କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗ ଡିନ୍ ପ୍ରଫେସର ଶରତ କୁମାର ପଳିତାଙ୍କ ନେତୃତ୍ୱରେ ହୋଇଥିବା ଗବେଷକଙ୍କୁ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ ନଦୀରୁ ଦୁଇଟି ମହାସିର୍ ପ୍ରଜାତିର ମାଛ (ଟର ଟର୍, ଟର ପୁଟିଟୋରା) ସନ୍ଧାନ କରିଛନ୍ତି ଗବେଷକ। ଦୁଇଟି ନୂତନ ମହାସିର୍ ମାଛ ପ୍ରଜାତି ସାୟପ୍ରିନୟଡ ପରିବାର ଅନ୍ତର୍ଭୁକ୍ତ। ବଡ଼ ଶରୀର ବିଶିଷ୍ଟ ଏହି ମାଛର କାତିଗୁଡିକ ବଡ଼। ସାଧାରଣତଃ ଏହି ମାଛକୁ ‘ଭାରତୀୟ ନଦୀର ରାଜା’ କୁହାଯାଏ। ପୃଥିବୀର ୨୦ଟି ବୃହତ ମାଛ ମଧ୍ୟରେ ମହାସିର୍ ଅନ୍ତର୍ଭୁକ୍ତ। ଏମାନେ ସାଧାରଣ ଦ୍ରୁତବେଗରେ ପ୍ରବାହିତ, ଶୀତଳ, ସ୍ୱଚ୍ଛ, ପାହାଡ଼ିଆ ନଦୀର ପଥୁରିଆ ଓ କଙ୍କରଯୁକ୍ତ ଚଟାଣରେ ବାସ କରିଥାନ୍ତି।
ଅତୀତରେ ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ ଓ ଶିମିଳିପାଳ ଅଞ୍ଚଳରୁ ମହାସିର୍ ମାଛ ପ୍ରଜାତି ଆବିଷ୍କୃତ ହୋଇଛି। ତେବେ ଦକ୍ଷିଣ ଓଡ଼ିଶାର କୌଣସି ନଦୀରୁ ଏହା ଆବିଷ୍କୃତ ହେବା ପ୍ରଥମ। ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀ କୋଲାବ, ଇନ୍ଦ୍ରାବତୀ, ମାଛକୁଣ୍ଡ ଆଦି ଗୋଦାବରୀ ନଦୀ ଶୃଙ୍ଖଳାର ଏକ ଅଂଶ। ପ୍ରଫେସର ପଳିତା ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଯୋଗଦେବା ପରେ ୬ ବର୍ଷ ପୂର୍ବେ ମହାସିର୍ ମାଛମାନଙ୍କ ଉପରେ ଗବେଷଣା ଆରମ୍ଭ କରିଥିଲେ। ଏହି ମାଛ ଉପରେ ଗବେଷଣା ପାଇଁ ପିଏଚ୍ଡି ଗବେଷକ ଆଲୋକ କୁମାର ନାୟକଙ୍କୁ ନିୟୋଜିତ କରିଥିଲେ। ଗବେଷଣା ସମୟରେ ଏହି ମାଛଗୁଡ଼ିକ ଓଡ଼ିଶାର ନବରଙ୍ଗପୁରର ଖାତିଗୁଡ଼ା (ଇନ୍ଦ୍ରାବତୀ) ବଜାରରେ ଦେଖିବାକୁ ମିଳିଥିଲା। ସେହିପରି କଳାହାଣ୍ଡିର ମୁଖିଗୁଡ଼ାଠାରେ ଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଓ ନବରଙ୍ଗପୁରର କାପୁର ଡ୍ୟାମରୁ ଆବିଷ୍କାର କରାଯାଇଥିଲା। ଜୈବ ବିବିଧତା ବିଭାଗର ଲାବୋରେଟୋରିରେ ପ୍ରଫେସର ପଳିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମାଛ ଗୁଡ଼ିକ ମହାସିର୍ ପ୍ରଜାତିର ମାଛ ବୋଲି ଚିହ୍ନଟ ହୋଇଥିଲା। ପରେ କୋଲକାତାସ୍ଥିତ ଜାତୀୟ ପ୍ରାଣୀ ବିଜ୍ଞାନ ସର୍ଭେକ୍ଷଣ ସଂସ୍ଥା ଦ୍ୱାରା ଏହା ଦୁଇଟି ମହାସିର୍ ପ୍ରଜାତିର ମାଛ ବୋଲି ଚିହ୍ନଟ ହୋଇଥିଲା।
ସିୟୁଓ ଗବେଷକଙ୍କୁ ସଫଳତା
ଗୋଦାବରୀ ନଦୀ ଅବବାହିକା ପାଇଁ ନୂଆ ରେକର୍ଡ
ଭାରତୀୟ ନଦୀର ରାଜା ଭାବେ ପରିଚିତ ମହାସିର୍
ସ୍ବୀକୃତି ଦେଲା ଜାତୀୟ ପ୍ରାଣୀ ବିଜ୍ଞାନ ସର୍ଭେକ୍ଷଣ ସଂସ୍ଥା
ପୂର୍ବରୁ ଶିମିଳିପାଳ, ମହାନଦୀ, ବ୍ରାହ୍ମଣୀ ନଦୀରେ ଟର ଟର୍ ମାଛ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଇନ୍ଦ୍ରାବତୀରୁ ଏହା ମିଳିବା ଏକ ନୂତନ ରେକର୍ଡ ଅଟେ। ମହାନଦୀରୁ ଟର ପୁଟିଟୋରା ଥିବା କଥା କିନ୍ତୁ ଏବେ ଭୁଲ ପ୍ରମାଣିତ ହୋଇଛି। କାରଣ ମହାନଦୀ ମହାସିରକୁ ଏକ ନୂତନ ପ୍ରଜାତି ଟର ମହାନଦୀକସ ଭାବେ ବୈଜ୍ଞାନିକ ସ୍ୱୀକୃତି ମିଳିଛି। ତେଣୁ ଇନ୍ଦ୍ରାବତୀ ନଦୀରୁ ଟର ପୁଟିଟୋରାର ଆବିଷ୍କାର କେବଳ ଦକ୍ଷିଣ ଓଡିଶା ପାଇଁ ନୁହେଁ ସମଗ୍ର ଭାରତର ଗୋଦାବରୀ ନଦୀ ଅବବାହିକା ପାଇଁ ଏକ ନୂଆ ରେକର୍ଡ। ଭାରତରେ ବର୍ତ୍ତମାନ ନଅ ପ୍ରଜାତିର ଟର୍ ବାସ କରୁଛନ୍ତି। ସେଥିମଧ୍ୟରୁ ଓଡ଼ିଶାରେ ଚାରୋଟି ପ୍ରଜାତି (ଟର ଟର୍, ଟର ମହାନଦୀକସ, ଟର ପୁଟିଟୋରା ଏବଂ ଟର ଖୁଦ୍ରି) ମହାସିର୍ ଦେଖାଯାନ୍ତି। ସ୍ଥାନୀୟ ଭାବେ ନବରଙ୍ଗପୁରର ଖାତିଗୁଡା ଅଞ୍ଚଳରେ ଏହି ମାଛଙ୍କୁ ‘କଇଁସାରୀ ବା ଖାଇସର କୁହାଯାଏ।
ପ୍ରଫେସର ପଳିତାଙ୍କ ନେତୃତ୍ୱରେ ହୋଇଥିବା ଏହି ଗବେଷଣାରେ ଆଲୋକ କୁମାର ନାୟକ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ଅନ୍ୟ ଜଣେ ଗବେଷକ ଡକ୍ଟର ଅନିର୍ବାଣ ମହତଙ୍କର ସହଯୋଗ ରହିଥିଲା। ପ୍ରଫେସର ପଳିତା କହିଛନ୍ତି, ଦକ୍ଷିଣ ଓଡ଼ିଶାର ଏହି ମାଛ ଗୁଡ଼ିକର ଜେନେଟିକ ବିଶ୍ଳେଷଣ ସମାପ୍ତ ହେବାକୁ ଯାଉଥିବାରୁ ସେମାନଙ୍କ ସଂରକ୍ଷଣ ପାଇଁ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ। ମହାସିର୍ ମାନଙ୍କର କୃତ୍ରିମ ପ୍ରଜନନ ପାଇଁ ଗବେଷଣା କରାଯିବା ଦରକାର ଯାହାକି ଏହି ଅଞ୍ଚଳର ଆର୍ଥିକ ଆଭିବୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ସଫଳତା ପାଇଁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ, ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଜୈବବିବିଧତା ଏବଂ ପ୍ରାକୃତିକ ସମ୍ପଦ ସଂରକ୍ଷଣ ବିଭାଗର ଗବେଷକଙ୍କୁ ଅଭିନନ୍ଦନ ଜଣାଇଥିବା ବିଶ୍ବବିଦ୍ୟାଳୟ ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି।