ଭୁବନେଶ୍ୱର : ଆଜି ପ୍ରଶ୍ନକାଳ ଆରମ୍ଭରୁ ଅର୍ଥ ବିଭାଗର ଏକ ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ପ୍ରଶ୍ନକାଳର ଏକ ଘଣ୍ଟାରୁ ପ୍ରାୟ ୪୦ ମିନିଟ୍ ଏହି ବିଭାଗ ଉପରେ ଚର୍ଚ୍ଚା ହୋଇଥିଲା ଗୃହରେ। ସଭ୍ୟମାନେ ବେଶ୍ ଉତ୍ସୁକତାର ସହ ପ୍ରଶ୍ନ କରୁଥିଲେ। ବାଚସ୍ପତି ବି ସୁଯୋଗ ଦେଉଥିଲେ। କିନ୍ତୁ ଅର୍ଥ ମନ୍ତ୍ରୀଙ୍କ ପାଖରେ ଅଧିକାଂଶ ପ୍ରଶ୍ନରେ ବିଧାୟକ ମାଗୁଥିବା ତଥ୍ୟ ନ ଥିଲା। କାମଚଳା ଢଙ୍ଗରେ ଉତ୍ତର ଦେଇଥିଲେ। କେବଳ କେନ୍ଦ୍ରକୁ ଦୋଷ ଦେବା ବାଦ୍ ମନ୍ତ୍ରୀ ନିଜ ଉତ୍ତରରେ ସଭ୍ୟମାନଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲେ। ଏହାକୁ ନେଇ ଆଜି ବିଧାନସଭାରେ ଚାପା ଗୁଞ୍ଜରଣ ବି ସୃଷ୍ଟି ହୋଇଥିଲା।
ଶାସକ ଦଳ ସଭ୍ୟ ପ୍ରିୟଦର୍ଶୀ ମିଶ୍ରଙ୍କ ମୂଳ ପ୍ରଶ୍ନ ଥିଲା, ରାଜ୍ୟ ବଜେଟ୍ରେ ବରାଦ ଅର୍ଥ ଖର୍ଚ୍ଚ ହୋଇପାରୁ ନ ଥିବା ତଥ୍ୟ ସତ୍ୟ କି? ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ, ବଜେଟ୍ ଏକ ଅଟକଳ ଅଟେ। ଏଥି ମଧ୍ୟରୁ ଆବଶ୍ୟକତା ଭିତ୍ତିରେ ଅର୍ଥ ବ୍ୟୟ କରାଯାଇଥାଏ। କେନ୍ଦ୍ରୀୟ ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡ଼ିକ ପାଇଁ କେନ୍ଦ୍ରୀୟ ଅନୁଦାନର ଉପଲବ୍ଧତା, କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ହାରରେ ମହଙ୍ଗା ଭତ୍ତା ପ୍ରଦାନ, ଆଗାମୀ ବର୍ଷରେ ଆହରଣ କରାଯିବାକୁ ଥିବା ଋଣ ଉପରେ ସୁଧ ପ୍ରଦାନ, ଜମି ଅଧିଗ୍ରହଣ ସମସ୍ୟା, ଅଦାଲତ ମାମଲା ଓ ସ୍ଥାନୀୟ ଜନସାଧାରଣଙ୍କ ବିରୋଧ ଯୋଗୁଁ ପ୍ରକଳ୍ପ ରୂପାୟନରେ ବିଳମ୍ବ ଇତ୍ୟାଦି ଉପରେ ଅର୍ଥ ବ୍ୟୟ ନିର୍ଭର କରିଥାଏ। ତେଣୁ ବଜେଟ୍ରେ ବରାଦ ହୋଇଥିବା ଅର୍ଥର ସମ୍ପୂର୍ଣ୍ଣ ବିନିଯୋଗ କରିବା ସମ୍ଭବ ହୋଇ ନ ଥାଏ।
