ଭୁବନେଶ୍ବର: ରାଜନୈତିକ ମତଭେଦ ସତ୍ତ୍ବେ ବିଶ୍ବର ସବୁ ରାଜନୈତିକ ବ୍ୟକ୍ତିବିଶେଷ ଜଳବାୟୁ ପରିବର୍ତ୍ତନକୁ ଏକ ପ୍ରମୁଖ ସମସ୍ୟା ବୋଲି ବିଚାର କରନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଅନେକ ବିଷୟରେ ପରସ୍ପରର ବିରୋଧୀ ଥିଲେ ହେଁ ଜଳବାୟୁ ପରିବର୍ତ୍ତନକୁ ନେଇ କିନ୍ତୁ ଏକମତ। ତେବେ ଜଳବାୟୁ ପରିବର୍ତ୍ତନ କେବଳ ବୈଜ୍ଞାନିକ, ଗବେଷକ ଓ ରାଜନୈତିକ ବ୍ୟକ୍ତିଙ୍କ ଭିତରେ ସୀମିତ ରହିଯାଇଛି। ଲୋକମାନେ ଏବେ ବି ଏହା ଏକ ବଡ଼ ସମସ୍ୟା ବୋଲି ବୁଝିପାରିନାହାନ୍ତି ବୋଲି ଉଦ୍ବେଗ ପ୍ରକାଶ କରିଛନ୍ତି ବିଶିଷ୍ଟ ପରିବେଶବିତ୍ ଏରିକ୍ ସୋଲେମ୍।
‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ ସହ ଜିଏଏସ୍ପି, ସିୱାଇଏସ୍ଡିର ମିଳିତ ଉଦ୍ୟମରେ ଆଜି ବିଶ୍ବ ଦକ୍ଷତା କେନ୍ଦ୍ରରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଆଲୋଚନାରେ ବକ୍ତା ଭାବେ ଯୋଗ ଦେଇଥିଲେ ନରୱେର ପରିବେଶ ଓ ଅନ୍ତର୍ଜାତୀୟ ବିକାଶର ପୂର୍ବତନ ମନ୍ତ୍ରୀ ତଥା ବ୍ରସେଲ୍ସରେ ୟୁରୋପ-ଏସିଆ କେନ୍ଦ୍ରର ସଭାପତି ଏରିକ୍ ସୋଲେମ୍। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସଂପାଦକ ତନୟା ପଟ୍ଟନାୟକଙ୍କ ସହ ଆଲୋଚନା ସମୟରେ ଏରିକ୍ କହିଥିଲେ ଯେ ଦିନକୁ ଦିନ ପାଣିପାଗ ବଦଳୁଛି। ଜଳବାୟୁ ପରିବର୍ତ୍ତନ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି। କେବଳ ଭାରତ ନୁହେଁ, ବିଶ୍ବର ଅନେକ ଅଂଶରେ ସମାନ ପରିସ୍ଥିତି। ଏଭଳି ଗମ୍ଭୀର ସମୟରେ ରାଜନେତାଙ୍କୁ ଏକାଠି ହେବାକୁ ପଡିବ। ପରିବେଶ ସୁରକ୍ଷା ପାଇଁ ରାଜ୍ୟ ତଥା ଦେଶରେ ସ୍ବତନ୍ତ୍ର ନୀତି ଆଣିବାର ବେଳ ଆସିଛି। ଜଳବାୟୁ ପରିବର୍ତ୍ତନ ସଂପର୍କିତ ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବାକୁ ହେଲେ କେତେକ ନିର୍ଦ୍ଦିଷ୍ଟ ଦିଗ ପ୍ରତି ଗୁରୁତ୍ବ ଦେବାକୁ ହେବ। ପରିବେଶଜନିତ ବାର୍ତ୍ତା ଓ ବିଷୟବସ୍ତୁକୁ ଯଥାସମ୍ଭବ ସରଳ କରିବାକୁ ହେବ। ଲୋକଙ୍କୁ ସରଳ ଭାଷାରେ ଏସବୁ ବୁଝାଇଲେ ଯାଇ ସେମାନେ ଜଳବାୟୁ ପରିବର୍ତ୍ତନ କ’ଣ ଓ ଏହାର ପ୍ରକୃତ ଉଦ୍ଦେଶ୍ୟ ସଂପର୍କରେ ବୁଝିପାରିବେ। କାରଣ ପରିବେଶ ସୁରକ୍ଷା ପାଇଁ କେବଳ ରାଜନୈତିକସ୍ତରରେ ଚିନ୍ତା କଲେ ହେବ ନାହିଁ, ସାଧାରଣ ଲୋକଙ୍କର ମଧ୍ୟ ସ୍ଥିତି ମୁକାବିଲା ପାଇଁ ଅନେକ ଗୁରୁଦାୟିତ୍ବ ରହିଛି।
