୍ଯ୍ୟ କରୁଛି। ସେହିପରି ପ‌ଡୋଶୀ ହାଟଡିହି ବ୍ଲକ୍‌ର ପ୍ରାୟ ୭/୮ଟି ପଞ୍ଚାୟତର ଲୋକମାନେ ଦୈନଦିନ ବନ୍ତ ବଜାର ଉପରେ ନିର୍ଭର କରୁଥିବାରୁ ବନ୍ତ ବଜାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ। ମାତ୍ର ବନ୍ତବାସୀଙ୍କୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୨୫ କିମି ଦୂର ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଫଳରେ ବହୁ ଗୁରୁତ୍ବପୂର୍ଣ୍ଣ ରୋଗୀ ଉପଯୁକ୍ତ ସମୟରେ ଚିକିତ୍ସା ନ ପାଇ ପ୍ରାଣ ହରାଇଥାନ୍ତି। ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଛାତ୍ର ସଂଗଠନ, ବିଭିନ୍ନ ରାଜନୈତିକ ଦଳ, ସ୍ଥାନୀୟ ବ୍ୟବସାୟୀ ଆନ୍ଦୋଳନ କରିଥିଲା ବେଳେ ବିଭାଗୀୟ ପଦସ୍ଥ ଅଧିକାରୀମାନଙ୍କ ପ୍ରତିଶ୍ରୁତି ପାଇ ଆନ୍ଦୋଳନ ପ୍ରତ୍ୟାହାର କରିଥାନ୍ତି। ମାତ୍ର ପ୍ରଶାସନ ପ୍ରତିଶ୍ରୁତି ରଖେନାହିଁ। ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏବେବି ପରିବର୍ତ୍ତନ ହୋଇପାରିନାହିଁ। ଫଳରେ ରୋଗୀଙ୍କ ଭାଗ୍ୟ ଜଣେ ଆୟୁଷ ଡାକ୍ତରଙ୍କ ଉପରେ ନିର୍ଭର କରିଥାଏ। ଏଠାରେ ସରକାରୀ

ଆମ୍ବୁଲାନ୍ସ ସେବା ଠପ୍ ହୋଇଯିବା ଯୋଗୁଁ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରିଥାନ୍ତି। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ନ ଥିବାରୁ ଷ୍ଟାଫନର୍ସମାନେ ପ୍ରସୂତି କାର୍ଯ୍ୟ ସମ୍ପାଦନ କରିଥାନ୍ତି। କୌଣସି ପ୍ରକାରେ ଏଠାରେ ରୋଗୀ ସେବା ଚାଲିଥିବା ବେଳେ ଡାକ୍ତରଙ୍କ ଅଭାବରୁ ସନ୍ଧ୍ୟା ହେଲେ ବନ୍ତ ମେଡିକାଲ୍‌ରେ ତାଲା ପଡିଥାଏ। ମେଡିକାଲକୁ ଆସୁଥିବା ରୋଗୀମାନେ ଚିକିତ୍ସାସେବା ପାଇନପାରି ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍ବାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନଙ୍କ ସହ ନିର୍ବାଚିତ ଜନପ୍ରତିନିଧିମାନେ ଏଥିପ୍ରତି ଅଣଦେଖା କରୁଥିବା ଯୋଗୁଁ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ପ୍ରଶାସନ ତୁରନ୍ତ ଏଠାରେ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ଦାବି ହେଉଛି।