ଏହି ପ୍ରଶ୍ନ ଉପରେ ୧୦ ଜଣ ବିଧାୟକ ଅତିରିକ୍ତ ପ୍ରଶ୍ନ କରିଥିଲେ। କିନ୍ତୁ ମନ୍ତ୍ରୀଙ୍କ ପାଖରେ ଠିକ୍ ତଥ୍ୟ ନ ଥିବାରୁ ଅଧିକାଂଶ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପ୍ରତି ପ୍ରଶ୍ନରେ ମନ୍ତ୍ରୀ ଲମ୍ବା ଉତ୍ତର ଦେଉଥିଲେ। କିନ୍ତୁ ପ୍ରଶ୍ନ ସହ ତା’ର ତାଳମେଳ ଠିକ୍ ରହୁ ନ ଥିଲା। ପ୍ରଶ୍ନ ଗୋଟିଏ ପଟେ ଥିଲା ବେଳେ ମନ୍ତ୍ରୀଙ୍କ ଉତ୍ତର ତା’ ବାଟରେ ଥିଲା। କେବଳ କେନ୍ଦ୍ରକୁ ଦୋଷ ଦେଇ ଓ କିଛି ତଥ୍ୟକୁ ବାରମ୍ବାର ଦୋହରାଇ ମନ୍ତ୍ରୀ ସମୟ ଗଡ଼ାଇ ଦେଇଥିଲେ।
ବିଧାୟକ ଭୁଜବଳ ମାଝୀ ବର୍ତ୍ତମାନ ରାଜ୍ୟର ଋଣ ପରିମାଣ ପଚାରିଥିଲେ। କାହିଁକି ଋଣ ହେଉଛି, ମନ୍ତ୍ରୀ ତାହାର ଯୁକ୍ତି ଦର୍ଶାଇଥିଲେ। କିନ୍ତୁ ଋଣର ପରିମାଣ କହିପାରି ନ ଥିଲେ। ବିଧାୟକ ବିଭୂତି ହରିଚନ୍ଦନ ପଚାରିଥିଲେ, ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ କେତେ ଅନୁଦାନ ଆସିଛି? ରାଜ୍ୟ ବଜେଟ୍ରେ ଏହା କେତେ ପ୍ରତିଶତ? ମନ୍ତ୍ରୀ ହିସାବ ଦେଇପାରି ନ ଥିଲେ। କିନ୍ତୁ ଠିକଣା ସମୟରେ କେନ୍ଦ୍ର ଅର୍ଥ ଆସେନି ବୋଲି ଆରୋପ ଲଗାଇଥିଲେ।
ବିଧାୟକ ସରୋଜ ସାମଲ କହିଥିଲେ, ଚତୁର୍ଦ୍ଦଶ ଅର୍ଥ କମିସନ୍ରୁ ଆମେ ଆଶାନୁରୂପ ଅର୍ଥ ପାଇପାରି ନ ଥିଲୁ। ପଞ୍ଚଦଶ ଅର୍ଥ କମିସନ୍ ପାଖରେ ଆମ ଦାବି ଉପସ୍ଥାପନ ପାଇଁ ପ୍ରସ୍ତୁତି ହେଲାଣି କି? ମନ୍ତ୍ରୀଙ୍କ ପାଖରେ ସିଧାସଳଖ ଉତ୍ତର ନ ଥିଲା। ପ୍ରଦୀପ ପୁରୋହିତ ପଚାରିଥିଲେ, ଦରମା, ଋଣ ପରିଶୋଧ ପାଇଁ ଅର୍ଥ ଗଲା ପରେ ୨୦୧୬-୧୭ରେ କେତେ ଅର୍ଥ ବଳକା ରହିଲା? ବିନା କେନ୍ଦ୍ରୀୟ ସହାୟତାରେ ରାଜ୍ୟ ସରକାର ନିଜସ୍ୱ ଯୋଜନା କ’ଣ କରିଛନ୍ତି? ହରିଶ୍ଚନ୍ଦ୍ର ଯୋଜନା ପାଇଁ ବଜେଟ୍ରେ କାହିଁକି ଅର୍ଥ ରଖାଯାଇ ନାହିଁ? ମନ୍ତ୍ରୀ ଶ୍ରୀ ବେହେରା ରାଜ୍ୟ ସରକାରଙ୍କ ଯୋଜନାର ତାଲିକା ଦେଇଥିଲେ। କିନ୍ତୁ ଅନ୍ୟ ପ୍ରଶ୍ନଗୁଡ଼ିକର ତଥ୍ୟ ପରେ ଦେବେ ବୋଲି କହିଥିଲେ।
ଶାସକ ଦଳ ସଭ୍ୟ ଅଶ୍ୱିନୀ ପାତ୍ରଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର ଗୃହରେ ଆହୁରି ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଥିଲା। ଶ୍ରୀ ପାତ୍ର ପଚାରିଥିଲେ, ବାଜପେୟୀଙ୍କ ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆରମ୍ଭ ହୋଇଥିଲା। ଏବେ ଏହି ଯୋଜନାରେ କେନ୍ଦ୍ର କେତେ ପ୍ରତିଶତ ଅର୍ଥ ଦେଉଛି? ମନ୍ତ୍ରୀ କହିଥିଲେ, ଆଗରୁ ୧୦୦ ପ୍ରତିଶତ ଆସୁଥିଲା। କିନ୍ତୁ ଏବେ ୬୦-୪୦ ହୋଇଯାଇଛି। ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ନିଜ ପାଣ୍ଠିରୁ ଅର୍ଥ ଦେଉଛନ୍ତି। କାରଣ ସବୁ କଚ୍ଚା ଘରକୁ ପକ୍କା କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ଗୃହ ନିର୍ମାଣ କାର୍ଯ୍ୟ ଜୋର୍ସୋର୍ ଆଗେଇ ଚାଲିଛି।
ମନ୍ତ୍ରୀଙ୍କ ଏପରି ଉତ୍ତରରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ। ବାଚସ୍ପତି ନିଜେ ହସ୍ତକ୍ଷେପ କରି କହିଲେ, ପ୍ରଶ୍ନକର୍ତ୍ତା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ପଚାରୁଛନ୍ତି, ଆବାସ ଯୋଜନା ନୁହେଁ। ମନ୍ତ୍ରୀ କାମ ଚଳାଇ କହିଲେ, ହଁ ହଁ। ଗ୍ରାମ ସଡ଼କ ଯୋଜନାରେ ବି ସମାନ ଅବସ୍ଥା।
ଶାସକ ଦଳ ସଭ୍ୟ ସମୀର ଦାଶ ପ୍ରଶ୍ନ କରିଥିଲେ, ଓଡ଼ିଶା ପରି ଅନ୍ୟ ରାଜ୍ୟରେ ବଜେଟ୍ର ଆକଳନରୁ କେତେ ଅର୍ଥ ଫେରିଯାଉଛି? ଯଦି ହେଉଛି, ତେବେ ଓଡ଼ିଶା ସହ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଉ। ଉତ୍ତରରେ ମନ୍ତ୍ରୀ ତିନିଟି ବିଜେପି ଶାସିତ ରାଜ୍ୟର ଉଦାହରଣ ଦେଇଥିଲେ। ମଧ୍ୟପ୍ରଦେଶରେ ୨୪.୫ ପ୍ରତିଶତ, ମହାରାଷ୍ଟ୍ରରେ ୧୮.୩୩ ପ୍ରତିଶତ ଓ ଛତିଶଗଡ଼ରେ ୨୬.୮୮ ପ୍ରତିଶତ ଅର୍ଥ ଫେରିଯାଉଛି। ଓଡ଼ିଶାରେ ଏହି ପରିମାଣ ୧୬ ପ୍ରତିଶତ। ବିଳମ୍ବରେ ଅର୍ଥ ଆସୁଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଛି।
ବିଧାୟକ ରଜନୀକାନ୍ତ ସିଂହ, ଚନ୍ଦ୍ରଶେଖର ମାଝୀ, ରବିନାରାୟଣ ନାଏକ ଓ ସଞ୍ଜୀବ ସାହୁ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।