ଶିକ୍ଷକ ନାହାନ୍ତି କି ଭିତ୍ତିଭୂମି ନାହିଁ, ସରକାରଙ୍କୁ ଭର୍ତ୍ସନା କଲେ ବିରୋଧୀ ଦଳ

ଗଣଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନା

ଭୁବନେଶ୍ୱର : ସ୍କୁଲ୍‌, କଲେଜର ସମାନ ଦଶା। ହଜାର ହଜାର ଶିକ୍ଷକ ପଦବି ଖାଲି ପଡ଼ିଛି। ଭିତ୍ତିଭୂମି ବି ନାହିଁ। କିଛି ସ୍କୁଲ୍‌କୁ ରୂପାନ୍ତରଣ କରାଯାଉଛି। କିନ୍ତୁ ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ନିଯୁକ୍ତି କରାଯାଉନି। ଜାଣିଶୁଣି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଉଛି। ଶନିବାର ଦିନ ବିଧାନସଭାରେ ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ସରକାରଙ୍କୁ ଏମିତି ଭର୍ତ୍ସନା କରିଛନ୍ତି ବିରୋଧୀ ଦଳର ସଭ୍ୟମାନେ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଲେ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶିକ୍ଷା ଅଭାବରୁ ଦାରିଦ୍ର୍ୟ କମୁନି ଓ ଅପରାଧ ବଢ଼ୁଛି। ସରକାର ସରକାରୀ ସ୍କୁଲ୍‌କୁ ବନ୍ଦ କରି ଘରୋଇ ସ୍କୁଲ୍‌କୁ ପ୍ରୋତ୍ସାହନ ଦେଉଛନ୍ତି। ଏହା ପଛରେ ଶିକ୍ଷା ବିଭାଗର ଷଡ଼ଯନ୍ତ୍ର ରହିଛି। ଗୁଣାତ୍ମକ ଶିକ୍ଷା ଦାନ ପାଇଁ କୌଣସି ପଦକ୍ଷେପ ନିଆଯାଉନି। ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ସାଧାରଣ ମିଶାଣ-ଫେଡ଼ାଣ କହିପାରୁ ନାହାନ୍ତି। ୬୦ ହଜାରରୁ ଅଧିକ ପଦବି ଖାଲି ପଡ଼ିଛି। ଉଚ୍ଚଶିକ୍ଷା ବିଭାଗର ଅବସ୍ଥା ମଧ୍ୟ ତଦ୍ରୁପ। ଜାତୀୟ ସ୍ତରରେ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍‌ରେ ସରକାରୀ ବିଶ୍ବବିଦ୍ୟାଳୟ ସ୍ଥାନ ପାଇପାରୁ ନାହାନ୍ତି। ବିଜେପି ସଭ୍ୟ ନିତ୍ୟାନନ୍ଦ ଗଣ୍ଡ ଓ ଭବାନୀ ଶଙ୍କର ଭୋଇ ରାଜ୍ୟରେ ଶିକ୍ଷାର ମାନ କମୁଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲେ।

ଗୁଣାତ୍ମକ ଶିକ୍ଷା ପାଇଁ ସରକାର ତତ୍ପର ନୁହନ୍ତି: ବିରୋଧୀ
ଶିକ୍ଷାର ହବ୍ ପାଲଟିଛି ଓଡ଼ିଶା: ଶାସକ ସଭ୍ୟ

କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଲେ, ସରକାର ଖାଲି ସ୍କୁଲ୍‌ରେ ରଙ୍ଗ ବୋଳିବାରେ ବ୍ୟସ୍ତ। କିନ୍ତୁ ବହୁ ପଦବି ଖାଲି ପଡ଼ିଛି। ଅନେକ ସ୍କୁଲ୍‌ ଜଣେ ଲେଖାଏ ଶିକ୍ଷକରେ ଚାଲିଛି। ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଲେ, ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଗଲାଣି। ବହୁ ପିଲା ଅଧାରୁ ପାଠ ଛାଡ଼ୁଛନ୍ତି। ମଧ୍ୟାହ୍ନ ଭୋଜନ ହଡ଼ପ ହେଉଛି। ବିଧାୟକ ତାରା ପ୍ରସାଦ ବାହିନୀପତି କହିଲେ, ସରକାରୀ ସ୍କୁଲ୍‌ଗୁଡ଼ିକରେ ଦୟନୀୟ ସ୍ଥିତି। ଶିକ୍ଷକ ନ ଥିବାରୁ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏ ଦିଗରେ ବାରମ୍ବାର କହିବା ସତ୍ତ୍ବେ ସରକାର ଠୋସ୍ ପଦକ୍ଷେପ ନେଉନାହାନ୍ତି। ସିପିଆଇ(ଏମ୍‌) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଗୁଣାତ୍ମକ ଶିକ୍ଷାକୁ ନିଶ୍ଚିତ କରିବା ପାଇଁ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦେଇଥିଲେ।

ଶାସକ ଦଳ ସଭ୍ୟ ବ୍ୟୋମକେଶ ରାୟ କହିଥିଲେ, ଶିକ୍ଷାର ବିକାଶ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ। କିନ୍ତୁ କେନ୍ଦ୍ର ସରକାର ସର୍ବଶିକ୍ଷା ଅଭିଯାନ, ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନକୁ ବନ୍ଦ କରିଦେଇଛନ୍ତି। ରାଜ୍ୟ ସରକାର ନିଜସ୍ବ ଉଦ୍ୟମରେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି। ଓଡ଼ିଶା ଏବେ ଶିକ୍ଷାର ହବ୍‌ ପାଲଟିଛି। ବାହାର ରାଜ୍ୟରୁ ବହୁ ପିଲା ଓଡ଼ିଶାକୁ ଉଚ୍ଚଶିକ୍ଷା ପାଇଁ ଆସୁଛନ୍ତି। ସ୍କୁଲ୍‌ରେ ପିଲାଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଦିଆଯାଉଛି। ଶାସକ ଦଳ ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ଧ୍ରୁବଚରଣ ସାହୁ, ରୁଦ୍ରପ୍ରତାପ ମହାରଥୀ ଓ ରାଜକିଶୋର ଦାସ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର