ସୁନ୍ଦରଗଡ଼: ପୁଲିସ ଉପନିରୀକ୍ଷକ (ସବ୍-ଇନିସ୍ପେକ୍ଟର) ପ୍ରଜ୍ଞାପ୍ରୀତମ ଜେନା। ତାଙ୍କ ନାମରେ ରହିଛି ୩୦୨ ଦଫାରେ ହତ୍ୟା ମାମଲା। ଉଚ୍ଚନ୍ୟାୟାଳୟରୁ ସେ ଜାମିନ୍ରେ ଅଛନ୍ତି। ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ବରଂ, ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଏ ଥାନାରୁ ସେ ଥାନା ଏବଂ ଏ ଫାଣ୍ଡିରୁ ସେ ଫାଣ୍ଡିର ଦାୟିତ୍ବ ଦିଆଯାଇଛି। ଚଳିତମାସରେ ଶ୍ରୀ ଜେନାଙ୍କୁ ସର୍ଗିପାଲି ଫାଣ୍ଡି ଦାୟିତ୍ବ ଦିଆଯାଇଛି। ହତ୍ୟା ମାମଲାରେ ଜାମିନ୍ରେ ଥିବା ଏହି ପୁଲିସ ଅଧିକାରୀଙ୍କ ପ୍ରତି ବିଭାଗ ଏପରି ଦରଦ ଦେଖାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁସାରେ, ୪ ବର୍ଷ ତଳେ ଅର୍ଥାତ୍ ୨୦୧୬ ନଭେମ୍ବର ୮ ତାରିଖରେ ଶ୍ରୀଜେନାଙ୍କ ନଁାରେ ହତ୍ୟା ଅଭିଯୋଗ ଆସିଥିଲା। ଘଟଣାଟି ଥିଲା ଏମିତି: ପୁରୁଣାପାଣି ଟିସ୍କୋ ଅଞ୍ଚଳରେ ଜୁଆଖେଳ ହେଉଥିବା ସୂଚନାପାଇ ଶ୍ରୀ ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ାଉ କରିବାକୁ ପହଞ୍ଚିଥିଲା। ପୁଲିସକୁ ଦେଖି କିଛି ଯୁବକ ଦୌଡ଼ି ପଳାଇଥିଲେ। ହେଲେ, ସେଠାରେ ଉପସ୍ଥିତ ତେହେରଡିହି ଗାଁର ଜଗମୋହନ ବଡ଼ାଇକ(୩୫)ଙ୍କୁ ଜୁଆ ଖେଳିବା ଅଭିଯୋଗରେ ଉଠାଇ ଆଣିଥିଲେ ପୁଲିସ ଅଧିକାରୀ। ପରେ ତାଙ୍କୁ ଅଟକ ରଖି ନିସ୍ତୁକ ମାଡ଼ ମାରିବା ପରେ ଗୁରୁତର ହେବାରୁ ପୁଲିସ ଗାଡ଼ିରେ ନେଇ ପାହାଡ଼ଟୋଲି ନିକଟରେ ଫିଙ୍ଗି ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଆସି ଗୁରୁତର ଜଗମୋହନକୁ ପ୍ରଥମେ ହାତୀବାରି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ହସ୍ପିଟାଲକୁ ନେଇଥିଲେ। ସେଠାରେ ୩ ଦିନ ଚିକିତ୍ସିତ ହେବାପରେ ନଭେମ୍ବର ୧୧ ତାରିଖରେ ପ୍ରାଣ ହରାଇଥିଲେ ଜଗମୋହନ।
ଏହାକୁ ନେଇ ହାତୀବାରିରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଜଗମୋହନଙ୍କ ପତ୍ନୀଙ୍କ ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଏସ୍ପି ନିଖିଲ କାନୋଡ଼ିଆଙ୍କ ନିର୍ଦ୍ଦେଶକ୍ରମେ ହାତୀବାରି ଥାନାରେ ଏସ୍ଆଇ ଶ୍ରୀ ଜେନାଙ୍କ ନାମରେ ୨୦୧୬ ଡିସେମ୍ବର ୨୯ ତାରିଖରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। କାର୍ଯ୍ୟାନୁଷ୍ଠାନସ୍ବରୂପ ତାଙ୍କୁ ରାଜଗାଙ୍ଗପୁର ଥାନା ଓ ସେଠାରୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ମାମଲା ଥଣ୍ଡା ପଡ଼ିଯିବା ପରେ ୨୦୧୮ରୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ଦୁଇଟି ପର୍ଯ୍ୟାୟରେ ଅଢ଼େଇବର୍ଷ କାଳ କୋଇଲା ଖଣି ଅଞ୍ଚଳସ୍ଥ ବଲିଙ୍ଗା ଫାଣ୍ଡିରେ ନିଯୁକ୍ତି ଦିଆଯାଇଥିଲା। ଉଲ୍ଲେଖନୀୟ କଥା ଯେ ଏହି ଫାଣ୍ଡି ଦାୟିତ୍ବ ନେବାକୁ ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲେ। ଏ ସମ୍ପର୍କରେ ଗଣମାଧ୍ୟମରେ ଚର୍ଚ୍ଚା ହେବାପରେ ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏସ୍ପି ସାଗରିକା ନାଥ। ତୁରନ୍ତ ତାଙ୍କୁ ସେଠାରୁ ହଟାଇ ଆଣିଥିଲେ। କିନ୍ତୁ ଏବେ ନିର୍ବାଚନ ଋତୁରେ ତାଙ୍କୁ ପୁଣି ସର୍ଗିପାଲି ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।