ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଲୋଚନା: ସରକାରୀ ଜମି ଜବରଦଖଲ, ବନ୍ଦୋବସ୍ତ ପ୍ରସଙ୍ଗ ଉଠିଲା

ଭୁବନେଶ୍ବର : ରାଜ୍ୟର ବହୁ ଅଞ୍ଚଳରେ ଜମି ସେଟେଲମେଣ୍ଟ (ବନ୍ଦୋବସ୍ତ) ହେଉନି। ୩୦ରୁ ୪୦ବର୍ଷ ଧରି ଚକବନ୍ଦୀ ‌ବନ୍ଦୋବସ୍ତ କୋର୍ଟ ବସୁନଥିବାରୁ ଲୋକ ଜମି ବିକ୍ରି କରିପାରୁନାହାନ୍ତି। ସରକାରୀ ଜମିରୁ ଜବରଦଖଲ ହଟାଯାଉନି, ଗରିବଙ୍କ ଅପେକ୍ଷା ଧନୀ ବର୍ଗର ଲୋକମାନେ ଅଧିକ ସରକାରୀ ଜମି ଜବରଦଖଲ କରି ରଖିଥିଲେ ହେଁ ସରକାର କେବଳ ବସ୍ତି ଭାଙ୍ଗୁଛନ୍ତି। ପଡ଼ୋଶୀ ରାଜ୍ୟ ଆମର ୧୪ଟି ଜିଲ୍ଲାରେ ବହୁ ଅଞ୍ଚଳ ଦଖଲ କରିଥିଲେ ହେଁ ରାଜ୍ୟ ସରକାର ଏହାର ସ୍ଥାୟୀ ସମାଧାନ କରିପାରୁନାହାନ୍ତି, ଶିଳ୍ପ, ଖଣି, ନଦୀବନ୍ଧ ପାଇଁ ହଜାର ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଥିବାବେଳେ ସେମାନଙ୍କୁ ଏପର୍ଯ୍ୟନ୍ତ ଜମି ଅଧିକାର ମିଳିପାରୁନି। ରାଜସ୍ବ ବିଭାଗ କରୁଛି କ’ଣ?

ଆଜି ବିଧାନସଭାରେ ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିରୋଧୀ ଏହିପରି ଭାବେ ରାଜସ୍ବ ମନ୍ତ୍ରୀଙ୍କୁ ଘେରିଛନ୍ତି। ରାଜସ୍ବ ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନର କିଛି ମାତ୍ରାରେ ଜବାବ୍ ଦେଇଥିଲେ ବି ସେଥିରେ ବିରୋଧୀ ସନ୍ତୁଷ୍ଟ ହୋଇନାହାନ୍ତି। ଏହାସହ ରାଜସ୍ବ ବିଭାଗର ୨୦୨୩-୨୪ ଆର୍ଥିକ ବର୍ଷର ୧୫୮୬କୋଟି ୪୧ଲକ୍ଷ ୭୦ହଜାର ଟଙ୍କାର ବଜେଟ୍‌କୁ ବିରୋଧ କରିଛନ୍ତି।

ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ରାଜ୍ୟରେ ସରକାରୀ ଜମି ଜବରଦଖଲ ହୋଇ ବର୍ଷ ବର୍ଷ ପଡ଼ିଥିଲେ ବି ଏହାକୁ ଜବରଦଖଲମୁକ୍ତ କରାଯାଉନି। ରାଜସ୍ବ ମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ରାଜ୍ୟରେ ୫,୬୨,୪୦୦ଜଣ ୧୬୭୨୮ଏକର ସରକାରୀ ଜମି ଜବରଦଖଲ କରିଛନ୍ତି। ଯଦି ଏତେ ଜମି ଜବରଦଖଲ ହୋଇଛି , ତେବେ ଏହାକୁ ଜବରଦଖଲ ମୁକ୍ତ କରିବାକୁ ରାଜସ୍ବ ବିଭାଗ କି ପଦକ୍ଷେପ ନେଉଛି। ସେହିପରି ଯେଉଁ ଚାଷୀ ୩୦ବର୍ଷ ଧରି ସରକାରୀ ଜମିରେ ଚାଷ କରୁଥିବାର ପ୍ରମାଣ ଥିବା ତାକୁ ଜମି ଅଧିକାର ମିଳିବ ବୋଲି କୋର୍ଟ କହିଛନ୍ତି। ଏନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ରାଜ୍ୟରେ କେତୋଟି ରାଜସ୍ବ ଆଇନ କାର୍ଯ୍ୟକାରୀ ହେଉଛି ତାହା ମୁଖ୍ୟମନ୍ତ୍ରୀ କି ବିଭାଗୀୟ ମନ୍ତ୍ରୀ କହିପାରିବେନି। ଯେଉଁ ରାଜ୍ୟ ସରକାର ଗୋଟେ କୋଡ଼ିଫାଏଡ୍‌ ରାଜସ୍ବ ଆଇନ ଆଣି ପାରୁନାହାନ୍ତି ସେ କ’ଣ କରିବେ? ରାଜ୍ୟକୁ ଓ ରାଜ୍ୟର ସମ୍ପତ୍ତିକୁ ସୁରକ୍ଷା ଦେବାରେ ଏ ସରକାର ବିଫଳ। ରାଜ୍ୟ ସରକାର ସରକାରୀ ଜମି ଜବରଦଖଲ ନେଇ ଯେଉଁ ତଥ୍ୟ ଦେଇଛନ୍ତି ତାହା ସଂପୂର୍ଣ୍ଣ ଭୁଲ୍‌। ରାଜ୍ୟରେ ଧନୀ ଅଧିକ ସରକାରୀ ଜମି ଜବରଦଖଲ କରିଥିବାବେଳେ ଗରିବ କମ୍ ଜବରଦଖଲ କରିଛନ୍ତି। ଏହି ଅବସରରେ ଶ୍ରୀ ମିଶ୍ର ବଲାଙ୍ଗୀରରେ ସରକାରୀ ଜମି ଜବରଦଖଲ ଏବଂ ଜମି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ। ସେଠାରେ ସେଟେଲମେଣ୍ଟ ହେଉନଥିବାରୁ କିଭଳି ସମସ୍ୟା ହେଉଛି ତାହା କହିଥିଲେ।

