କୋଭିଡ୍ ଡାକ୍ତରଖାନାରେ ରୋଗୀଙ୍କ ଡିସ୍କୋ ଡାନ୍ସ, ନିଲମ୍ବିତ ହେଲେ ନାଲକୋ କର୍ମଚାରୀ

ବଲିଉଡ୍‌ ଗୀତରେ ନାଚିଲେ ଏମ୍‌ସ୍‌ର କରୋନା ଯୋଦ୍ଧା, ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ

କୋରାପୁଟ : କୋଭିଡ୍ ଡାକ୍ତରଖାନାରେ ଡିସ୍କୋ ଡାନ୍ସ। ହିନ୍ଦୀଗୀତର ତାଳେ ତାଳେ ନାଚୁଛନ୍ତି ଦୁଇଜଣ ଆକ୍ରାନ୍ତ। ପୁଣି ଜଣଙ୍କ ମୁହଁରେ ମାସ୍କ ନାହିଁ। ଖାଲି ଏମାନେ ନାଚୁ ନାହାନ୍ତି, ନାଚିବାକୁ ଅନ୍ୟମାନଙ୍କୁ ମଧ୍ୟ ଉସୁକାଉଛନ୍ତି। ଏଭଳି ଏକ ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓ ଜୟପୁରର କୋଭିଡ୍ ଡାକ୍ତରଖାନାର ବୋଲି କୁହାଯାଉଛି। କୋରାପୁଟ ଜିଲ୍ଲା ସାରା ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଥିଲା ବେଳେ ଏହାକୁ ଗୁରୁତ୍ବର ସହ ନେଇଛି ପ୍ରଶାସନ। ଡିସ୍କୋ ନାଚି ଚର୍ଚ୍ଚିତ ହୋଇଥିବା ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ନାଲ୍‌କୋର କର୍ମଚାରୀ ବୋଲି ଜଣାପଡ଼ିବା ପରେ ନାଲ୍‌କୋ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଆଜି ଏନେଇ ନାଲକୋ ପକ୍ଷରୁ ନିର୍ଦ୍ଦେଶନାମା ଜାରି ‌ହୋଇଛି।

ଜୟପୁରଠାରେ କୋଭିଡ୍ ଡାକ୍ତରଖାନାରେ ଠିକଣା ସମୟରେ ଖାଇବା ପିଇବା ଓ ସେବା ମିଳୁ ନ ଥିବା ନେଇ ପୂର୍ବରୁ ଏକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଥିଲା। ଏବେ ଆଉ ଏକ ନୂଆ ଭିଡିଓ ମୋବାଇଲରୁ ମୋବାଇଲ ଘୂରି ବୁଲୁଛି। ଭିଡିଓରେ ଥିବା ଦୁଇ ଜଣ ଯାକ ସଂକ୍ରମିତ କୋରାପୁଟ ଜିଲ୍ଲାର। ଏଇ କିଛିଦିନ ତଳେ ସେମାନଙ୍କ କରୋନା ପଜିଟିଭ୍ ଆସିବା ପରେ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଭିଡିଓରେ କିନ୍ତୁ ସେମାନେ ରୋଗୀ ପରି ମନେ ହେଉ ନାହାନ୍ତି। ଆଇ ଆମ ଏ ଡିସ୍କୋ ଡ୍ୟାନ୍ସର…ଗୀତର ତାଳେ ତାଳେ ଦୁଇ ଜଣ ସଂକ୍ରମିତ ନାଚୁଛନ୍ତି। ମଝିରେ ମଝିରେ ଅନ୍ୟମାନଙ୍କୁ ଡାକୁଛନ୍ତି। ଏପରିକି ଜଣଙ୍କୁ ଜୋର କରି ଡାକି ଆଣି ନଚାଉଛନ୍ତି। ଆଉ ଜଣେ ମନା କରିବା ସତ୍ତ୍ବେ ତାଙ୍କୁ କେବଳ ଗୋଡ଼ ହଲାଇବା ପାଇଁ ବାଧ୍ୟ କରୁଛନ୍ତି। ଏପଟେ ଅନ୍ୟଜଣକ ଟ୍ରାକ୍ ପ୍ୟାଣ୍ଟ ସହ ଗଂଜି ପିନ୍ଧି ବିଭିନ୍ନ ପ୍ରକାର ଅଙ୍ଗଭଙ୍ଗୀ କରୁଛନ୍ତି। ମଝିରେ ତାଙ୍କ ପୁଅ ଆସି ତାଙ୍କୁ ନାଚର ବିଭିନ୍ନ ମୁଦ୍ରା ମଧ୍ୟ ଶିଖାଉଛନ୍ତି।

କୋରାପୁଟ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା କହିଛନ୍ତି ଯେ, ଭାଇରାଲ ଭିଡିଓ ତାଙ୍କ ନଜରକୁ ଆସିଛି। ଘଟଣାର ଅନୁସନ୍ଧାନ କରାଯିବା ପରେ ଯାହା କିଛି ପଦକ୍ଷେପ ନିଆଯିବ।

ବଲିଉଡ୍‌ ଗୀତରେ ନାଚିଲେ ଏମ୍‌ସ୍‌ର କରୋନା ଯୋଦ୍ଧା
ଭୁବନେଶ୍ବର : ବଲିଉଡ୍‌ର ସୁପରହିଟ୍‌ ଗୀତ ମୁକାବଲା..ମୁକାବଲା.. ଓଃ ଲୈଲା.. ଗୀତର ତାଳେ ତାଳେ ଏମ୍‌ସର ଜଣେ କରୋନା ଯୋଦ୍ଧା ଡାକ୍ତରଙ୍କ ଡ୍ୟାନ୍‌ସ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରଭୁଦେବାଙ୍କ ଡ୍ୟାନ୍‌ସ ଭଙ୍ଗିକୁ ଯୋଦ୍ଧା ଜଣକ ଅବିକଳ ଭାବେ ଅନୁକରଣ କରିଥିବା ଦେଖିବାକୁ ମିଳିଛି। କେତେବେଳେ ବ୍ରେକ୍‌ ଡାନ୍ସ ତ ଆଉ କେତେବେଳେ ମୁନ୍ ୱାକ୍। ୨ମିନିଟ୍‌ ୨୦ ସେକେଣ୍ଡର ଏହି ଭିଡିଓରେ ଡାକ୍ତର ଜଣକ ପିପିଇ କିଟ୍ ପିନ୍ଧି ଡ୍ୟାନ୍‌ସ କରୁଛନ୍ତି। କରୋନା ବିରୋଧରେ ନିରବଚ୍ଛିନ୍ନ ଭାବେ ଲଢ଼ୁଥିବା ଏହି ଡାକ୍ତରଙ୍କ ଏଭଳି ଡ୍ୟାନ୍‌ସକୁ ସାମାଜିକ ଗଣମାଧ୍ୟମରେ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି।

କରୋନା ମହାମାରୀ ସମୟରେ ଡାକ୍ତରମାନେ ହିଁ ଆଗଧାଡ଼ିରେ ରହି ରୋଗୀଙ୍କ ସେବା କରୁଛନ୍ତି। ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍ ପିନ୍ଧି ରୋଗୀ ସେବାରେ ଲାଗିଛନ୍ତି। ଏହା ସତ୍ବେ ମଧ୍ୟ ବହୁ ସଂଖ୍ୟାରେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। କରୋନା ଲଢ଼େଇ ଜାରି ରହିଥିବା ବେଳେ କିଛି ସମୟ ବାହାର କରି ଏମ୍‌ସର ଏହି ଯୋଦ୍ଧା ଜଣକ ନିଜକୁ ଚାପ ମୁକ୍ତ ରଖିବା ସହିତ ନିଜର ନୃତ୍ୟ ପ୍ରତିଭା ଦେଖାଇଛନ୍ତି।

ସମ୍ବନ୍ଧିତ ଖବର