ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟରେ ପ୍ରାଚୀନ ସଭ୍ୟତାର ସନ୍ଧାନ ମିଳିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟର ପ୍ରତ୍ନତତ୍ତ୍ବ ଓ ସଂଗ୍ରହାଳୟ ତତ୍ତ୍ବ ବିଭାଗ ତରଫରୁ ସୁନାବେଡ଼ା ଅଭୟାରଣ୍ୟରେ ହୋଇଥିବା ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି। ବିଭାଗୀୟ ଅଧ୍ୟାପକ ଡ. ରଣବୀର ସିଂହ, ଅଧ୍ୟାପକ ହିମାଂଶୁ ଶେଖର ମହାକୁଡ଼, ଲୋକ ସଂସ୍କୃତି ଗବେଷକ ତଥା ବରିଷ୍ଠ ସାମ୍ବାଦିକ ମାୟାଧର ସରାଫଙ୍କ ସହ ମହାବିଦ୍ୟାଳୟର ୧୫ ଜଣ ଛାତ୍ରଛାତ୍ରୀ ଏହି ସର୍ବେକ୍ଷଣ କାର୍ଯ୍ୟରେ ସାମିଲ ହୋଇଥିଲେ। ସୁନାବେଡ଼ା ଅଭୟାରଣ୍ୟରେ ଥିବା ବିଭିନ୍ନ ଜଳସ୍ରୋତ ତଥା ଜୋଙ୍କ ନଦୀ ଅବବାହିକାକୁ ବୁଲି ପ୍ରତ୍ନତାତ୍ତ୍ବିକ ତଥ୍ୟର ଅନୁସନ୍ଧାନ କରିଥିଲେ। ପ୍ରଥମେ ଉକ୍ତ ନଦୀ ଅବବାହିକାରେ ଥିବା ଅବହେଳିତ ମାନିକଗଡ଼ରେ ସର୍ବେକ୍ଷଣ କରାଯାଇଥିଲା। ଏହା ଏକ ବିସ୍ତୁତ ଓ ପ୍ରସ୍ତର ନିର୍ମିତ ଦୁର୍ଗ, ଯାହାକି ସମୁଦ୍ର ପତ୍ତନରୁ ପ୍ରାୟ ୪ ହଜାର ଫୁଟ ଉପରେ ଅବସ୍ଥିତ। କୌଟିଲ୍ୟଙ୍କ ଅନୁସାରେ ଏହା ହେଉଛି ଏକ ଗିରି ଦୁର୍ଗ।
ବର୍ତ୍ତମାନର ଅବଶେଷରୁ ଜଣାପଡ଼େ, ଏହା ଏକ ଆୟତାକାର ଦୁର୍ଗ, ଯାହାର ଉତ୍ତର-ଦକ୍ଷିଣକୁ ଲମ୍ବି ଯାଇଥିବା ପ୍ରସ୍ତର ନିର୍ମିତ ଦୁର୍ଗ ପ୍ରାଚୀର ୩ ଶହ ମିଟରରୁ ମଧ୍ୟ ଅଧିକ। ଏହା ଇତିହାସର ମୁକସାକ୍ଷୀ ପାଲଟିଛି । ପୂର୍ବ-ପଶ୍ଚିମ ପଟେ ଥିବା ଦୁର୍ଗ ପ୍ରାଚୀର ଭଗ୍ନାବଶେଷ ବିଭିନ୍ନ ସ୍ଥାନରେ ପଡ଼ିରହିଛି। ମାନିକଗଡ଼ ଦୁର୍ଗକୁ ଛାଡ଼ି କିଛି ମିଟର ତଳେ ପ୍ରାୟ ୧୫୦ ମିଟର ପାହାଡ଼ କଡ଼ରେ ଗଲାପରେ ଗିରିବାମନ ଗୁମ୍ଫା ଅବସ୍ଥିତ। ଗୁମ୍ଫାରେ ପ୍ରାଚୀନ ଚିତ୍ରକଳାର ନିଦର୍ଶନ ପରିଲକ୍ଷିତ ହେଉଛି। ଗୁମ୍ଫାର ଭିତର ପଟ ଛାତରେ ଶ୍ୟାମଳ, ଗେରୁଆ ସହ ହଳଦିଆ ରଙ୍ଗରେ ଅଙ୍କିତ ଶିଳାଚିତ୍ର ପ୍ରତ୍ନତାତ୍ତ୍ବିକ ତଥ୍ୟର ପରିଲକ୍ଷିତ ହୁଏ। ଜିଲ୍ଲାର ପ୍ରାକ୍ ଐତିହାସିକ ଅଧ୍ୟୟନରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାରେ ଏହା ସହାୟକ ହେବ ବୋଲି ଡ. ରଣବୀର ସିଂହ କୁହନ୍ତି। ସେହିପରି ପ୍ରତ୍ନତାତ୍ତିକ ଅନ୍ବେଷଣରେ ଉକ୍ତ ଟିମ୍ ଜୁମଳାଗଡ଼ ଦୁର୍ଗ ମଧ୍ୟ ଯାଇଥିଲେ।
ଯାହା ମାନିକଗଡ଼ ଦୁର୍ଗରୁ ୫ କିମି ବ୍ୟବଧାନରେ ଜୋଙ୍କ ନଦୀ ଡାହାଣ ପାର୍ଶ୍ବରେ ଅବସ୍ଥିତ। ଏହାର ଦୁର୍ଗୀକରଣ ମାନିକଗଡ଼ରୁ ସଂପୂର୍ଣ୍ଣ ଭିନ୍ନ ଅଟେ। ଏହା ଏକ ଆୟତାକାର,ପ୍ରସ୍ତର ଏବଂ ପୋଡ଼ାଇଟାରେ ନିର୍ମିତ। ପୂର୍ବ-ପଶ୍ଚିମ ଦୁର୍ଗ ପ୍ରାଚୀରରେ ଦୁଇଟି ଦ୍ବାର, ଦୁର୍ଗ ପ୍ରାଚୀରର ଚାରି କୋଣରେ ୪ଟି ଏବଂ ଉତ୍ତର-ଦକ୍ଷିଣ ପ୍ରାଚୀରରେ ଦୁଇଟି ଲେଖାଏଁ ପ୍ରହରୀ ପ୍ରକୋଷ୍ଠ ରହିଛି। ନିରାପଦ ଦୃଷ୍ଟିକୋଣରୁ ଏହା ଏକ ସୁସମ୍ପାଦନ ପଦ୍ଧତିରେ ନିର୍ମିତ ଦୁର୍ଗ । ଘଞ୍ଚ ଜଙ୍ଗଲରେ ଏବଂ ସହରଠୁ ବହୁତ ଦୂରରେ ଥିବା ହେତୁ ଏହାର ଖନନ କାର୍ଯ୍ୟରେ ବାଧା ଉପୁଜୁଛି। ଏହାର ଖନନ କାର୍ଯ୍ୟ ପାଇଁ ଏଏସଆଇ ଆର୍କିଓଲଜିକାଲ୍ ସର୍ଭେ ଅଫ୍ ଇଣ୍ତିଆ(ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାନ) ଆଗ୍ରହ ପ୍ରକାଶ କଲେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଡ. ସିଂହ କହିଛନ୍ତି।