ବିଜେଡିରେ ନୂଆ ସମୀକରଣ ନେଇ ଚର୍ଚ୍ଚା: ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବୁଲୁ ଓ ଗୁଲ୍‌ମୁକ୍କୀଙ୍କ ଭେଟ୍‌ଘାଟ

ଭଦ୍ରକ: ଭଦ୍ରକ ସହରର ଜଗନ୍ନାଥପୁର କଲେଜ ରୋଡସ୍ଥିତ ସାଳନ୍ଦୀ ନଦୀ କୂଳରେ ନିର୍ମାଣ ହୋଇଥିବା ଶ୍ରୀ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ  ସ୍ଥାପନ ଉତ୍ସବର ଦ୍ବିତୀୟ ଦିନର ପୂଜା ଉତ୍ସବରେ ଭଦ୍ରକ ପୌରପାଳିକାର ନବ ନିର୍ବାଚିତ ପୌରାଧ୍ୟକ୍ଷା ଗୁଲ ମୁକ୍କୀ ହବିବ୍‌ଙ୍କ ସହ ବିଜେଡି ନେତା ତଥା ରାଜ୍ୟ ମତ୍ସ୍ୟ ନିଗମର ଅଧ୍ୟକ୍ଷ  ଅସିତ୍ ପଟ୍ଟନାୟକ (ବୁଲୁ)ଙ୍କ ଭେଟଘାଟ ହୋଇଛି। ଉଭୟଙ୍କର ଏହି ଭେଟଘାଟ ଭଦ୍ରକ ବିଜେଡି ରାଜନୀତିର ନୂଆ ସମୀକରଣକୁ  ଇସରା ଦେଉଛି ବୋଲି ଚର୍ଚ୍ଚା  ହେଉଛି। ଗୁଲ୍ ମୁକ୍କୀ ହବିବ୍  ଓ  ତାଙ୍କ ସ୍ବାମୀ ଯୁବନେତା  ଜାହିଦ୍ ହବିବ୍ ମିଳିତ ଭାବେ ବୁଲୁ ପଟ୍ଟନାୟକଙ୍କ ସହ ଏକ ସଂଗରେ ମନ୍ଦିର ପ୍ରତିଷ୍ଠା  ଉତ୍ସବକୁ  ପ୍ରବେଶ  କରି ଠାକୁରଙ୍କୁ ଦର୍ଶନ  କରିଥିଲେ।  ଗୋଟିଏ  ସ୍ଥାନରେ  ମନ୍ଦିର ପ୍ରତିଷ୍ଠା କମିଟି ଓ ଉତ୍ସବ ଆ‌େୟାଜକଙ୍କ ସହ କଥୋପକଥନ କରିଥିଲେ। ଗଣମାଧ୍ୟମ ଆଗରେ ନିଜର ମତ ଓ ମନ୍ତବ୍ୟ ରଖିବା ସହ ସେଲ୍ଫି ଦେବା ଘଟଣା ଚର୍ଚ୍ଚାକୁ ଆସିଛି। ମନ୍ଦିର ପରିସରରେ ବୁଲୁ  ଓ ଗୁଲୁ ମକ୍କୀଙ୍କର ଏହି ଭେଟଘାଟକୁ ନେଇ  ଭଦ୍ରକ ବିଜେଡି ରାଜନୀତି ବେଶ୍ କିଛି ଉଷ୍ମ ହୋଇଛି।