ବିଶ୍ବର ଅନ୍ୟ ରାଷ୍ଟ୍ର ସଂପର୍କରେ ଉଦାହରଣ ଦେଇ ଏରିକ୍ କହିଥିଲେ, ସବୁଜ ବିକାଶ କ୍ଷେତ୍ରରେ ଚୀନ ଅନ୍ୟ ଦେଶମାନଙ୍କ ତୁଳନାରେ ବେଶ୍ ଅଗ୍ରଗତି କରିଛି। ଚୀନ ଗତବର୍ଷ ୩ଶହ ଗିଗାୱାଟ୍ ସୌର ଶକ୍ତି ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଛି। ଯାହାକି ନେପାଳରେ ଉତ୍ପାଦିତ ହୋଇଥିବା ମୋଟ ସୌର ଶକ୍ତି ତୁଳନାରେ ଶହେଗୁଣ ଅଧିକ। ୧୦ବର୍ଷ ପୂର୍ବରୁ ଯଦି କିଏ କହୁଥିଲା ଯେ ତାକୁ ସବୁଜ ଶକ୍ତି କ୍ଷେତ୍ରରେ କିଛି ଶିଖିବାର ଅଛି, ତୁରନ୍ତ ସମସ୍ତେ ୟୁରୋପୀୟ ଦେଶମାନଙ୍କର ଉଦାହରଣ ଦେଉଥିଲେ। ଏବେ ବେଜିଂ, ନୂଆଦିଲ୍ଲୀ ଓ ଜାକର୍ତାର ଉଦାହରଣ ଦିଆଯାଉଛି। ସମସ୍ତଙ୍କ ଉଦ୍ୟମ ପାଇଁ ଗତବର୍ଷ ଜାକର୍ତାରେ ଜଙ୍ଗଲ କ୍ଷୟ ପ୍ରାୟ ଶୂନ ରହିଥିଲା।
ଜଳବାୟୁ ପରିବର୍ତ୍ତନକୁ ନେଇ ଓଡ଼ିଶାର ପଦକ୍ଷେପ କ’ଣ ହେବା ଉଚିତ ବୋଲି ଶ୍ରୀମତୀ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଏରିକ୍ କହିଥିଲେ, ଓଡ଼ିଶାର ହେନ୍ତାଳ ବଣ ରାଜ୍ୟ ପାଇଁ ବରଦାନ ସଦୃଶ୍ୟ। ରାଜ୍ୟ ସରକାରଙ୍କୁ ଏହା ଉପରେ ଅଧିକରୁ ଅଧିକ ଗୁରୁତ୍ବ ଦେବାକୁ ପଡ଼ିବ। ଓଡ଼ିଶାରେ ସୌରଶକ୍ତି ହିଁ ପାରମ୍ପରିକ ଶକ୍ତିର ବିକଳ୍ପ ହୋଇପାରିବ। ଛାତ ଉପରେ ସୋଲାର୍ ପ୍ୟାନେଲ ବସାଇବା ସହ କୃଷି କ୍ଷେତ୍ରରେ ମଧ୍ୟ ସୌର ଶକ୍ତିର ବ୍ୟବହାରକୁ ବଢ଼ାଇବାକୁ ହେବ। ସେହିପରି ଓଡ଼ିଶାରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। କାରଣ ଗୋଟିଏ ଦିନରେ ୧-୨ ଘଣ୍ଟା ଟ୍ରାଫିକ୍ରେ ବିତାଇବାକୁ ଲୋକମାନେ ପସନ୍ଦ କରି ନ ଥାନ୍ତି। ଏଣୁ ଅଧିକରୁ ଅଧିକ ବିଦ୍ୟୁତ୍ଚାଳିତ ଗାଡ଼ି ଚଳାଇବାକୁ ସରକାର ଗୁରୁତ୍ବ ଦେବା ଉଚିତ୍। ଚୀନରେ ପ୍ରାୟ ସବୁ ମୋଟର ବାଇକ୍ ବିଦ୍ୟୁତ୍ଚାଳିତ। କାରଣ ଏଥିରେ ଶବ୍ଦ ପ୍ରଦୂଷଣ କମ୍ ରହିଥାଏ ବୋଲି ଏରିକ୍ କହିଥିଲେ।
ଜଳବାୟୁ ପରିବର୍ତ୍ତନ ଏବେ ପ୍ରମୁଖ ସମସ୍ୟା, ପରିବେଶ ପାଇଁ କାମ କରୁଥିବା ୩ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା
ଓଡ଼ିଶା ଦେଶରେ ଦ୍ବିତୀୟ ସର୍ବାଧିକ କାର୍ବନ ନିର୍ଗମନ ରାଜ୍ୟ: ସତ୍ୟ ତ୍ରିପାଠୀ
କାର୍ବନ ନିର୍ଗମନକୁ ନେଇ ଓଡ଼ିଶା ତୁରନ୍ତ ନୀତି ପ୍ରଣୟନ କରିବା ଦରକାର
