ବିଧାନସଭାରେ ମୋଦୀ ଚର୍ଚ୍ଚା: ବିଜେପିର ଧନ୍ୟବାଦ ପ୍ରସ୍ତାବ ବନାମ କଂଗ୍ରେସର ନିନ୍ଦା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପାଇଁ ମୋଦୀଙ୍କୁ ଧନ୍ୟବାଦ ଦିଆଯାଉ: ବିଜେପି
ଏମ୍‌ଏସ୍‌ପି ପ୍ରସଙ୍ଗରେ ବିଧାନସଭା କମିଟିକୁ ସମୟ ଦେଉ ନ ଥିବାରୁ ନିନ୍ଦା ପ୍ରସ୍ତାବ ଆସୁ: କଂଗ୍ରେସ
ବାଚସ୍ପତି ରୁଲିଂ ନ ଦେବାରୁ ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦିଆଯିବ ନା ନିନ୍ଦା କରାଯିବ? ସୋମବାର ଦିନ ପୃଥକ ପୃଥକ ପ୍ରସଙ୍ଗରେ ବିଧାନସଭାରେ ଭିନ୍ନ ଭିନ୍ନ ଦାବି କରିଥିଲେ ବିଜେପି ଓ କଂଗ୍ରେସ ସଭ୍ୟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୬ ମାସ ବୃଦ୍ଧି କରାଯାଇଥିବାରୁ ମୋଦୀଙ୍କୁ ଧନ୍ୟବାଦ ଦେଇ ପ୍ରସ୍ତାବ ଗୃହୀତ କରିବାକୁ ଦାବି କରିଥିଲା ବିଜେପି। କିନ୍ତୁ ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗରେ ବିଧାନସଭା ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସମୟ ଦେଉ ନ ଥିବାରୁ ନିନ୍ଦା ପ୍ରସ୍ତାବ ଆଣିବାକୁ ଦାବି କରିଥିଲା କଂଗ୍ରେସ।

ସୋମବାର ସକାଳେ ବିଜେପି ବିଧାୟକମାନେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିବାକୁ ବାଚସ୍ପତିଙ୍କୁ ଲିଖିତ ଭାବେ ଦେଇଥିଲେ। ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ପ୍ରସଙ୍ଗ ଉଠାଇଥିଲେ। ବିଜେପି ବିଧାୟକମାନେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହେଉଛି ବିଶ୍ବର ସବୁଠାରୁ ବଡ଼ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ। ଏହି ଯୋଜନାରେ କୋଭିଡ୍‌-୧୯ର ପ୍ରତିକୂଳ ପରିସ୍ଥିତିରୁ ଅଦ୍ୟାବଧି ଓଡ଼ିଶା ସମେତ ଦେଶବାସୀଙ୍କୁ ମୁଣ୍ଡପିଛା ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଗରିବ ଲୋକଙ୍କ ଖାଦ୍ୟକୁ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ପୁନର୍ବାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଏପ୍ରିଲ୍‌ ୨୦୨୨ରୁ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ୬ ମାସ ବୃଦ୍ଧି କରିଛନ୍ତି। ଏହି ଯୋଜନା ଅଧୀନରେ ମାଗଣା ଖାଦ୍ୟଶସ୍ୟ ପାଇଁ ଓଡ଼ିଶାର ପ୍ରାୟ ୩.୨୫ କୋଟି ଲୋକ ଉପକୃତ ହେବେ। ଏଥିପାଇଁ ଆବଣ୍ଟିତ ୮୦ ହଜାର କୋଟି ଟଙ୍କା ମଧ୍ୟରୁ ଓଡ଼ିଶା ପାଇଁ ୩,୫୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ବାଦ୍ ବିଭିନ୍ନ ଦୁର୍ବିପାକ ସମୟରେ ଓଡ଼ିଶାର ଲୋକମାନେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲାଭାନ୍ବିତ ହୋଇଛନ୍ତି। ରାଷ୍ଟ୍ର ପାଇଁ ଏପରି ଜନକଲ୍ୟାଣକାରୀ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିବାକୁ ଶ୍ରୀ ସେଠୀ ଗୃହରେ ଦାବି କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଏହି ଦାବି ଦୋହରାଇଥିଲେ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଆପଣମାନଙ୍କ ବକ୍ତବ୍ୟ ଶୁଣିଲି। ବିଜେପି ବିଧାୟକମାନଙ୍କ ଲିଖିତ ପତ୍ର ମଧ୍ୟ ପାଇଛି। ଏହା ଉପରେ ତର୍ଜମା କରି ରୁଲିଂ ଦେବି।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଧାନର ଏମ୍‌ଏସ୍‌ପି ପ୍ରସଙ୍ଗ ଉଠାଇଥିଲେ। ‌ସେ କହିଥିଲେ ଯେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୯୩୦ ଟଙ୍କା କରିବାକୁ ବିଧାନସଭାର ପବିତ୍ର ଗୃହରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯାଇଥିଲା। ବାଚସ୍ପତି ନିଜେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମୟ ମିଳିବା ତ ଦୂରର କଥା ଚିଠିର କୌଣସି ଉତ୍ତର ମିଳିଲା ନାହିଁ। ଏହା ଓଡ଼ିଶା ଓ ଚାଷୀଙ୍କ ସମ୍ମାନର କଥା। ତେଣୁ ଏହି ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଉ। ନ‌ଚେତ ଇତିହାସ ଆମକୁ କ୍ଷମା ଦେବନାହିଁ। ବାଚସ୍ପତି ଏ ନେଇ ରୁଲିଂ ଦେବାକୁ ସେ ଦାବି କରିଥିଲେ।

ବିଜେପିର ପ୍ରସ୍ତାବ ଉପରେ ବାଚସ୍ପତି ଆଜି କୌଣସି ରୁଲିଂ ନ ଦେବାରୁ ବିଧାୟକମାନେ ଖପା ହୋଇଛନ୍ତି। ଅପରାହ୍ନରେ ସେମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗରେ ଫେରାଦ ଜଣାଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଧନ୍ୟବାଦ ପ୍ରସ୍ତାବ ଉପରେ ଅନୁଧ୍ୟାନ କରିବେ ବୋଲି ବାଚସ୍ପତି କହିଥିଲେ। ପରବର୍ତ୍ତୀ ସମୟରେ ଆମ ସହ ଯୋଗାଯୋଗ କରାଗଲା ନାହିଁ ଓ କିଛି ଉତ୍ତର ମଧ୍ୟ ପାଇଲୁ ନାହିଁ। ଅଥଚ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଦିଆଗଲା। ତେଣୁ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ବିଧାୟକମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର