ଓଡ଼ିଶା ରାଜନୀତିକୁ ଖଣି ମାଲିକ ପରିଚାଳନା କରୁଛନ୍ତି: ବିରୋଧୀ

ଇସ୍ପାତ ଓ ଖଣି ଏବଂ ଶିଳ୍ପ ବିଭାଗର ଖର୍ଚ୍ଚ ଦାବି ଆଲୋଚନା

ଭୁବନେଶ୍ବର : ଓଡ଼ିଶାରେ ଯେତିକି ଖଣିଜ ସମ୍ପଦ ଅଛି ତାକୁ ଯଦି ରାଜ୍ୟ ସରକାର ସଦୁପଯୋଗ କ‌ରନ୍ତେ ତେବେ ଓଡ଼ିଶା ଏକ ବିକଶିତ ରାଜ୍ୟ ହୋଇପାରନ୍ତା, ହେଲେ ତାହା ହେଉନି। ୨୦୦୯-୧୦ରେ ହୋଇଥିବା ଖଣି ଦୁର୍ନୀତି ଭଳି ଏବେବି ବିଭିନ୍ନ ଉପାୟରେ ଖଣି ଦୁର୍ନୀତି ହେଉଛି। ଦୁର୍ନୀତିମୁକ୍ତ ହେଲେ ରାଜ୍ୟକୁ ଖଣି ରାଜସ୍ବ ୧ଲକ୍ଷ କୋଟି ମିଳିପାରିବ। ହେଲେ ସେନେଇ ଯୋଜନା ନାହିଁ। ଓଡ଼ିଶା ରାଜନୀତିକୁ କିଛି ଖଣି ମାଲିକ ପରିଚାଳନା କରୁଛନ୍ତି। ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ରାଜ୍ୟ ସରକାର ଖଣି ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି। ଇସ୍ପାତ ଓ ଖଣି ବିଭାଗ ପୂରା ଦୁର୍ନୀତିଗ୍ରସ୍ତ। ରାଜ୍ୟରେ ଯେତିକି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ଘୋଷଣା ହୋଇଛି ସେଥିରୁ କାଣିଚାଏ ବି ହେଉନି। ଏହିଭଳି ଭାବେ ଆଜି ବିରୋଧୀ ଇସ୍ପାତ ଓ ଖଣି ବିଭାଗ ଏବଂ ଶିଳ୍ପ ବିଭାଗର ଖର୍ଚ୍ଚ ଦାବିକୁ ବିରୋଧ କରିଛନ୍ତି।

ଗୁରୁବାର ଦିନ ବିଧାନସଭାରେ ଇସ୍ପାତ ଓ ଖଣି ବିଭାଗ ଏବଂ ଶିଳ୍ପ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, ଓଡ଼ିଶାରେ ଖଣିଜ ସମ୍ପଦ ଭରପୂର ଅଛି। ଖଣିଜ ସମ୍ପଦର ସଦୁପଯୋଗ କରିପାରିଲେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ସଶକ୍ତ ‌ହୋଇପାରନ୍ତା। କିନ୍ତୁ ୨୩ ବର୍ଷର ସରକାର ଏହା କରିପାରୁନାହାନ୍ତି କି ଆଗାମୀ ୨୩ବର୍ଷ ଶାସନରେ ରହିଲେ ବି କରିପାରିବେନି। ୨୦୦୯-୧୦ରେ ଖଣି ଦୁର୍ନୀତି ଅଭିଯୋଗ ଉଠିବାବେଳେ ଏଥିରେ ୧ଲକ୍ଷ କୋଟିର ଦୁର୍ନୀତି ହୋଇଥିବା ଶାହା କମିସନ କହିଥିଲେ। ହେଲେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ବେଳେ ୬୧ହଜାର କୋଟି ଦୁର୍ନୀତି ହୋଇଥିବା କହି ଏହାକୁ ଆଦାୟ କରିବାକୁ କହିଥିଲେ। କିନ୍ତୁ ଖଣି ମାଲିକମ‌ାନେ ସୁପ୍ରିମକୋର୍ଟରେ ପୁନଃ ଆବେଦନ କରିବାରୁ ଆଇବିଏମ୍‌କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଏହାପରେ ଖଣି ବ୍ୟବସାୟୀମାନେ ୧୮୫୦୦କୋଟି କ୍ଷତିପୂରଣ ଦେଇ ଏହି ମାମଲାରେ ଏକପ୍ରକାରର ଅନ୍ତ କରିବାରେ ସଫଳ ହେଲେ। ବିଭାଗୀୟ ମନ୍ତ୍ରୀ ସଚ୍ଚୋଟ ବୋଲି ତାଙ୍କୁ ପୂର୍ତ୍ତ ଓ ଖଣି ଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିଛି। ହେଲେ ବିଭାଗରେ ତାଙ୍କର କେତେ ସଂପୃକ୍ତି ରହୁଛି ତାହା ଜଣାପଡ଼ୁନି। ଅପରପକ୍ଷେ ଜେଏସ୍‌ଡବ୍ଲ୍ୟୁ ଓ ଆରସେଲର ମିତ୍ତଲ ଭଳି ଶିଳ୍ପ ସଂସ୍ଥା ଅନୁରୋଧରେ ରାଜ୍ୟ ସରକାର ଖଣି ଖନନ ୧୦ବର୍ଗକିମି ଖନନକୁ ୫୮ବର୍ଗକିମିକୁ ବଢ଼ାଇଦେଲେ। ହେଲେ ସେମାନେ କୁଆଡ଼େ ଗଲେ, ତାଙ୍କର ଶିଳ୍ପ କାଇଁ? ଗଣେଶ ରାମସିଂହ ଖୁଣ୍ଟିଆ କହିଥିଲେ, କେନ୍ଦୁଝରରେ ୧୦୦ରୁ ଅଧିକ ଖଣି ଅଛି, ହେଲେ ସେଠାରେ କାହିଁକି ଅଧିକ ଶିଳ୍ପ ପ୍ରତିଷ୍ଠା ହେଉନି। ବିଜେପି ସଦସ୍ୟ ଶଙ୍କର ଓରାମ ଆଲୋଚନାରେ ଭାଗ ନେଇଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବଲାଙ୍ଗୀର ଶିଳ୍ପ ବିହୀନ ଜିଲ୍ଲା ଭାବେ ଗଣାଯାଉଛି। ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡିରେ ବହୁତ କପା ଉତ୍ପାଦନ ହେଉଛି। ସେଠାରେ କାହିଁକି ଏକ ଟେକ୍ସଟାଇଲ୍ ମିଲ୍ ପ୍ରତିଷ୍ଠା କରାଯାଉନି? ଖଣି ବିଭାଗ ମନ୍ତ୍ରୀ ଜଣେ ସଚ୍ଚୋଟ ବ୍ୟକ୍ତି। କିନ୍ତୁ ତାଙ୍କ ବିଭାଗ ଦୁର୍ନୀତିର ଗନ୍ତାଘର। ୯୮ଜଣ ଖଣି ମାଲିକଙ୍କ ଉପରେ ହଜାର ହଜାର କୋଟିର କ୍ଷତିପୂରଣ/ଜରିମାନା ହେଲା। ହେଲେ ସେମାନଙ୍କ ବିରୋଧରେ କାହିଁକି ଫୌଜଦାରୀ ମାମଲା ହେଉନି? ୨୦୦୯ରେ ଜଣେ ଖଣି ବ୍ୟବସାୟୀଙ୍କ ଉପରେ ଅପରାଧିକ ମାମଲା ହୋଇଥିଲା। ସେ ମାମଲାର କାହିଁକି ଆଜି ଯାଏ ଶୁଣାଣି ହେଉନି? ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରକୁ ଉଠାଇ ସେ କହିଥିଲେ, ଓଏମ୍‌ସିକୁ ବି ଜରିମାନା ହୋଇଛି। କିନ୍ତୁ କୌଣସି କର୍ମଚାରୀଙ୍କ ଉପରେ କୌଣସି ଅପରାଧିକ ମାମଲା ହୋଇନି? ପଚାରିଲେ କହୁଛନ୍ତି କୋର୍ଟ ମାମଲା ରୁଜୁ କରିବାକୁ କହିନାହାନ୍ତି।

