ଢେଙ୍କାନାଳ: ଶିଶୁମାନଙ୍କଠାରେ ଦେଖାଦେଉଥିବା କୁପୋଷଣ ଦୂର କରିବା ଓ ସେମାନଙ୍କୁ ପୋଷଣଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୫ ବର୍ଷଧରି ଚାଲିଥିବା କଳ୍ପନା ପୋଷଣ କେନ୍ଦ୍ର ସଂପ୍ରତି ବନ୍ଦ ହୋଇଯାଇଛି। ଡିଏମ୍‌ଏଫ୍‌ ପାଣ୍ଠି ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସରକାର ଏହାକୁ ଚଳାଇବା ଲାଗି କୌଣସି ପ୍ରକାର ବ୍ୟବସ୍ଥା କଲେ ନାହିଁ। ପୋଷଣ କେନ୍ଦ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଦୀର୍ଘ ମାସ ଧରି ଦରମା ପାଇବାରୁ ବଂଚିତ ହୋଇଥିଲେ। ଫଳରେ ଏହି କେନ୍ଦ୍ରଟି ଗତ ୧୫ ଦିନରୁ ଊର୍ଦ୍ଧ୍ବ ହେବ ବନ୍ଦ ହୋଇଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ଜଣାଯାଇଛି। ଜନପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ଆନ୍ତରିକତା ଓ ମାନସିକତା ଅଭାବରୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ଅର୍ଥ ଅଣାଯାଇନପାରି ଏପରି ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରକୁ ବନ୍ଦ କରିଦିଆଯିବାକୁ ନେଇ ବୁଦ୍ଧିଜୀବୀ ମହଲରେ ବ୍ୟାପକ ଆଲୋଡ଼ନ ସୃଷ୍ଟି ହୋଇଛି।

Advertisment

ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ନାମରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦୧୯ ମସିହାରେ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ କଳ୍ପନା ପୋଷଣ କେନ୍ଦ୍ର ଖୋଲାଯାଇଥିଲା। ସେଠାରେ ୧୦ଟି ଶଯ୍ୟା ବିଶିଷ୍ଟ କକ୍ଷରେ ଅପପୁଷ୍ଟିଜନିତ ଜନ୍ମରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଅନ୍ତେବାସୀ ଭାବେ ରଖାଯାଇ ବିଭିନ୍ନ ପୁଷ୍ଟିକର ଖାଦ୍ୟ ସହ ଚିକିତ୍ସା ଯୋଗାଇ ଦିଆଯାଉଥିଲା। ସେହି ଶିଶୁରୋଗୀଙ୍କ ସହ ଆଟେଣ୍ଡାଣ୍ଟ ଭାବେ ତାଙ୍କ ପରିବାରର ଜଣେ ସଦସ୍ୟ ରହୁଥିଲେ। ଚିକିତ୍ସାଧୀନ ଶିଶୁମାନଙ୍କୁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ, ପାନୀୟ ସହ ୧୦୦ ଟଙ୍କା ଦିଆଯାଉଥିଲା। ଏହାବ୍ୟତୀତ ଯିବା ଆସିବା ଖର୍ଚ୍ଚ ମଧ୍ୟ ଦିଆଯାଉଥିଲା। ପୋଷଣ କେନ୍ଦ୍ର ଦାୟିତ୍ୱରେ ଜଣେ କାଉନ୍‌ସିଲର, ଏଏନ୍‌ଏମ୍‌, ଆଟେଣ୍ଡାଣ୍ଟ, ରୋଷେୟା ଏବଂ ସହାୟିକାଙ୍କୁ ମିଶାଇ ୫ ଜଣ କର୍ମଚାରୀ ରହିଥିଲେ। ସ୍ୱର୍ଗତ କଳ୍ପନା ଦାସଙ୍କ ସ୍ମୃତିରେ ଜିଲ୍ଲା ଖଣିଜ ପାଣ୍ଠି ଦ୍ୱାରା ପରିଚାଳିତ ହେଉଥିବା ଏହି କେନ୍ଦ୍ରରେ ଗତ ୫ ବର୍ଷ ମଧ୍ୟରେ, ୬୫୦ରୁ ଊର୍ଦ୍ଧ୍ବ ଅପପୁଷ୍ଟି ଶିଶୁ ଚିହ୍ନଟ ହୋଇ ଚିକିତ୍ସିତ ହୋଇଛନ୍ତି। ସମୟକ୍ରମେ ଏହାକୁ ରାଜ୍ୟ କିମ୍ବା ଜାତୀୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଗଲା ନାହିଁ। ଫଳରେ ବ୍ୟାପକ ପରିଚାଳନାଗତ ସମସ୍ୟା ସୃଷ୍ଟି ହେଲା। ଏପରିକି ସେଠାରେ କାର୍ଯ୍ୟରତ ୫ ଜଣ କର୍ମଚାରୀ ଦୀର୍ଘ ମାସ ଧରି ଦରମା ପାଇବାରୁ ବଞ୍ଚିତ ହୋଇ ହୀନସ୍ତା ହେଲେ। ପ୍ରଶାସନ ପକ୍ଷରୁ ସଂପୃକ୍ତ କର୍ମଚାରୀଙ୍କୁ ଅନ୍ୟ ବିଭାଗରେ ଥଇଥାନ କରିବା ସହ ଏହି କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି।

ଏ ସଂପର୍କରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟ ଡ. ସଂକଳ୍ପ କେଶରୀ ଭୋଳ କୁହନ୍ତି ଯେ, ପୋଷଣକେନ୍ଦ୍ର ଚଳାଇବା ଲାଗି ସରକାରୀସ୍ତରରେ କୌଣସି ଅର୍ଥ ଦିଆଗଲା ନାହିଁ। ଏହା ଦୀର୍ଘ ବର୍ଷ ଧରି ଖଣିଜ ପାଣ୍ଠି ଦ୍ୱାରା ପରିଚାଳିତ ହେଉଥିଲା। ସେଥିରେ ଅସୁବିଧା ହେବା ସହ କର୍ମଚାରୀମାନେ ୬ ମାସରୁ ଅଧିକ ସମୟ ଧରି ଦରମା ପାଇନାହାନ୍ତି। ସେଥିଲାଗି ଏହାକୁ ବନ୍ଦ କରିଦିଆଯାଇଛି। କେନ୍ଦ୍ର ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅନୁଦାନରେ କାମାକ୍ଷାନଗର ଏବଂ ହିନ୍ଦୋଳରେ ୧୦ ଟି ଶଯ୍ୟା ଥାଇ ପୋଷଣ କେନ୍ଦ୍ର ଚାଲୁଛି ବୋଲି ସେ କହିଥିଲେ।