ବିଧାୟକ ସୁ‌ରେଶ ରାଉତରାୟ କହିଥିଲେ ‌େଯ, ଭୁବନେଶ୍ବର ଓ ଜଟଣୀ ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଅଧିକ ଚାପ ପଡ଼ୁଥିବାରୁ ଚନ୍ଦକା ଏବଂ ଜଟଣୀରେ ଆଉ ଦୁଇଟି ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯାଉ। ନିତ୍ୟାନନ୍ଦ ଗଣ୍ଡ କହିଥିଲେ, ଉମରକୋଟରେ ଜମି ବନ୍ଦୋବସ୍ତ ହୋଇପାରିନଥିବାରୁ ଲୋକଙ୍କର ବହୁ ସମସ୍ୟା ହେଉଛି। ସନ୍ତୋଷ ସିଂହ ସାଲୁଜା କହିଥିଲେ, ରାଜ୍ୟରେ ୩ଟି ଆର୍‌ଡିସି କାର୍ଯ୍ୟାଳୟ ଅଛି। ତେଣୁ ବଲାଙ୍ଗୀରରେ ଆଉ ଏକ ଆର୍‌ଡିସି କାର୍ଯ୍ୟାଳୟ ହେଉ, ୧୯୯୫ ମସିହା ପରେ ରାଜ୍ୟ ସରକାର ନୂତନ ଜିଲ୍ଲା ଗଠନ କରିନାହାନ୍ତି, ତେଣୁ ଏବେ ଯେଉଁ ୧୪ଟି ଜିଲ୍ଲା ପ୍ରସ୍ତାବ ଆସିଛି ତାକୁ ବିଚାର କରାଯାଉ ଏବଂ କଣ୍ଟାବାଞ୍ଝିକୁ ଜିଲ୍ଲା ମାନ୍ୟତା ମିଳୁ।

ବିରୋଧୀଙ୍କୁ ଜବାବ୍ ଦେଇ ଶାସକ ଦଳ ବିଧାୟକ ଅମର ଶତପଥୀ କହିଥିଲେ, ରାଜସ୍ବ ବିଭାଗରେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି। ଜା‌ତି ପ୍ରମାଣପତ୍ର, ଆୟ ସାର୍ଟିଫିକେଟ୍, ଆବାସିକ ପ୍ରମାଣପତ୍ର ପାଇଁ ଆଉ ତହସିଲ୍ ଅଫିସକୁ ଦଉଡ଼ିବାକୁ ପଡ଼ୁନି। ବସୁନ୍ଧରା ଯୋଜନାରେ ବାସହୀନ ପରିବାରକୁ ଘର ଦେବାପାଇଁ ୨୦୧୮-୧୯ରେ ୫୭୧୧୭ ପରିବାରକୁ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୫୦୫୨୮ ପରିବାରକୁ ଘର ଦିଆସରିଲାଣି। ସବୁ ତହସିଲ୍‌ରେ ଅନ୍‌ଲାଇନ୍‌ରେ ଦାଖଲ,ଖାରଜ ହେଉଛି। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ୧୦୦୩୬ ସ୍କୁଲ, ୨୨୪୯ଟି ୫ଟି ରୂପାନ୍ତରିତ ସ୍କୁଲ, ୧୬୦ଟି କଲେଜକୁ ଜମି ପଟ୍ଟା ଦିଆଯାଇଛି। ସରକାରୀ ଜମିରୁ ଜବରଦଖଲ ହଟାଇବା ପ୍ରକ୍ରିୟା ଚାଲିଛି। ଜମି ବନ୍ଦୋବସ୍ତରେ ଯାହା ସମସ୍ୟା ଅଛି ମନ୍ତ୍ରୀ ତାହାର ସମାଧାନ କରନ୍ତୁ। ୮୧୬ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର ପରିଚାଳନା ପାଇଁ ଏସ୍‌ଓପି ପ୍ରସ୍ତୁତ ହେଉ। ଶାସକ ଦଳ ପକ୍ଷରୁ ରାଜେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ ସାମଲ, ରମେଶ ଚନ୍ଦ୍ର ବେହେରା, ସୁବାସ ଚନ୍ଦ୍ର ବେହେରା ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର