ଶାନ୍ତିର ଓଡ଼ିଶା ଆଜି ବଦଳିଯାଇଛି

ଆଇନଶୃଙ୍ଖଳା ପରିସ୍ଥିତି ନେଇ ଗୃହରେ ସରଗରମ ଆଲୋଚନା
ଗୃହ ରାଷ୍ଟ୍ର ମନ୍ତ୍ରୀ ଉତ୍ତର ନ ରଖିବାକୁ କଂଗ୍ରେସର ଦାବି, କକ୍ଷତ୍ୟାଗ
ରାଜ୍ୟପାଳଙ୍କୁ ଫେରାଦ ଜଣାଇଲା କଂଗ୍ରେସ
ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସରିଛି: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯାଇଛି ବୋଲି ଆରୋପ ଲଗାଇ ବୁଧବାର ଦିନ ବିଧାନସଭାରେ ସରକାରଙ୍କୁ ଭର୍ତ୍ସନା କରିଥିଲେ ବିଜେପିର ସଦସ୍ୟମାନେ। ମମିତା ମେହେର ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ମାନସ ସ୍ବାଇଁ ହତ୍ୟାକାଣ୍ଡ ପର୍ଯ୍ୟନ୍ତ, ପୁଣି ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ। ଏହି ସବୁ ପ୍ରସଙ୍ଗ ଉଠାଇ ସେମାନେ ସରକାରଙ୍କୁ ଘେରିଥିଲେ। କିନ୍ତୁ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଛି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ସ୍ବୀକାର କରି ନ ଥିଲେ।

ବୁଧବାର ଦିନ ବିଜେପି ପକ୍ଷରୁ ‘ହିଂସା ଓ ଅପରାଧିକ କାର୍ଯ୍ୟକଳାପରେ ସାରା ରାଜ୍ୟ ଅଶାନ୍ତ, ସରକାର କହୁଛନ୍ତି ସବୁ ଶାନ୍ତି ଓ ସ୍ବାଭାବିକ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଆଗତ ହୋଇଥିଲା। ଆଲୋଚନା ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କହିଥିଲେ, ମୁଲତବୀ ଆଲୋଚନା ଉତ୍ତର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନ ଦିଅନ୍ତୁ। ଯେହେତୁ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ନିଜେ ଜଣେ ଅଭିଯୁକ୍ତ, ତେଣୁ ସେ ଉତ୍ତର ଦେବା ଠିକ ନୁହେଁ। ଗୃହ ମନ୍ତ୍ରୀ ଭାବେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା କଥା। ମୁଖ୍ୟମନ୍ତ୍ରୀ ନ ଥିବାରୁ ତାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖନ୍ତୁ। ବାଚସ୍ପତି ଯଦି ଶାନ୍ତିପୂର୍ଣ୍ଣ ଭାବେ ଗୃହ ଚଳାଇବାକୁ ଚାହୁଁଛନ୍ତି, ତେବେ ଏ ନେଇ ରୁଲିଂ ଦିଅନ୍ତୁ।

କିନ୍ତୁ ତାରାଙ୍କ ଦାବିକୁ ବାଚସ୍ପତି ଗ୍ରହଣ ନ କରି ଆଲୋଚନା ଆରମ୍ଭ କରିଥିଲେ। ମୁଲତବୀ ପ୍ରସ୍ତାବଟି ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ସଂକ୍ରାନ୍ତୀୟ ହୋଇଥିବାରୁ ଏପରି ଦାବି ଗ୍ରହଣୀୟ ନୁହେଁ। ଏତିକି କହି ବାଚସ୍ପତି ମୁଲତବୀ ପ୍ରସ୍ତାବ ଉପରେ ବିବୃତି ରଖିବାକୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଡାକିଥିଲେ। ତାରା ଏହାର ପ୍ରତିବାଦ କରି ଗୃହର ମଧ୍ୟଭାଗକୁ ଚାଲିଆସିଥିଲେ। କଂଗ୍ରେସର ଅନ୍ୟ ସଭ୍ୟମାନେ ମଧ୍ୟ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ସେମାନଙ୍କୁ ଆସନକୁ ଫେରିଯିବା ପାଇଁ କହୁଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ମଧ୍ୟ କଂଗ୍ରେସ ସଭ୍ୟମାନଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ। ବାଚସ୍ପତି ଆଲୋଚନା ଜାରି ରଖିବାକୁ ଉଦ୍ୟମ କରିବାରୁ କଂଗ୍ରେସ ସଭ୍ୟମାନେ କ୍ଷୋଭ ପ୍ରକାଶ କରି କକ୍ଷତ୍ୟାଗ କରିଥିଲେ। ଏହା ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ ସେମାନେ ଧାରଣା ଦେଇଥିଲେ।

