ପୁରୀ: ଶନିବାର ପୂର୍ବାହ୍ଣ ୧୧ଟାରେ ନବଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ରତ୍ନଭଣ୍ଡାର ଖୋଲା ସହ ଗଣତି ଓ ମଣତି ପ୍ରକ୍ରିୟାର ରୂପରେଖ ଏହି ବୈଠକର ନିଷ୍ପତ୍ତି ଉପରେ ନିର୍ଭର କରୁଥିବାରୁ ଏହା ଉପରେ ଅଗଣିତ ଭକ୍ତଙ୍କ ନଜର ରହିଛି।

Advertisment

ପୂର୍ବରୁ ଜଷ୍ଟିସ୍‌ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ୧୨ଜଣିଆ ରତ୍ନଭଣ୍ଡାର ଯାଞ୍ଚ କମିଟି ଗଠନ କରାଯାଇଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ ସରକାର ରତ୍ନଭଣ୍ଡାର ଯାଞ୍ଚ ପାଇଁ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି। ଶନିବାର ପୂର୍ବାହ୍ଣ ୧୧ଟାରେ ଏହି ଉଚ୍ଚସ୍ତରୀୟ କମିଟିର ବୈଠକ ଅନୁଷ୍ଠିତ ହେବ। ବୈଠକରେ ରତ୍ନଭଣ୍ଡାରର ସ୍ଥିତି କିପରି ରହିଛି, କେଉଁ ପ୍ରକ୍ରିୟାରେ ଓ କିଭଳି ରତ୍ନଭଣ୍ଡାର ଅଳଙ୍କାରର ଗଣତି ଓ ମଣତି କରାଯିବ, ସେ ଉପରେ ବିସ୍ତୃତ ଆଲୋଚନା ହେବ। ପୂର୍ବ କମିଟି ରଥଯାତ୍ରା ସମୟ ରତ୍ନଭଣ୍ଡାର ଖୋଲିବାର ପ୍ରକୃଷ୍ଠ ସମୟ ବୋଲି କହିବା ସହ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ କରି ସାରିଥିଲା। ଜୁଲାଇ ୮ ତାରିଖରୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ଅଳଙ୍କାର ଗଣତି ଓ ମଣତି ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ ପୂର୍ବକ ଗଣତି ଓ ମଣତି ଉପରେ ଆରମ୍ଭରୁ ପୁରୁଣା କମିଟି ଗୁରୁତ୍ବ ଦେଇ ଆସୁଥିଲା।

କିନ୍ତୁ ନୂଆ କମିଟି ଅଦ୍ୟାବଧି ଚଳିତ ରଥଯାତ୍ରାରେ ରତ୍ନଭଣ୍ଡାର ଖୋଲାହେବ କି ହେବନି, ସେ ନେଇ କୌଣସି ସ୍ପଷ୍ଟ ଉତ୍ତର ରଖିନାହାନ୍ତି। କମିଟି ସଦସ୍ୟ ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ କହିଛନ୍ତି, କେବେ ରତ୍ନଭଣ୍ଡାର ଖୋଲିବ, ତାହା ମହାପ୍ରଭୁଙ୍କ ଇଚ୍ଛା। କିନ୍ତୁ ଏହା ସମୟସାପେକ୍ଷ। ସମାନ କଥା କହିଛନ୍ତି ସଦସ୍ୟ ପ୍ରଫେସର ଡ. ସୌମେନ୍ଦ୍ର ମୁଦଲି। ଯେହେତୁ ଏହା ସମୟସାପେକ୍ଷା, ଏଥିପାଇଁ ପୂର୍ବରୁ ପୂର୍ଣ୍ଣ ପ୍ରସ୍ତୁତି ଆବଶ୍ୟକ ଓ ଯଥେଷ୍ଟ ସମୟ ଦରକାର ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଜଷ୍ଟିସ୍‌ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ନୂଆ କମିଟିରେ ଡା. ସି ବି କେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍‌ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍‌ ପ୍ରକାଶ ମିଶ୍ର, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ଏଏସ୍‌ଆଇ ପ୍ରତିନିଧି, ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦଲି, ପୁରୀ ଜିଲ୍ଲାପାଳ ସଦସ୍ୟ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆବାହକ ସଦସ୍ୟ ରହିଛନ୍ତି।