ଜିଏଏସ୍ପିର ମହାସଚିବ ସତ୍ୟ ତ୍ରିପାଠୀ କହିଥିଲେ, କାର୍ବନ ନିର୍ଗମନରେ ଚୀନ ବିଶ୍ବରେ ଆଗରେ ରହିଛି। ଏହାପରେ ରହିଛି ଆମେରିକା। ଚୀନ କେବଳ ଯେ କାର୍ବନ ନିର୍ଗମନ କରୁଛି ତାହାକୁ ବିଚାରକୁ ନେଲେ ହେବ ନାହିଁ, କାରଣ ଚୀନ ବିଶ୍ବର ଉତ୍ପାଦନ ହବ୍। ସାରା ବିଶ୍ବ ପାଇଁ ଏହା ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛି। ଭାରତରେ ଓଡ଼ିଶା ହିଁ ଦ୍ବିତୀୟ ସର୍ବାଧିକ କାର୍ବନ ନିର୍ଗମନ କରୁଥିବା ରାଜ୍ୟ। ଓଡ଼ିଶାରେ ଦେଶର ୧୦%ରୁ ଅଧିକ କାର୍ବନ ନିର୍ଗମନ ହୋଇଥାଏ। ଓଡ଼ିଶାର ମୁଣ୍ଡ ପିଛା କାର୍ବନ ନିର୍ଗମନ ୬.୯ ଟନ୍ ରହିଛି। ଦେଶର ହାରାହାରି ମୁଣ୍ଡ ପିଛା ଆୟଠାରୁ କମ୍ ଥିବା ଓଡ଼ିଶା ଯଦି କାର୍ବନ ନିର୍ଗମନକୁ ନେଇ କୌଣସି ପ୍ରକାର ନୀତି ପ୍ରଣୟନ ନ କରେ, ତା’ହେଲେ ଏହା ଏକ ଚିନ୍ତାର ବିଷୟ ବୋଲି କୁହାଯାଇପାରିବ। ବିଶ୍ବରେ କୌଣସି କମ୍ପାନି ଯଦି ଅଧିକ ସଂଖ୍ୟାରେ କାର୍ବନ ନିର୍ଗମନ କରୁଛି, ତାହାର ପ୍ରତି ବଦଳରେ ସଂପୃକ୍ତ କମ୍ପାନିକୁ ଅନ୍ୟ କିଛି ଭରଣା କରିବାକୁ ପଡ଼ିଥାଏ। ତେଣୁ ସମସ୍ୟା ଭିତରୁ ସୁଯୋଗକୁ ଚିହ୍ନଟ କରିବାକୁ ପଡ଼ିବ। ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଦ୍ବାରା ତୃଣମୂଳସ୍ତରରେ ବ୍ୟାପକ ପରିବର୍ତ୍ତନ ଆସିପାରିବ।
ସେ ଆହୁରି ମଧ୍ୟ କହିଥିଲେ ଯେ ଆନ୍ଧ୍ରରେ ୧୨ଲକ୍ଷ ଚାଷୀ ଶୂନ ସିନ୍ଥେଟିକ୍ କେମିକାଲ ଫାର୍ମିଂ କରିବାରେ ସଫଳ ହୋଇପାରିଛନ୍ତି। ଏଥିରେ ଅଧିକାଂଶ ମହିଳା ରହିଛନ୍ତି। ଯଦିଓ ବହୁ ଏନ୍ଜିଓ ଏଥିପାଇଁ ସହାୟତା କରୁଛନ୍ତି, ମାତ୍ର ଏହା ଏକ ସରକାରୀ କାର୍ଯ୍ୟକ୍ରମ। ଓଡ଼ିଶାରେ ଏଭଳି କିଛି ବ୍ୟବସ୍ଥା ଆପଣାଇବାକୁ ହେବ। ଯାହାଫଳରେ ମିଲିୟନ୍ ମିଲିୟନ୍ ଟନ୍ କାର୍ବନ ନିର୍ଗମନକୁ ରୋକାଯାଇପାରିବ। ପିଲାମାନଙ୍କୁ ଜଳବାୟୁ ପରିବର୍ତ୍ତନ ସଂପର୍କରେ ଶିକ୍ଷା ଦେବାକୁ ହେବ। ପରପିଢ଼ିଙ୍କ ଜୀବନକୁ ସୁସ୍ଥ କରିବାକୁ ହେଲେ ଆଜିଠାରୁ ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ। ଏହି ଅବସରରେ ପରିବେଶ ପାଇଁ କାମ କରୁଥିବା ପ୍ରଦୀପ ଦଳାଇ, ହରି ପାଙ୍ଗୀ ଓ ସାଧ୍ବୀ ସିନ୍ଦୁରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସିଵାଇଏସ୍ଡିର ସହ ପ୍ରତିଷ୍ଠାତା ପି କେ ସାହୁ ଧନ୍ୟବାଦ ଦେଇଥିଲେ। ପରିବେଶ କ୍ଷେତ୍ରରେ କାମ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।