ନିଜସ୍ବ ଆୟ ନାହିଁ, କେନ୍ଦ୍ରୀୟ ସହାୟତାକୁ ଭରସା: ବିରୋଧୀ ଦଳ ଉପନେତା

୨୦୨୦-୨୧ ରାଜ୍ୟ ବଜେଟ୍‌ ଉପରେ ସାଧାରଣ ଆଲୋଚନା

ଭୁବେନଶ୍ବର: ରାଜ୍ୟରେ ଦାରିଦ୍ର୍ୟ ଉତ୍କଟ ରୂପ ଧାରଣ କଲାଣି। ଋଣଭାର ଦିନକୁ ଦିନ ବଢ଼ି ଚାଲିଛି। ଏବେ ଏହି ଋଣ ବୋଝ ୧ ଲକ୍ଷ ୬ ହଜାର କୋଟି ଟଙ୍କାରେ ପହଞ୍ଚିଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ରାଜ୍ୟର ଶାସନଭାର ଗ୍ରହଣ କରିବା ପୂର୍ବରୁ ଓଡ଼ିଶାର ଋଣ ପରିମାଣ ୧୮ ହଜାର କୋଟିରେ ଥିଲା। ଏଥରକ ଦେଢ଼ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଆଣିବାରେ ମୁଲ୍ୟ କଣ? ଆଜି ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପରେ ସାଧାରଣ ଆଲୋଚନା ଆରମ୍ଭ କରି ଏପରି ପୁଳାପୁଳା ଅଭିଯୋଗ ଆଣିଛନ୍ତି ବିରୋଧୀ। ଜବାବରେ ଶାସକ ଦଳ ସଭ୍ୟ କହିଛନ୍ତି, ରାଜ୍ୟ ସରକାର ଚଳିତ ବର୍ଷ ନୂଆ କରି ପୁଷ୍ଟିସାଧନ ବଜେଟ୍‌ ଓ ଜଳବାୟୁ ପରିବର୍ତ୍ତନ ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ମୁଖ୍ୟତଃ ବଜେଟ୍‌ଟି ୫ ‘ପି’ ଉପରେ ଆଧାରିତ ହୋଇଛି ବୋଲି ଶାସକଦଳ ଯୁକ୍ତି ବାଢ଼ିଥିଲେ। ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କହିଥିଲେ ଯେ, ଏଥରକ ବଜେଟ୍‌ରେ ରାଜ୍ୟର ନିଜସ୍ବ ଆୟ ପାଇଁ ୫୬ ହଜାର କୋଟି ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସରକାରୀ କର୍ମଚାରୀଙ୍କ ପେନ୍‌ସନ୍‌ ଓ ଦରମା ବାବଦରେ ବାର୍ଷିକ ୬୮ ହଜାର କୋଟି ଆବଶ୍ୟକ। ନିର୍ବାଚନ ଜିତିବାକୁ ଅନେକ ଯୋଜନାର ଗୋଲାପି ଚିତ୍ର ଦେଖାଇଥିଲେ। ଏବେ ନିର୍ବାଚନ ସରିବା ପରେ ରାଜ୍ୟର ଗୋଟିଏ ପରେ ଗୋଟିଏ ଯୋଜନାକୁ କେନ୍ଦ୍ରୀୟ ଯୋଜନା ସହିତ ଏକୀକରଣ କରିବାକୁ ଅଣ୍ଟା ଭିଡ଼ିଲେଣି। ବାସ୍ତବରେ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ବନ୍ଦ ହୋଇଗଲେ ରାଜ୍ୟରେ ଆର୍ଥିକ ସଂକଟ ଦେଖାଦେବ। ଚାଷୀଙ୍କ ପାଇଁ ବଜେଟ୍‌ରେ ଗତ ବର୍ଷ ଅପେକ୍ଷା କମ୍ ବ୍ୟୟ ବରାଦ କରାଯାଇଛି। ବିଜୁ ପକ୍କାଘର ଯୋଜନା ପାଇଁ ବଜେଟ୍‌ରେ ଟଙ୍କାଟିଏ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥରେ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ଚଳାଇଛନ୍ତି। ଟଙ୍କା ନାହିଁ ଅଥଚ ସରକାର ନୂଆ କରି ପୁଷ୍ଟିସାଧନ ବଜେଟ୍‌ର ନୂଆ ଚିତ୍ର ଆଙ୍କି ବାହାବା ନେବାକୁ ବସିଛନ୍ତି। ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ପାଇଁ କିଛି ବ୍ୟୟ ବରାଦ ହୋଇନାହିଁ। ରାଜ୍ୟରେ ବେକାରୀ କରୋନା ପରି ମାଡ଼ିଚାଲିଛି। ବେକାରୀ ସଂଖ୍ୟା ଏବେ ୧ କୋଟି ଟପିଲାଣି। ଏ ବଜେଟ୍‌ ଫମ୍ପା ଓ ଅନ୍ତଃସାରଶୂନ୍ୟ ବୋଲି ଶ୍ରୀ ସେଠୀ କହିଥିଲେ।

