କେନ୍ଦୁଝର : ଟାଟା ପାୱାର ପକ୍ଷରୁ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ୨୦ ଦିନରୁ ଅଧିକ ସମୟ ତାଙ୍କ ଘର ଅନ୍ଧାର ରହିବା ପରେ ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରୁ ପୁଣି ଆଜି ବିଜୁଳି ସଂଯୋଗ ଦିଆଯାଇଛି।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ତଳବୈତରଣୀ ଗାଁରେ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ଘର। ପୂର୍ବରୁ ତାଙ୍କ ଘରକୁ ବିପିଏଲ୍ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଗତବର୍ଷ ତାଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବା ପରେ ସେ ଅର୍ଥ ପଇଠ କରି ବିଜୁଳି ଜାଳୁଥିଲେ। ଗତମାସ ୨୫ ତାରିଖରେ ହଠାତ୍ ତାଙ୍କ ଘରେ ଟାଟା ପାୱାରର କର୍ମଚାରୀମାନେ ପହଞ୍ଚି ପୁରୁଣା ବିପିଏଲ୍ ବିଦ୍ୟୁତ୍ ସଂଯୋଗର ବିଲ୍ ଦେଇଥିଲେ। ଯେଉଁଥିରେ ୬ ହଜାରରୁ ଅଧିକ ଟଙ୍କା ଥିଲା। ଏତେ ଟଙ୍କା ବିଲ୍ ଦେଖି ବିସ୍ମିତ ହୋଇଥିଲେ ଶ୍ରୀ ନାଏକ। ତତ୍କାଳ ଏହି ଅର୍ଥ ଦେବାକୁ ସେ ଅସମର୍ଥ ହୋଇଥିଲେ। ପରେ ଟାଟା ପାୱାର କର୍ମଚାରୀମାନେ ତାଙ୍କ ଘରକୁ ଦିଆଯାଇଥିବା ବିଜୁଳି ସଂଯୋଗକୁ କାଟି ଦେଇଥିଲେ। ଫଳରେ ପ୍ରାୟ ୨୦ ଦିନରୁ ଅଧିକ ହେବ ତାଙ୍କ ପରିବାର ଅନ୍ଧାରରେ ଥିଲେ। ଏନେଇ ଶନିବାର ଦିନ ହୋହଲ୍ଲା ହେବାରୁ ପୁଣି ଟାଟା ପାୱାର କର୍ମଚାରୀମାନେ ଗାଁକୁ ଯାଇ ବିଦ୍ୟୁତ୍ ସଂଯୋଗ ଦେଇଛନ୍ତି।