ଝାରସୁଗୁଡ଼ା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଛି। କିନ୍ତୁ ହତ୍ୟା ପଛର କାରଣ ଏବେ ବି ଅସମାହିତ ହୋଇ ରହିଯାଇଛି। ଏହାରି ଭିତରେ ନାର୍କୋ ଟେଷ୍ଟରୁ ଫେରିବା ସମୟରେ ଗୋପାଳ ପିନ୍ଧିଥିବା ଟି-ସାର୍ଟ ହତ୍ୟା ପଛର କାହାଣୀ ଦିଗରେ ସୂଚନା ପ୍ରଦାନ କରୁଛି କି ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଗତକାଲି ଗୋପାଳ ପିନ୍ଧିଥିବା ଟି-ସାର୍ଟରେ ‘ମେଗା ଡେଥ୍‌’ ବୋଲି ଉଲ୍ଲେଖ ରହିଥିବା ବେଳେ ଏଥିରେ ଏକ ମନ୍‌ଷ୍ଟର ବା ରାକ୍ଷସର ଛବି ରହିଥିବା ଦେଖିବାକୁ ମିଳିଥିଲା।

Advertisment

‘ମେଗା ଡେଥ୍‌’ ହେଉଛି ଏକ ଆମେରିକୀୟ ବ୍ୟାଣ୍ଡ। ଏହି ବ୍ୟାଣ୍ଡ ପକ୍ଷରୁ ଚର୍ଚ୍ଚିତ ପୁସ୍ତକ ‘ମଷ୍ଟ ହିଅର ବିଫୋର ୟୁ ଡାଏ’ ଆଧାରରେ ପ୍ରସ୍ତୁତ କରାଯାଇଥିବା ଏକ ଆଲ୍‌ବମ୍‌ ‘ରଷ୍ଟ ଇନ୍‌ ପିସ୍‌’ ୨୪ ସେପ୍ଟେମ୍ବର ୧୯୯୦ ମସିହାରେ ରିଲିଜ୍‌ ହୋଇଥିଲା। ଯାହାର କଭର ଫଟୋ ଗତକାଲି ଗୋପାଳ ପିନ୍ଧିଥିବା ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଏହି ଆଲବମ୍‌ରେ ହତ୍ୟା, ସୁପାରି କିଲିଂ, ଡ୍ରଗ୍ସ ଆଦି ସମ୍ପର୍କରେ ଅବତାରଣ କରାଯାଇଛି। ତେବେ ହଠାତ୍‌ ଅଭିଯୁକ୍ତ ଗୋପାଳ ଏଭଳି ଏକ ଟି-ସାର୍ଟ ପିନ୍ଧିବା ପ‌ଛରେ ନବ ଦାସ ହତ୍ୟାକାଣ୍ଡ ଓ ‘ମେଗା ଡେଥ୍‌’ ବ୍ୟାଣ୍ଡର କୌଣସି କାହାଣୀର ଲିଙ୍କ୍‌ ରହିଛି କି ବୋଲି ଚର୍ଚ୍ଚା ହେଉଛି। ସେପଟେ ଗୋପାଳ ନିଜେ ଉକ୍ତ ସାର୍ଟ ପିନ୍ଧିଥିଲା ତା କ୍ରାଇମ୍‌ବ୍ରାଞ୍ଚ ତାକୁ ଉକ୍ତ ଟି-ସାର୍ଟ ପିନ୍ଧାଇ ହତ୍ୟାର କାରଣ ସମ୍ପର୍କରେ ପରୋକ୍ଷରେ ଲିଙ୍କ୍‌ ଦେଇଛି ତାକୁ ନେଇ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ନାର୍କୋ ଟେଷ୍ଟ ପାଇଁ ଗୁଜରାଟ ନିଆଯିବା ବେଳେ ବିମାନ ବନ୍ଦର ପରିସରରେ ଗୋପାଳର ରହସ୍ୟଜନକ ହସ ଚର୍ଚ୍ଚା ସୃଷ୍ଟି କରିଥିଲା।