ଆଲୋଚନାରେ ଭାଗ ନେଇ ଶାସକ ଦଳର ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ କହିଥିଲେ, ଏହି ବଜେଟ୍‌ ପେପର୍‌ ଲେସ୍‌ (କାଗଜ ବିହୀନ), ପାର୍ଟିସିପେଟରି (ସହଭାଗିତା), ପିପୁଲ୍‌ସ୍‌ ଓରିଏଣ୍ଟେସନ୍‌ (ଲୋକ କଲ୍ୟାଣ), ପର୍‌ମିସିଭ୍‌ (ଉଦାର) ଓ ପ୍ରସପେକ୍‌ଟିଭ୍‌ (ଭବିଷ୍ୟତର ବିକାଶ)କୁ ଲକ୍ଷ୍ୟ ରଖି କରାଯାଇଛି। ନିଜସ୍ବ ସମ୍ବଳକୁ ଆଧାର କରି ରାଜସ୍ବ ବଳକା ବଜେଟ୍‌ ପୁଣି ଥରେ ପ୍ରସ୍ତୁତ କରିବାରେ ସରକାର ସଫଳ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ଶତପଥୀ କହିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଆଲୋଚନାରେ ଭାଗ ନେଇ କହିଥିଲେ, ଜିଲ୍ଲା ସ୍ତରରେ ଥିବା ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ଅଭାବ ଓ ତହସିଲରେ କର୍ମଚାରୀ ଅଭାବ ରହିଛି। କିନ୍ତୁ ସରକାର ବଡ଼ ବଜେଟ୍‌ ଦେଉଥିବା କହି ଲୋକଙ୍କ ପାଇଁ ମୌଳିକ ସୁବିଧା ଯୋଗାଇପାରିନାହାନ୍ତି। କୋଇଲା ରୟାଲଟି ବାବଦରେ କେନ୍ଦ୍ରକୁ ଚିଠି ଲେଖି ବସିଛନ୍ତି। ରାଜ୍ୟର ହକ୍‌କୁ କେନ୍ଦ୍ରଠାରୁ ଲଢ଼େଇ କରି ଆଣିବାକୁ ହେବ। କ୍ରୀଡ଼ାର ବିକାଶ ପାଇଁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମିନି ଷ୍ଟାଡିଅମ୍‌ କରାଯାଉ। ଏଥି ପାଇଁ ବିଧାୟକମାନଙ୍କୁ ଏ ବାବଦରେ କିଛି ଅର୍ଥ ଦେବାକୁ ଶ୍ରୀ ରାଉତରାୟ ପ୍ରସ୍ତାବ ଦେଇଥିଲେ। ଭୁବନେଶ୍ବରେ ସ୍ମାର୍ଟ ସିଟି ହେଲେ ମଧ୍ୟ ୧୦ ହଜାର ଲୋକ ବସିବା ଭଳି ଗୋଟିଏ ପ୍ରେକ୍ଷାଳୟ ନାହିଁ। ଏଠାରେ ଗୋଟିଏ ବଡ଼ ପ୍ରେକ୍ଷାଳୟ ନିର୍ମାଣ ପାଇଁ ସରକାର ପଦକ୍ଷେପ ନିଅନ୍ତୁ। ଗୃହରକ୍ଷୀ ଓ ପୁଲିସ ବିଭାଗରେ ଥିବା ସିପାହୀମାନେ ଦିନରାତି ଖଟୁଛନ୍ତି। କିନ୍ତୁ ସେମାନଙ୍କୁ ମାସିକ ଯଥାକ୍ରମେ ୭ ହଜାର ଓ ୯ ହଜାର ଟଙ୍କା ଦରମା ମିଳୁଛି। ସେମାନଙ୍କ ଦରମା ବୃଦ୍ଧି କରିବାକୁ ଗୃହରେ ଶ୍ରୀ ରାଉତରାୟ ଦାବି କରିଥିଲେ। ବଜେଟ୍‌ ସମ୍ପର୍କିତ ସାଧାରଣ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେ଼ଡି ବିଧାୟକ ରମେଶ ବେହେରା, ସୁବାସ ବେହେରା, ବିଷ୍ଣୁବ୍ରତ ରାଉତରାୟ, ରାଜକିଶୋର ଦାସ ଓ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଭାଗ ନେଇଥିଲେ। ଆଲୋଚନା ଶେଷରେ ସନ୍ଧ୍ୟା ୭ଟା ୨୮ ମିନିଟରେ ଉପବାଚସ୍ପତି ରଜନୀକାନ୍ତ ସିଂହ ଆସନ୍ତାକାଲି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର