ନୂଆପଡ଼ା: ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଜେଡିର ଅସନ୍ତୁଷ୍ଟ ନେତାମାନେ ସ୍ବାଭିମାନ ମଞ୍ଚ ଗଠନ କରି ଶନିବାର ପୁଣି ବିରୋଧ କରିଥିବା ଦେଖିବାକୁ ମିଳିଛି। ଅସନ୍ତୁଷ୍ଟ ବିଜେଡି କର୍ମକର୍ତ୍ତା ଏକତ୍ର ହୋଇ ନୂଆପଡ଼ାରୁ ଏକ ବାଇକ୍ ରାଲିରେ ବାହାରି ଖରିଆର ରୋଡ଼ ସହର ପରିକ୍ରମା ପରେ ନୂଆପଡ଼ା ଜିଲ୍ଲାପାଳ ଅଫିସ୍ ଆଗରେ ପହଞ୍ଚିଥିଲେ। ସେଠାରେ ବିଧାୟକଙ୍କ ବିରୋଧରେ ନାରାବାଜି କରିବା ସହ ସହକାରୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ। ଜିଲ୍ଲାପାଳଙ୍କ ଅଫିସ ଆଗରେ ମନ୍ତ୍ରୀ ଶ୍ରୀ ଢୋଲକିଆଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ମଞ୍ଚର ଅଭିଯୋଗ ଯେ, ନୂଆପଡ଼ା ବିଧାୟକ ସରକାରଙ୍କ ବିଭିନ୍ନ ଯୋଜନାର ଜନକଲ୍ୟାଣ ପାଣ୍ଠିକୁ ଅପବ୍ୟବହାର କରି ମନଇଚ୍ଛା ଅନ୍ୟ ଦଳର ଲୋକଙ୍କୁ କାମ ଭାଗବଣ୍ଟା କରୁଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରିବା ସହ କୌଣସି ଦଳୀୟ କାର୍ଯ୍ୟକ୍ରମ ହେଲେ ନେତା ଓ କର୍ମୀଙ୍କୁ ସାମିଲ କରୁନାହାନ୍ତି। ବିଧାୟକ ପାଣ୍ଠି, ଡବ୍ଲୁଓଡିସି, ଆଇଡିଏଫ୍ ପାଣ୍ଠିର ଦୁରୁପଯୋଗ କରୁଥିବା ସହ ବିଜେଡିର ଘରେ ଘରେ ଶଙ୍ଖ ପଦଯାତ୍ରା, ଦଳୀୟ କର୍ମଶାଳା ନକରି ଦଳୀୟ ପାଣ୍ଠିକୁ ଆତ୍ମସାତ କରୁଥିବା ଅଭିଯୋଗ କରିଛନ୍ତି। ସେହିପରି ବିଧାୟକଙ୍କ ନାଁରେ ରହିଥିବା ଦୁର୍ନୀତି ଉପରେ ସିବିଆଇ, ଇଡି ଓ ଭିଜିଲାନ୍ସ ଦ୍ବାରା ତଦନ୍ତ କରିବା ପାଇଁ ମଞ୍ଚ ପକ୍ଷରୁ ଦାବି କରାଯାଇ ସହକାରୀ ଜିଲ୍ଲାପାଳ ଆଲୋକ ଚନ୍ଦ୍ର ଅନଗୁଲିଆଙ୍କୁ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଏହା ଉପରେ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ ନକଲେ ଆଗାମୀ ଦିନରେ ନୂଆପଡ଼ା ଜିଲ୍ଲା ସଂପୂର୍ଣ୍ଣ ବନ୍ଦ କରାଯିବ ବୋଲି ସ୍ବାଭିମାନ ମଞ୍ଚ ଉପଦେଷ୍ଟା ତଥା ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ରାଜ୍ୟ ସଂପାଦକ ସରୋଜ ସାହୁ, ବିଜେଡି ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ବିଜେଡି ଉପସଭାପତି ଭାନୁ ପ୍ରତାପ ସିଂ ମାଝୀ, ସଂପାଦକ ସୁଧୀର ମିଶ୍ର, ହେମନ୍ତ କର, ନୂଆପଡ଼ା ଜିଲ୍ଲା ସରପଞ୍ଚ ସଂଘ ସଭାପତି ପ୍ରେମଲାଲ ନାଏକ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏହି ସମୟରେ ମାନିଗୁଡ଼ା ସରପଞ୍ଚ ଯୋଗେନ୍ଦ୍ର ବାଗ, ସନ୍ତୋଷ ମହାନ୍ତି, ଉମେଶ ସହିସ, ନାରାୟଣ ସାହୁ, ରଞ୍ଜିତ ସୁନା, ଡମ୍ବରୁଧର ଘିବେଲା, କ୍ଷୀରୋଦ ସୁନା, ଧନୀରାମ ଶବର, ଭରତଲାଲ ମାଝୀ, ପୁରୁଷୋତ୍ତମ ସାହୁ, କୁଞ୍ଜୁ ସାହୁ, ଗୌର ମାଝୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ପଚାରିବାରୁ, ‘ମୁଁ କୌଣସି ଦୋଷ କରିନାହିଁ କି କୌଣସି ଦୁର୍ନୀତି ସହ ମୋର ସମ୍ପୃକ୍ତି ନାହିଁ। ଅଯଥାରେ ମୋତେ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି। ମୋ ସହ ଜନତା ଅଛନ୍ତି ଓ ଆସନ୍ତା ନିର୍ବାଚନରେ ତାର ଜବାବ ଦେବେ। ସିବିଆଇ, ଇଡି ହେଉ କି ଭିଜିଲାନ୍ସ ସବୁ ତଦନ୍ତ ପାଇଁ ମୁଁ ପ୍ରସ୍ତୁତ ଅଛି’ ବୋଲି ସେ କହିଛନ୍ତି।