ଭୁବନେଶ୍ବର: ରତ୍ନଭଣ୍ଡାର କେବେ ଖୋଲିବ, ଏହାର ତାରିଖକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ଏହି ପ୍ରସଙ୍ଗ ଭିନ୍ନ ମୋଡ଼ ନେଇଛି। ବିଜେଡି ସରକାର ସମୟରେ ଜଷ୍ଟିସ୍ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଅଳଙ୍କାର ଗଣତି ତଦାରଖ କମିଟିକୁ ସରକାର ଭାଙ୍ଗି ଦେଇଛନ୍ତି। ଏହାବଦଳରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି। ଏଥିରେ ବିଭିନ୍ନ ବର୍ଗରୁ ୧୬ ଜଣ ସଦସ୍ୟ ରହିଛନ୍ତି। ଆଜି ରାତିରେ ସରକାରଙ୍କର ଏହି ଅତର୍କିତ ନିଷ୍ପତ୍ତି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ ଯେ ଜଷ୍ଟିସ ପଶାୟତ ରତ୍ନଭଣ୍ଡାର ଖୋଲିବା ନେଇ ହେବାକୁ ଥିବା ବୈଠକରେ ଯୋଗଦେବାକୁ ଆଜି ଓଡ଼ିଶାରେ ଆସି ପହଞ୍ଚିଛନ୍ତି। ଆସନ୍ତାକାଲି ସେ ପୁରୀ ଯାଇ ବୈଠକ କରିବାର ଥିଲା। କିନ୍ତୁ ତାହା ପୂର୍ବରୁ ସରକାର ଉକ୍ତ କମିଟିକୁ ଭାଙ୍ଗି ଦେଇଛନ୍ତି।
ଆଜି ରାତିରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାର କେବେ ଖୋଲିବ, କେଉଁ ପ୍ରକିୟାରେ ରତ୍ନ ଗଣତି ହେବ, କ’ଣ ମୋଡାଲିଟିଜ୍ ରହିବ, କିଏ କିଏ ରତ୍ନଭଣ୍ଡାର ଭିତରକୁ ଯିବେ ସେନେଇ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାର ଏହି କମିଟି ଗଠନ କରିଛନ୍ତି। ଆସନ୍ତା ୬ତାରିଖରେ କମିଟିର ପ୍ରଥମ ବୈଠକ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନିଷ୍ପତ୍ତି ହୋଇଛି ଯେ ଖୁବ୍ଶୀଘ୍ର ରତ୍ନଭଣ୍ଡାର ଖୋଲିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରତ୍ନଭଣ୍ଡାର ଖୋଲାଯିବ ଏବଂ ଗଣତି ମଣତି କରାଯିବ। ଦୀର୍ଘ ୪୫ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ଏକ ଦକ୍ଷତାସଂପନ୍ନ କମିଟିର ନିରୀକ୍ଷଣରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହି ଆଧାରରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରାଯାଇଛି। ପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ନଥିବାବେଳେ କେଉଁ ଦିନ ରତ୍ନ ଭଣ୍ଡାର ଖୋଲାଯିବ, ଭିତର ରତ୍ନଭଣ୍ଡାର ମରାମତି ହେବ ଏବଂ ଗଣତି ମଣତି କାର୍ଯ୍ୟ କିପରି ଆରମ୍ଭ ହେବ ସେ ବାବଦରେ କମିଟି ୬ତାରିଖରେ ବସିକି ନିଷ୍ପତ୍ତି ନେବେ। ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ବସିବାକୁ ଥିବା ବୈଠକ ପରେ ସେମାନେ ଜଣାଇବେ ଯେ ରତ୍ନ ଗଣତିରେ କେଉଁ ବାହ୍ୟ ସଂସ୍ଥାକୁ ସାମିଲ କରାଯିବ, ଅଳଙ୍କାରର ମାନ ପରୀକ୍ଷଣ ପାଇଁ କିଏ ନିୟୋଜିତ ହେବେ। ତେବେ ପୁରୁଣା କମିଟି କାହିଁକି ଭଙ୍ଗାଗଲା, ସେ ସମ୍ପର୍କରେ ମନ୍ତ୍ରୀ କିଛି କହି ନାହାନ୍ତି।
ମନ୍ତ୍ରୀଙ୍କ ସୂଚନା ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ତଦାରଖ ପାଇଁ ମାର୍ଚ୍ଚ ୨, ୨୦୨୪ରେ ଗଠନ ହୋଇଥିବା ଉଚ୍ଚସ୍ତରୀୟ କମିଟିକୁ ଭାଙ୍ଗି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟିର ପୁନଃଗଠନ କରାଯାଇଛି। ଏଥିରେ ଡା. ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍ ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସ୍ଆଇର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ ସଦସ୍ୟ ଅଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଏହାର ସଦସ୍ୟ ସଂଯୋଜକ ଅଛନ୍ତି।