ଏହି ଭେଟଘାଟ ପଛରେ ରହସ୍ୟ କଣ ହୋଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।  ବହୁ ଦିନର ନିରବତା ପରେ  ଭଦ୍ରକରେ  ହଠାତ୍ ବୁଲୁଙ୍କର ଏଭଳି ଆବିର୍ଭାବ ହେବା ଘଟଣା ଭଦ୍ରକ  ରାଜନୀତିକୁ  ଚଳଚଞ୍ଚଳ କରିଛି। ନିର୍ବାଚନ ପୂର୍ବରୁ  ସ୍ବାଧୀନ ପ୍ରାର୍ଥୀ   ଗୁଲ ମୁକ୍କୀ  ଓ  ବୁଲୁଙ୍କ  ଗଠବନ୍ଧନ  ଭିତରେ ଭିତରେ ଥିଲା ବୋଲି ଆଜିର ଉତ୍ସବରେ ଏକାଠି ହେବା ଘଟଣାରୁ ସ୍ପଷ୍ଟ ଖୁଲାସା କରୁଛି । ଗୁଲୁ ମୁକ୍କୀଙ୍କ ବିଜୟ ପଛରେ  ବୁଲୁଙ୍କର  ପ୍ରଚ୍ଛଦପଟ୍ଟରେ ହାତ ଥିବା କଥା ଆଲୋଚନା ହେଉଥିଲା।  ଗୁଲୁ ମୁକ୍କୀ  ଭଦ୍ରକ ପୌରାଧ୍ୟକ୍ଷ ଭାବେ  ବିଜୟ ହେବା ପରେ ଭଦ୍ରକର  ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଯୁଗଳ କିଶୋର ପଟ୍ଟନାୟକଙ୍କୁ ତାଙ୍କର ଭୁବନେଶ୍ବରସ୍ଥିତ ବାସଭବନକୁ ଯାଇ ସେଠାରେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ଯୁଗଳ ବାବୁ  ମଧ୍ୟ ଗୁଲ ମୁକ୍କୀଙ୍କୁ  ଆଶୀର୍ବାଦ ଦେଇଥିଲେ। ରାଜନୀତିର ଯାତ୍ରା ପଥରେ ଆଗକୁ  ଯିବା ପାଇଁ ପ୍ରେରଣା ବି ଦେଇଥିଲେ। ସେତେବେଳେ ମଧ୍ୟ  ଯୁଗଳବାବୁ ଓ ଗୁଲ ମୁକ୍କୀଙ୍କର  ଏହି ସାକ୍ଷାତ ଫଟୋ ସାମାଜିକ  ଗଣମାଧ୍ୟମରେ ଭାଇରାଲ  ହୋଇଥିଲା। କେବଳ ସେତିକି ନୁହେଁ ପୌର ନିର୍ବାଚନ ବେଳେ ଯୁଗଳ ବାବୁ ଓ  ତାଙ୍କ  ଦୁଇ ପୁଅ  ଟୁଲୁ ଓ  ବୁଲୁ  ଭୁବନେଶ୍ବରରୁ  ଭଦ୍ରକ ଘରକୁ ଆସି ଜଗନ୍ନାଥପୁରସ୍ଥିତ  ଭୋଟ ଗ୍ରହଣ କେନ୍ଦ୍ରରେ  ଭୋଟ ଦେଇଥିଲେ। ସେତେବେ‌େଳ  ଏହି ଫଟୋ ସାମାଜିକ ଗଣମାଧ୍ୟରେ ଭାଇରାଲ ହୋଇଥିଲା।  ଗୁଲୁ ମୁକ୍କୀଙ୍କ ବିଜୟ ପଛରେ ବୁଲୁଙ୍କର ପ୍ରଚ୍ଛଦ ପଟ୍ଟରେ ସମର୍ଥନ ରହିଥିବା  କଥା  ଯାହା ଚର୍ଚ୍ଚା  ହେଉଥିଲା ସେ ଚର୍ଚ୍ଚା ଆଜିର ଭେଟଘାଟ ପରେ ସ୍ପଷ୍ଟ ହୋଇଛି। ଆଗାମୀ ଦିନରେ ବୁଲୁଙ୍କ  ସହଯୋଗ‌ରେ  ବିଜେଡି ପୁଣି ଗୁଲୁ ମକ୍କୀଙ୍କର ମିଶ୍ରଣ ହେବ କି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। କିନ୍ତୁ ଏହି ଚର୍ଚ୍ଚାକୁ ନେଇ କେହି କିଛି ମୁହଁ  ଖୋଲି ନାହାନ୍ତି।

୨୦୧୯ ସାଧାରଣ ନିର୍ବାଚନରେ ଭଦ୍ରକ ନିର୍ବାଚନମଣ୍ଡଳୀରୁ  ବୁଲୁ ପଟ୍ଟନାୟକ ବିଜେଡି ଟିକଟ ପାଇଁ ଦାବିଦାର ଥିଲେ। ମାତ୍ର ଶେଷ ପର୍ଯ୍ୟାୟରେ ତାଙ୍କୁ ଟିକଟରୁ ବଞ୍ଚିତ ହେବାକୁ ପଡିଥିଲା। ସେତେବେ‌େଳ ବିଜେଡିରୁ ନବାଗତ ସଂଜୀବ ମଲ୍ଲିକ (ବଣୁ)ଙ୍କୁ ଟିକଟ ମିଳିଥିଲା। ସଞ୍ଜୀବ ବିଧାୟକ ହେବା ପରେ  ବୁଲୁଙ୍କୁ ମତ୍ସ୍ୟ ନିଗମରେ ଅଧ୍ୟକ୍ଷ ପଦ ଦିଆଯାଇ ଥଇଥାନ କରାଯାଇଥିଲା। ସେତେବେ‌େଳ ଭଦ୍ରକ ଟିକଟ ପାଇଁ ଅନ୍ୟତମ ଦାବିଦାର ବିଜେଡିର ବରିଷ୍ଠ ନେତା  ବିଧାୟକ ପ୍ରଫୁଲ୍ଲ  ସାମଲଙ୍କୁ ପୁଣି ଭଣ୍ଡାରିପୋଖରୀରେ  ଦଳୀୟ ଟିକଟ ଦିଆଯାଇ ରାଜନୈତିକ ଗୋଳମାଳିଆ ପରିସ୍ଥିତିକୁ ଅନେକାଂଶରେ ଶାନ୍ତ କରାଯାଇଥିଲା।  ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭଦ୍ରକ ରାଜନୀତି ଏବେଠାରୁ ଗୋଳିଆ ଧରିବାକୁ ବସିଛି। ଏହି ଆସନ ପାଇଁ ପୁଣି ସେଇ ତିନି ପ୍ରମୁଖ ଦାବିଦାର  ନିଜ ନିଜର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଛନ୍ତି। ଆଗାମୀ ଦିନର ଭଦ୍ରକ ରାଜନୀତି ପାଇଁ ବଣୁ-ବୁଲୁ-ଲୁଲୁଙ୍କ ମଧ୍ୟରେ ଆରମ୍ଭ ହୋଇଛି ପାୱାର ସୋ। ବିଭିନ୍ନ ତରିକାରେ  କରାଯାଉଛି ରାଜନୈତିକ  ଗୋଟି ଚାଳାନା। ସମୟଚକ୍ରରେ କାହାର ପଲା କେତେ ଭାରି ସେ କଥା ସମୟ କହିବ।

ସମ୍ବନ୍ଧିତ ଖବର