ଦଶପଲ୍ଲା: ଚାହୁଁଚାହୁଁ ୬ ମାସରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। ହେଲେ ଭଙ୍ଗା ହୋଇପାରୁନି ପ୍ରଭୁ ଜଗନ୍ନାଥଙ୍କ ରଥ। ବର୍ଷା ଓ ଖରାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥଟି ଏଯାଏଁ ଛିଡ଼ା ହୋଇ ରହିଥିବା ବେଳେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହା କୌଣସି ଗ୍ରାମାଞ୍ଚଳର ଘଟଣା ନୁହେଁ। ଖୋଦ୍ ଦଶପଲ୍ଲା ଗଡ଼ଜାତର ରାଜବାଟୀଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ପଦାରେ ପଡ଼ୁଛି ଦେବୋତ୍ତରର ଦାୟିତ୍ବହୀନତା
ବଡ଼କଥା ହେଉଛି, ରଥଯାତ୍ରା ଅନୁଷ୍ଠିତ ହେବାପରେ ରଥଭଙ୍ଗା ପାଇଁ ସ୍ବତନ୍ତ୍ର ତିଥି ଓ ନୀତି ରହିଥିବା ବେଳେ ଏହାକୁ ପାଳନ କରାନଯିବା ଦ୍ବାରା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦିଆଯାଉଥିବା ନେଇ ମତପ୍ରକାଶ ପାଉଛି। ରଥଯାତ୍ରା ପରେ ଚିତାଲାଗି ଅମାବାସ୍ୟା ପରେପରେ ରଥଭଙ୍ଗା ନୀତି ଅନୁଷ୍ଠିତ ହୋଇଥାଏ। ହେଲେ ଦେବୋତ୍ତର ବିଭାଗ ଏହାର ତତ୍ତ୍ବାବଧାନରେ ରହିଥିବା ବେଳେ ଗତବର୍ଷ ଏଥିରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏପଟେ ଚଳିତବର୍ଷ ରଥଯାତ୍ରା ପାଇଁ ଆସନ୍ତା ଫେବ୍ରୁଆରି ୨ ତାରିଖ ସରସ୍ବତୀ ପୂଜା ଦିନ ରଥ ନିର୍ମାଣ ପାଇଁ ରଥକାଠ ପୂଜାନୀତି ଅନୁଷ୍ଠିତ ହେବାକୁ ଯାଉଛି। ମାତ୍ର ଯେଉଁ ସ୍ଥାନରୁ ରଥକାଠ ଗଲେ ଶ୍ରୀକ୍ଷେତ୍ରରେ ଏହି ନୀତି ଅନୁଷ୍ଠିତ ହୁଏ, ଏଠାରେ ଏଭଳି ବ୍ୟତିକ୍ରମକୁ ନେଇ ଦେବୋତ୍ତର ବିଭାଗର ଦାୟିତ୍ବହୀନତା ପଦାରେ ପଡ଼ୁଛି। ଏନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ତହସିଲଦାର ସ୍ମୃତିରଂଜନ ଶତପଥୀଙ୍କ କହିବା ଅନୁଯାୟୀ, ନିର୍ଦ୍ଧାରିତ ସମୟରେ ଯେଉଁ କାରିଗର ଭାଙ୍ଗିବା କଥା ସେମାନେ ଅଶୌଚ ହୋଇଥିଲେ। ଏହାପରେ ପରେ ବର୍ଷା ଲାଗି ରହିଥିଲା। ଏବେ ଦିନଧାର୍ଯ୍ୟ କରାଯାଇ ଏହାକୁ ଭଙ୍ଗାଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/26/OlCfuH6hAkiKLsevfK7e.jpg)