ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତା

କଟକ : କିଛିଦିନ ତଳେ କୁନ୍ଦୁଲି ଦୁଷ୍କର୍ମ ପୀଡିତାଙ୍କ ରକ୍ତବାନ୍ତି ହେବାରୁ ତାଙ୍କୁ କୋରାପୁଟରୁ କଟକ ବଡ଼ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ତାଙ୍କୁ ମେଡିସନ୍‌ ବିଭାଗ ଆଇସିୟୁରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୋମବାର କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କୁ ଏସ୍‌ସିବିରୁ ଡିସ୍‌ଚାର୍ଜ କରି ଦିଆଯାଇଛି। ତେବେ ଡିସ୍‌ଚାର୍ଜ ସମୟରେ ମେଡିକାଲରେ ଉତ୍ତେଜନା ଦେଖା ଦେଇଥିଲା। କାରଣ ଗାଡ଼ିରେ ପୀଡ଼ିତାଙ୍କ ସହ କେବଳ ତାଙ୍କ ମା’ ବସି ପାରିବେ ବୋଲି ପୁଲିସ କହିଥିଲା। ହେଲେ ଡିସ୍‌ଚାର୍ଜ ବେଳେ ଝିଅ ସହିତ ଗାଡ଼ିରେ ଉଭୟ ତାଙ୍କ ମା’ ଓ ଖୁଡ଼ି ବସି ଯିବେ ବୋଲି ଅଡି ବସିଥିଲେ। ଶେଷରେ ଡାକ୍ତରଖାନାରୁ ପୀଡ଼ିତାଙ୍କୁ ତାଙ୍କ ମା’ ଓ ଖୁଡି ଗାଡ଼ିରେ ନେଇଯାଇଥିଲେ।

ସୂଚନାଯୋଗ୍ୟ, କୁନ୍ଦୁଲି ଦୁଷ୍କର୍ମ ପୀଡିତାଙ୍କ ମେଡିସିନ୍‌ କିମ୍ବା ସର୍ଜରିରେ କୌଣସି ଚିକିତ୍ସାର ଆବଶ୍ୟକତା ନଥିବାବେଳେ ସାଇକାଟ୍ରିକ୍‌ ଥେରାପି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ମାନସିକ ରୋଗ ଓ୍ଵାର୍ଡକୁ ଯିବାକୁ ପୀଡ଼ିତାଙ୍କ ମା’ ଅରାଜି ହେବାରୁ ମାନସିକ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନୀଳମାଧବ ରଥ ତାଙ୍କୁ ଓ୍ଵାର୍ଡକୁ ନେବାକୁ ମନା କରିଦେଇଥିଲେ। ତେଣୁ ଆଜି ମେଡିକାଲ୍‌ ବୋର୍ଡ ପୁଣି ଥରେ ବସିବା ପରେ ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା ବୋଲି ବୋର୍ଡର ଆବାହକ ଡାକ୍ତର ପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମେଡିକାଲରୁ ଝିଅକୁ ନେବା ପାଇଁ ପୀଡ଼ିତାଙ୍କ ମା’ ଧାରଣାରେ ବସିଥିଲେ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ତାଙ୍କୁ ସମର୍ଥନ ଦେଇଥିଲେ। ପରେ ସାଂସଦଙ୍କ ସହାୟତାରେ ପୀଡ଼ିତାଙ୍କ ମା’ ଝିଅକୁ ନେବା ପାଇଁ ମଙ୍ଗଳାବାଗ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଝିଅ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛି। କିନ୍ତୁ ଏଠାରେ ମନ୍ଦ ଉଦ୍ଦେଶ୍ୟ ରଖାଯାଇ ତାକୁ ମାନସିକ ଓ୍ଵାର୍ଡକୁ ପଠାଇବାକୁ ଚକ୍ରାନ୍ତ କରାଯାଉଥିବା ସେ ଅଭିଯୋଗ କରିଥିଲେ। ତଦନ୍ତକୁ ପ୍ରଭାବିତ କରିବା ପାଇଁ ଡିସିପିଓ ବାହାରେ ମିଛ ପ୍ରଚାର କରୁଛନ୍ତି। ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷ, ପୁଲିସ୍‌ ଓ ଡିସିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ମଧ୍ୟ ଦାବି କରିଥିଲେ।

ସମ୍ବନ୍ଧିତ ଖବର