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ବି ସମାନ ପ୍ରସଙ୍ଗ ଉଠାଇଥିଲେ। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ଦାବି କରିଥିଲେ। ଶ୍ରୀ ମାଝୀ କହିଥିଲେ ଯେ ଶାନ୍ତିର ଓଡ଼ିଶା ଆଜି ବଦଳି ଯାଇଛି। ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳାମାନେ ଅସୁରକ୍ଷିତ। ପଶ୍ଚିମବଙ୍ଗ ରାସ୍ତାରେ ଯାଉଛି ଓଡ଼ିଶା। ୨୨ ବର୍ଷର ଓଡ଼ିଶାର ଶାସନ ଚିତ୍ର ବଦଳୁଛି। ବିଧାୟକ ପ୍ରଶାନ୍ତ ଜଗଦେବ ଗାଡ଼ି ଚଢ଼ାଇ ଦେବା ଭଳି ଘଟଣା ପରେ ବି ବିଜେଡିରୁ ସେ ନିଲମ୍ବିତ ହେଲେ କି ନାହିଁ ତାହା ଆଜି ପର୍ଯ୍ୟନ୍ତ ବାଚସ୍ପତିଙ୍କୁ ଜଣାଗଲା ନାହିଁ। ବିଧାୟକଙ୍କ ଗାଡ଼ି ନମ୍ୱର ବଦଳିବା ସନ୍ଦେହ ସୃଷ୍ଟି କରୁଛି। ତାଙ୍କୁ କିଏ ସୁରକ୍ଷା ଦେଉଛି? ଏହା ସହ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣା ଉଠାଇ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ମୋହନ। ମମିତା ହତ୍ୟାକାଣ୍ଡ ଓ ମାନସ ହତ୍ୟାକାଣ୍ଡ ଘଟଣାର ସମାନତା ଅଛି। ଉଭୟ ଘଟଣାରେ ପୁଲିସର ଭୂମିକା ସନ୍ଦେହଜନକ। ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠାଙ୍କ ସହ ବଡ଼ ବଡ଼ିଆଙ୍କ ସମ୍ପର୍କ ରହିଥିବା ଅଭିଯୋଗ ରହିଛି । ମାନସ ପରିବାର ଅଭିଯୋଗ କରିଛନ୍ତି ଯେ ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି। ମନ୍ତ୍ରୀମାନଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ କେମିତି ଠିକ ଭାବେ ହେବ। ସେହିପରି ନିର୍ବାଚନୀ ହିଂସା ଏଥର ସୀମା ଟପିଲା। ପଞ୍ଚାୟତ ନିର୍ବାଚନରେ ବୋମା, ଗୁଳି ଫୁଟିଲା। ଓଡ଼ିଶାରେ କାଶ୍ମୀର ଭଳି ପରିସ୍ଥିତି ହେବାକୁ ଯାଉଛି। ସମ୍ବିଧାନ ମୁଖବନ୍ଧରେ ଅହିଂସା ଯୋଡ଼ିବା ପାଇଁ କୁହାଯାଉଥିଲା ବେଳେ ହିଂସା ବଢ଼ିଚାଲିଛି। ବିଜେପି ବିଧାୟକ କୁସୁମ ଟେଟେ, ଭାସ୍କର ମଢ଼େଇ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

ତେବେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ, ମହିଳାଙ୍କୁ ନ୍ୟାୟ ଦେବା ପାଇଁ ସରକାର ପ୍ରତଶ୍ରୁତିବଦ୍ଧ। ଥାନାରେ ମାମଲା ଆସିଲେ ତୁରନ୍ତ ସମାଧାନ କରାଯାଉଛି। ମାଓବାଦୀ ଉପଦ୍ରବ କମିଛି। ପୁଲିସ ଯୋଗୁ ମାଓ ହିଂସା କମିଛି। କୌଣସି ଜାଗାରେ ବଡ଼ ଧରଣର ରାଜନୈତିକ ହିଂସାକାଣ୍ଡ ହୋଇ ନଥିବା ଶ୍ରୀମତୀ ମଲ୍ଲିକ କହିଥିଲେ। ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଅଶ୍ବିନୀ ପାତ୍ର ଓ ରାଜ କିଶୋର ଦାସ ସରକାରଙ୍କୁ ପ୍ରଂଶସା କରିଥିଲେ।

ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ, ଚଳିତ ବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମାଓପ୍ରବଣ ଇଲାକାରେ ମାଓବାଦୀମାନେ ନିର୍ବାଚନ ବର୍ଜନ କରିବାକୁ ଧମକ ଦେଇଥିଲେ ମଧ୍ୟ ବହୁ ମତଦାତା ଧମକକୁ ପ୍ରତ୍ୟାଖ୍ୟାନ କରି ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ। ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା କ୍ରାଇମ୍‌ବ୍ରାଞ୍ଚ୍‌କୁ ଦିଆଯାଇଛି ଓ ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଛି। ମମିତା ମେହେର ମାମଲାରେ ଅଦାଲତରେ ଚାର୍ଜସିଟ୍ ଦାଖଲ ହୋଇଛି। ରାଜ୍ୟରେ ମହିଳା ଓ ଶିଶୁଙ୍କ ବିରୋଧରେ ହେଉଥିବା ଅପରାଧଗୁଡ଼ିକୁ ରୋକିବା ଏବଂ ତାହାର ଦଣ୍ଡବିଧାନକୁ ଗୋଟିଏ ଛତା ତଳେ ତଦାରଖ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ୍‌ ଅଧୀନରେ ଏକ ସ୍ବତନ୍ତ୍ର ଶାଖା ସ୍ଥାପନ କରାଯାଇଛି। ରାଜ୍ୟରେ ନାର୍କୋଟିକ୍ ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠା ନିୟମିତ ଜାରି ରହିଛି। ରାଜ୍ୟରେ ଅପରାଧ ରୂପରେଖ ସନ୍ତୋଷଜନକ ଭାବେ ନିୟନ୍ତ୍ରଣାଧୀନ ଥିବା ସହ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ଅଛି। ଏଣୁ ହିଂସା ଓ ଅପରାଧିକ କାର୍ଯ୍ୟକଳାପରେ ସାରା ରାଜ୍ୟ ଅଶାନ୍ତ ଉକ୍ତିଟି ସତ୍ୟ ନୁହେଁ ବୋଲି ମନ୍ତ୍ରୀ କହିଥିଲେ।

ଅପର ପକ୍ଷରେ କଂଗ୍ରେସ ବିଧାୟକମାନେ ଦଳର ନେତା ଶ୍ରୀ ମିଶ୍ରଙ୍କ ନେତୃତ୍ବରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଫେରାଦ ଜଣାଇଥିଲେ। ସେମାନେ ଯୁକ୍ତି ଦର୍ଶାଇଥିଲେ ଯେ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ନିଜେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମରେ ଷଡ଼ଯନ୍ତ୍ରର ଅଭିଯୋଗ ରହିଛି। କିନ୍ତୁ ସେ ଗୃହ ବିଭାଗ ଦାୟିତ୍ବ‌ରେ ଥିବାରୁ ପୁଲିସ ସେ ଦିଗରେ ତଦନ୍ତ କରୁ ନାହିଁ। ମନ୍ତ୍ରୀଙ୍କ ନାମରେ ଏପରି ସଙ୍ଗୀନ ଅଭିଯୋଗ ଥିବାରୁ ସେ ଗୃହରେ ଉତ୍ତର ନ ରଖିବାକୁ କଂଗ୍ରେସ ଦାବି କରିଥିଲା। କିନ୍ତୁ ବାଚସ୍ପତି ଶୁଣି ନ ଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ କଂଗ୍ରେସ ବିଧାୟକମାନେ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର