ବିହନ କିଣାରେ ‘ରିହାତି’ ଅଡ଼ୁଆ: ସମ୍ପୂର୍ଣ୍ଣ ଟଙ୍କା ଦେଇ ବିହନ ନେବାକୁ ଚାଷୀ କୁନ୍ଥକୁନ୍ଥ

ଏଯାଏ ବିକ୍ରି ହୋଇଛି ୧୭୮ କୁଇଣ୍ଟାଲ ଧାନ ବିହନ
୫ ବ୍ଲକ୍‌ରେ ଆଦୌ ବିକ୍ରି ହୋଇନି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ବିହନ ବିକ୍ରି ଚଳିତବର୍ଷ ଅତ୍ୟନ୍ତ ନିରୁତ୍ସାହଜନକ ରହିଛି। ଚାଷ ପାଇଁ ଚାଷୀମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ଏଥର ସରକାରଙ୍କ ପକ୍ଷରୁ ଧାନ ବିହନ ବିକ୍ରିରେ ନୂଆ ରିହାତି ବ୍ୟବସ୍ଥା ସେମାନଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଏହି ବ୍ୟବସ୍ଥାରେ ଚାଷୀମାନେ ବିହନ କିଣିବାକୁ କୁନ୍ଥକୁନ୍ଥ ହେଉଛନ୍ତି।

୨୦୧୬-୧୭ ମସିହାରେ ପ୍ରଥମଥର ପାଇଁ କୃଷି ବିଭାଗ ଚାଷୀଙ୍କୁ ମିଳୁଥିବା ବିହନ କିଣା ବାବଦ ରିହାତି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ବ୍ୟବସ୍ଥା କରିଥିଲା। ଏହି ବ୍ୟବସ୍ଥା ଅନୁସାରେ, ଚାଷୀ ପ୍ରଥମେ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ ବିହନ କିଣିବେ। ଏହାପରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାରଙ୍କ ପକ୍ଷରୁ ରିହାତି ବାବଦ ଟଙ୍କା ଜମା କରାଯିବ। ୨୦୧୬-୧୭ ମସିହାରେ ଏହି ଯୋଜନା ବିଶେଷ ଫଳପ୍ରଦ ହୋଇ ନଥିଲା। ବିହନ କିଣାବିକା ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିଲା। ଏହାପରେ କୃଷି ବିଭାଗ ଏଭଳି ନିୟମକୁ ଆଉ କାର୍ଯ୍ୟକାରୀ କରି ନଥିଲା। ଅର୍ଥାତ ପୁଣି ଚାଷୀମାନେ ସିଧାସଳଖ ରିହାତି ମୂଲ୍ୟରେ ବିହନ କିଣୁଥିଲେ। ମାତ୍ର ଚଳିତ ବର୍ଷ ପୁଣି ସେହି ପୁରୁଣା ନିୟମକୁ କାର୍ଯ୍ୟକାରୀ କରାଯାଇଛି। ଅର୍ଥାତ୍‌ ଚାଷୀମାନେ ପ୍ରଥମେ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ ବିହନ କିଣିବା ପରେ ରିହାତି ଅର୍ଥ ସେମାନଙ୍କୁ ଆକାଉଣ୍ଟକୁ ପଠାଯିବ। ଯାହା ଚାଷୀଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇଛି। ଚାଷୀମାନେ ସାଧାରଣତଃ ଗରିବ ହୋଇଥିବାରୁ ଆଗୁଆ ସମ୍ପୂର୍ଣ୍ଣ ମୂଲ୍ୟ ଦେଇ ବିହନ କିଣିବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।

www.osscltd.in

ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାରେ ଓଡ଼ିଶା ସିଡ୍‌ସ କର୍ପୋରେସନ ଅଧୀନରେ ମୋଟ ୭୪ ଜଣ ବିହନ ଡିଲର ରହିଛନ୍ତି। ଏବର୍ଷ କେନ୍ଦୁଝର ଜିଲ୍ଲାରେ ଖରିଫ ଋତୁରେ ମୋଟ ୧୭ ହଜାର ୨୮ କୁଇଣ୍ଟାଲ ବିହନ ବିକ୍ରି ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ସାଧାରଣତଃ ମେ ମାସ ମଧ୍ୟଭାଗ ସୁଦ୍ଧା ପ୍ରାୟ ୧୦୦୦ କୁଇଣ୍ଟାଲରୁ ଅଧିକ ବିହନ ବିକ୍ରି ହେବା କଥା। ମାତ୍ର ଅଦ୍ୟାବଧି ୧୭୮ କୁଇଣ୍ଟାଲ ବିହନ ବିକ୍ରି ହୋଇଛି। ଆନନ୍ଦପୁର ବ୍ଲକ୍‌ରେ ମାତ୍ର ୨ କୁଇଣ୍ଟାଲ ବିହନ ବିକ୍ରି ହୋଇଥିବା ବେଳେ ଚମ୍ପୁଆ ବ୍ଲକ୍‌ରେ ୧୧.୪ କୁଇଣ୍ଟାଲା, ଘସିପୁରା ବ୍ଲକ୍‌ରେ ୧.୬ କୁଇଣ୍ଟାଲ, ଘଟଗାଁରେ ମାତ୍ର ୪୦ କେଜି, ହରିଚନ୍ଦନପୁର ବ୍ଲକ୍‌ରେ ୬.୨ କୁଇଣ୍ଟାଲ, ହାଟଡିହି ବ୍ଲକ୍‌ରେ ୨୦.୮ କୁଇଣ୍ଟାଲ, ସାହାରପଡ଼ା ବ୍ଲକ୍‌ରେ ୨.୬୬ କୁଇଣ୍ଟାଲ, ତେଲକୋଇ ବ୍ଲକ୍‌ରେ ୧୩୩.୨ କୁଇଣ୍ଟାଲ ବିହନ ବିକ୍ରି ହୋଇଛି। ବାଂଶପାଳ, ଝୁମ୍ପୁରା, ଯୋଡ଼ା, କେନ୍ଦୁଝର ସଦର, ପାଟଣା ବ୍ଲକ‌୍‌ରେ ଚାଷୀମାନେ ମୁଠାଏ ବିହନ ବି କିଣିନାହାନ୍ତି। କୁହାଯାଉଛି ଯେ, ସମ୍ପୂର୍ଣ୍ଣ ମୂଲ୍ୟ ଦେଇ ବିହନ କିଣିବା ଅଧିକାଂଶ ଚାଷୀଙ୍କ ପକ୍ଷରେ ସମ୍ଭବ ହେଉନି। ପୂର୍ବରୁ ରିହାତି ବ୍ୟବସ୍ଥାରେ ବିହନ ବିକ୍ରି ତାଙ୍କ ପାଇଁ ସୁବିଧା ହେଉଥିଲା। ବର୍ତ୍ତମାନର ଏହି ବ୍ୟବସ୍ଥା ସେମାନଙ୍କୁ ଅଡ଼ୁଆରେ ପକାଇଛି ବୋଲି ଚାଷୀ କହିଛନ୍ତି।

ସମ୍ବନ୍ଧିତ ଖବର