କିଡ୍‌ନି ପ୍ରତିରୋପଣ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଚନା: ବୈଠକ ପାଇଁ ଆମର ଜାଲ୍ ଦସ୍ତଖତ

‘ନିରାମୟ’ରେ ଆଗୁଆ ଔଷଧ ମିଳୁଛି, ପାର୍ଶ୍ବ ପ୍ରତିକ୍ରିୟା ନାହିଁ : ରୋଗୀ

ଭୁବନେଶ୍ବର: କିଡ୍‌ନି ପ୍ରତିରୋପଣ କରିଥିବା ରୋଗୀମାନେ ଆଜି ଏସ୍‌ସିବି ମେଡିକାଲ କଲେଜର ବରିଷ୍ଠ ଡାକ୍ତରମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି। ରାଜ୍ୟ ଔଷଧ ନିଗମ ପରିସରରେ ଆୟୋଜିତ ଏହି ବୈଠକରେ ୯୦ଜଣ ରୋଗୀ ଓ ତାଙ୍କ ଯତ୍ନ ନେଉଥିବା ସଂପର୍କୀୟମାନେ ଯୋଗ ଦେଇଥିଲେ। ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ଲୁସି ଦାସ, ୟୁରୋଲୋଜି ବିଭାଗର ପ୍ରଫେସର ସମୀର ସ୍ୱାଇଁ, ନେଫ୍ରେଲୋଜି ବିଭାଗ ପ୍ରଫେସର ଅରୁଣା ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ରୋଗୀମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ।

ବୈଠକରେ ମୁଖ୍ୟତଃ ହସ୍ପିଟାଲରେ ଅସ୍ତ୍ରୋପଚାର ପୂର୍ବବର୍ତୀ ପରାମର୍ଶ ଓ ସାହାଯ୍ୟ, ମାଗଣା ଅସ୍ତ୍ରୋପଚାର, ମାଗଣା ଓୗଷଧ, ଓୗଷଧର ଗୁଣବତ୍ତା, ହସ୍ପିଟାଲରେ ମିଳୁଥିବା ଅପରେସନ୍ ପରବର୍ତୀ ଚିକିତ୍ସା ଓ ଯତ୍ନ ଆଦି ବିଷୟରେ ରୋଗୀମାନେ ନିଜ ନିଜର ମତ ରଖିଥିଲେ। ରୋଗୀମାନେ କହିଥିଲେ ଯେ ପ୍ରାୟ ୧୦୦ଜଣ ରୋଗୀ ନିୟମିତ ‘ନିରାମୟ’ ଓୗଷଧ ଖାଉଛନ୍ତି। ଥରକେ ସେମାନଙ୍କୁ ମାସକ ପାଇଁ ଆଗୁଆ ଓୗଷଧ ମିଳୁଛି। ଓୗଷଧ ବେଶ ଫଳପ୍ରଦ ହେଉଛି। ତାଙ୍କ ମଧ୍ୟରୁ କେତେଜଣ ନିଜ ନିଜ କାମରେ ଯୋଗ ଦେଇଥିବା ରୋଗୀମାନେ ସୂଚନା ଦେଇଥିଲେ। ନିଗମର ଅଧ୍ୟକ୍ଷ ପୋମା ଟୁଡ଼ୁ ନିରାମୟ ଓୗଷଧର ଉପଲବ୍ଧତା, ଗୁଣବତ୍ତା ଓ ପାର୍ଶ୍ୱ ପ୍ରତିକ୍ରିୟା ବାବଦରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ। ରୋଗୀ ଓ ତାଙ୍କର ସଂପର୍କୀୟମାନେ ସେମାନଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୋଇ ନ ଥିବା କହିଥିଲେ। ଏସ୍‌ସିବିର ଅଧ୍ୟକ୍ଷ ଡା.ଲୁସି ଦାସ କହିଥିଲେ, ଏସ୍‌ସିବିରେ ଉନ୍ନତମାନର ଚିକିତ୍ସା ଓ ଓୗଷଧ ଯୋଗାଣ ବ୍ୟବସ୍ଥାକୁ ଅଧିକରୁ ଅଧିକ ସୁଦୃଢ଼ ଓ ସୁବିଧା କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ବୈଠକରେ ଢେଙ୍କାନାଳ, ଯାଜପୁର, କଟକ, ସମ୍ବଲପୁର, ପୁରୀ, କନ୍ଧମାଳ, ବାଲେଶ୍ୱର, ଝାରସୁଗୁଡ଼ା, ଜଗତସିଂପୁର ଆଦି ଜିଲ୍ଲାରୁ ଆସିଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ନିଜର ମତାମତ ରଖିଥିଲେ।

‘ନିରାମୟ’ରେ ଆଗୁଆ ଔଷଧ ମିଳୁଛି, ପାର୍ଶ୍ବ ପ୍ରତିକ୍ରିୟା ନାହିଁ : ରୋଗୀ
ବୈଠକ ପାଇଁ ଆମର ଜାଲ୍ ଦସ୍ତଖତ ନିଆଯାଇଛି : ଆନ୍ଦୋଳନରତ କିଡ୍‌ନି ରୋଗୀ

ଅପରପକ୍ଷରେ ଆନ୍ଦୋଳନରତ କିଡ୍‌ନି ରୋଗୀ ଜୟଶ୍ରୀ ବେହେରା କହିଛନ୍ତି ଯେ ଏହି ବୈଠକ ପାଇଁ ତାଙ୍କୁ ଡକାଯାଇ ନଥିଲା। ଗଣମାଧ୍ୟମରୁ ସୂଚନା ପାଇ ଆମେ ନିଗମରେ ପହଞ୍ଚିଥିଲୁ। ହେଲେ ସେଠାରେ କିଛି ଲୋକ ଆମକୁ ଅଟକାଇଥିଲେ। ମାତ୍ର ବୈଠକରେ ଯୋଗଦେବା ପାଇଁ ଜିଦ୍ କରିବାରୁ ସେମାନଙ୍କୁ ଗୋଟିଏ ରୁମ୍‌ରେ ଲକ୍ କରି ଦିଆଯାଇଥିଲା। ଏପରିକି ତାଙ୍କର ଜାଲି ଦସ୍ତଖତ ମଧ୍ୟ ନିଆଯାଇଥିଲା। ବୈଠକରେ ମାତ୍ର ୬ଜଣ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ମିଶାଇ ୨୫ଜଣ ଯୋଗ ଦେଇଥିଲେ। ତହିଁରୁ ଅଧିକାଂଶ ରୋଗୀ ବିଭିନ୍ନ ଘରୋଇ ହସ୍ପିଟାଲରେ ନିଜର ଅସ୍ତ୍ରୋପଚାର କରିଛନ୍ତି। ସେମାନଙ୍କୁ ଯେଉଁ ଔଷଧ ମିଳୁଛି ଏଥିରେ ସେମାନଙ୍କର କୌଣସି ସମସ୍ୟା ହୋଇ ନ ଥାଇପାରେ। ମାତ୍ର ଯେଉଁମାନଙ୍କର ସମସ୍ୟା ହେଉଛି ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟ ସରକାରଙ୍କ ଏଭଳି ଖେଳ ଭିତରେ ରୋଗୀମାନେ ଫସି ଯାଇଛନ୍ତି। ମାତ୍ର କିଡ୍‌ନି ରୋଗୀଙ୍କ ଆନ୍ଦୋଳନ ଜାରି ରହିବ। ଆସନ୍ତାକାଲି ପରବର୍ତୀ ପଦକ୍ଷେପ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମତୀ ବେହେରା ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଉଲ୍ଲେଖ ଯେ ଉନ୍ନତମାନର ଔଷଧ ଯୋଗାଇ ଦେବା ଲାଗି କିଡ୍‌ନି ପ୍ରତିରୋପଣ ରୋଗୀମାନେ ଗତ ୧ମାସ ହେବ ଆନ୍ଦୋଳନ କରୁଛନ୍ତି।

ସମ୍ବନ୍ଧିତ ଖବର