ସରକାର ଏ କ୍ଷେତ୍ରରେ ଆଇନ ଅନୁସାରେ ଅପରାଧିକ ମାମଲା ରୁଜୁ କରିବାକୁ ବା‌ଧ୍ୟ। ଖଣିଜ ସମ୍ପତ୍ତି ଉପରେ ଟିକସ ବସାଇବା ପାଇଁ ସରକାର କରିଥିବା ଆଇନକୁ ହାଇକୋର୍ଟ ଖାରଜ କରିଥିଲେ। ଏହାକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି, କିନ୍ତୁ ୧୬ବର୍ଷ ହେଲା ଏହା କୋର୍ଟରେ ପଡ଼ିଛି। କେବଳ ଖଣି ମାଲିକଙ୍କ ସହଯୋଗ କରିବାକୁ ଏହି ଆଇନ ଅଣାଯାଉନି। ଯଦି ଆଇନ ଲାଗୁ ନକରିବ ତେବେ ସେ ମାମଲା କାହିଁକି ପ୍ରତ୍ୟାହୃତ କରୁନ କି ତୁରନ୍ତ ଫଇସଲା ନେଇ କୋର୍ଟକୁ ଜଣାଉନ। ସେହିପରି ସଂଜୀବ ହୋତା କମିସନ କହିଥିଲେ ଯେ, ରାଜ୍ୟର ସବୁ ଖଣି ରାଜ୍ୟ ସରକାର ନିଜ ହାତକୁ ନିଅନ୍ତୁ। କିନ୍ତୁ ସରକାର ଆଣୁନାହାନ୍ତି। ଏଠି ଖଣି ମାଲିକଙ୍କ ରାଜ୍ ଚାଲିଛି। ଖଣି ମାଲିକଙ୍କ ଟଙ୍କାରେ ବିଜେଡି ନିର୍ବାଚନ ଲଢ଼ୁଛି। ଗତ ନିର୍ବାଚନରେ ୧୪୭ଟି ବିଧାନସଭା‌ କ୍ଷେତ୍ରରେ ୧୦୫୦କୋଟି ଖର୍ଚ୍ଚ ହୋଇଥିଲା। ହେଲେ ଆଗାମୀ ନିର୍ବାଚନରେ ଏହା ୨୧୦୦କୋଟି ହେବ। ରାଜ୍ୟ ସରକାର ଖଣି ମାଲିକଙ୍କ ଠାରୁ ଦୂରେଇ ରୁହନ୍ତୁ, ଓଡ଼ିଶାର ମଙ୍ଗଳ ହେବ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଖଣି ଦୁର୍ନୀତି ଅର୍ଥରେ ବିଜେଡି ନିର୍ବାଚନ ଲଢ଼ୁଛି। ଖଣି ଖନନ ପାଇଁ ବିସ୍ଥାପିତ ଲୋକଙ୍କୁ ଥଇଥାନ କରାଯାଉନି। ଫଳରେ ସେମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ରାଜ୍ୟରେ କୋଇଲା ଦୁର୍ନୀତି ହୋଉଛି। ଓପିଜିସି ନେଉଥିବା କୋଇଲା ଓସିପିଏଲ୍‌କୁ ବିକୁଛି। ଓସିପିଏଲ୍ ଅନ୍ୟ ଶିଳ୍ପ ସଂସ୍ଥାକୁ ବିକ୍ରି କରୁଛି। ଏହି ମହାଦୁର୍ନୀତିରେ ଓପିଜିସି ଅଧ୍ୟକ୍ଷ, ଓସିପିଏଲ୍‌ ସିଇଓ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଅଛନ୍ତି। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ଆଲୋଚନାରେ ଭାଗ ନେଇଥିଲେ।

ଶାସକ ଦଳ ବିଧାୟକ ପଦ୍ମନାଭ ବେହେରା ବିରୋଧୀଙ୍କୁ ପାଲଟା ଜବାବ୍ ଦେଇ କହିଥିଲେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୪୯ଟି ଶିଳ୍ପସଂସ୍ଥା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏବେ ୧୮ମିଲଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଛି। ଖଣି ନିଲାମ ପ୍ରକ୍ରିୟାରେ ସ୍ବଚ୍ଛତା ଥିବାରୁ କେନ୍ଦ୍ର ସରକାର ବି ଓଡ଼ିଶାକୁ ପ୍ରଶଂସା କରୁଛନ୍ତି। ଖଣିଜ ସମ୍ପଦର ସୁବିନିଯୋଗ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ଉଦ୍ୟମ କରୁଛନ୍ତି। ଖଣି କ୍ଷେତ୍ରରେ ଗବେଷଣାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ୨୦କୋଟି ବରାଦ ହୋଇଛି। ବେଆଇନ ଖଣି ଖନନ ରୋକିବାକୁ ସ୍କ୍ବାଡ୍ ଗଠନ ହୋଇଛି, ୫୧ଟି ମାମଲା ରୁଜୁ ହୋଇଛି। ଶାସକ ଦଳ ପକ୍ଷରୁ ବ୍ୟୋମକେଶ ରାୟ, ଧ୍ରୁବଚରଣ ସାହୁ ଓ ମିନାକ୍ଷୀ ମହନ୍ତ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର