ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କର ଏକ ଟ୍ବିଟ୍କୁ ନେଇ ବିବାଦ ଦେଖାଦେଇଛି। ସେ ‘ନବୀନଙ୍କ ଦମ୍’ ଲେଖାଥିବା ଏକ ପୋଷ୍ଟର୍କୁ ପୋଷ୍ଟ୍ କରିଛନ୍ତି। ଏଥିରେ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ନିଆଯାଇଥିବା ବଡ଼ ବଡ଼ ପଦକ୍ଷେପକୁ ଚୁମ୍ବକରେ ଦର୍ଶାଯାଇଛି। ତେବେ ବିବାଦ ହୋଇଛି ଫଟୋକୁ ନେଇ। ଏହି ପୋଷ୍ଟର୍ର ଗୋଟିଏ ପଟେ ନବୀନ ପଟ୍ଟନାୟକ ଓ ଅନ୍ୟ ପଟେ ୫-ଟି ସଚିବ ଭି କେ ପାଣ୍ଡିଆନ୍ଙ୍କ ଫଟୋ ରହିଛି। ମଝିରେ ଲେଖା ଅଛି ‘ନବୀନଙ୍କ ଦମ୍’।
ଶ୍ରୀ ପଟ୍ଟନାୟକ ଏକ୍ସ(ଟ୍ବିଟର୍) ଓ ଫେସ୍ବୁକ୍ରେ ଏହାକୁ ପୋଷ୍ଟ୍ କଲା ପରେ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ ଶାସନର ମୁଖ୍ୟ ହିସାବରେ ନବୀନଙ୍କ ଫଟୋ ଦେଇ ତାଙ୍କ ସଫଳତା କାହାଣୀ ତାଙ୍କରି ଦଳର ଜଣେ ସାଂସଦ ବଖାଣିବାରେ କିଛି ନୂତନତ୍ବ ନାହିଁ। କିନ୍ତୁ ସେଥିରେ ପାଣ୍ଡିଆନ୍ଙ୍କ ଫଟୋ କାହିଁକି ରହିଲା ବୋଲି ବହୁ ସଚେତନ ନାଗରିକ ତାଙ୍କୁ ଟ୍ବିଟର୍ରେ ପ୍ରଶ୍ନ କରିଛନ୍ତି। ବିଜେଡି ସାଂସଦ କ’ଣ ଅଘୋଷିତ ଭାବେ ନବୀନଙ୍କ ପରେ ୫-ଟି ସଚିବଙ୍କୁ ତାଙ୍କର ସର୍ବୋଚ୍ଚ ନେତା ଭାବେ ମାନି ନେଲେଣି ବୋଲି ପ୍ରଶ୍ନ ଉଠିଛି। ଟ୍ବିଟର୍ରେ ବହୁ ଲୋକ ତାଙ୍କୁ ଟ୍ରୋଲ୍ କରୁଥିଲେ ବି ଶ୍ରୀ ପଟ୍ଟନାୟକ କାହାରିକୁ ଉତ୍ତର ଦେଇନାହାନ୍ତି।