ଯାଜପୁର : ପଞ୍ଚାୟତ ନିର୍ବାଚନ ଜରିଆରେ ରାଜନୈତିକ ଦଳ, ନେତା ଓ ବିଭିନ୍ନ ସଂଗଠନ ନିଜ ନିଜ ମୂଳଦୁଆ ପକାଇବାର ସୁଯୋଗକୁ ଏଥର ଅନେକ ହାତେଇବାକୁ ଆରମ୍ଭ କରିଛନ୍ତି। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପକ୍ଷରୁ ଏଥର ଖଣିଖାଦାନ ଅଞ୍ଚଳ ସୁକିନ୍ଦା ବ୍ଲକର ୩ଟିରୁ ମଧ୍ୟରୁ ୨ଟି ଜିଲ୍ଲା ପରିଷଦ ଆସନରେ ପ୍ରାର୍ଥୀ ଦେବା ସହିତ ଶିଳ୍ପାଞ୍ଚଳ ଦାନଗଦୀ ବ୍ଲକ ସମସ୍ତ ୩ ଟି ଓ ବଡ଼ଚଣା ବ୍ଲକ୍ ପଶ୍ଚିମାଞ୍ଚଳ ୯ଟି ପଞ୍ଚାୟତକୁ ନେଇ ଗଠିତ ୧୬ନମ୍ବର ଜୋନ୍ ରେ ମଧ୍ୟ ଜେଏମଏମ ପ୍ରାର୍ଥୀ ଦେଇଛି। ଯାହାକୁ ନେଇ ବୁଦ୍ଧିଜୀବୀ ଓ ରାଜନୀତି ସମୀକ୍ଷକଙ୍କ ପାଇଁ ଆଲୋଚନାର ଖୋରାକ ଯୋଗାଇଛି।
ଯାଜପୁର ଜିଲ୍ଲାର ମୋଟ୍ ୩୯ଟି ଜିଲ୍ଲା ପରିଷଦ ଆସନରେ ଏଥର ମୋଟ ୧୫୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ସମସ୍ତଙ୍କର ପ୍ରାର୍ଥିତ୍ବ ଆଜି ଯାଞ୍ଚରେ କାଏମ ରହିଛି। ବିଶେଷ କରି ଅଦିବାସୀ ଅଧ୍ୟୁଷିତ ଅଞ୍ଚଳର ୬ଟି ଆସନରେ ଜେଏମ୍ଏମ୍ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନା ଯୋଗ୍ୟ ଝାଡ଼ଖଣ୍ଡ ଅଞ୍ଚଳର ବହୁ ଆଦିବାସୀ ପରିବାର ଦୀର୍ଘ ଦିନ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରହି ସ୍ଥାୟୀ ବାସିନ୍ଦା ହୋଇଗଲେଣି। ଅଥଚ ସେମାନଙ୍କୁ ମୌଳିକ ସୁବିଧାସୁଯୋଗ ମିଳିପାରି ନଥିବା ବେଳେ ସେମାନଙ୍କର ଝାଡ଼ଖଣ୍ଡ ସହିତ ବେଶ ସୁସମ୍ପର୍କ ରହିଛି। ଯାହାର ପ୍ରଭାବ ଏବେ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି।
ଚଳିତ ନିର୍ବାଚନରେ ଜେଏମ୍ଏମ୍ ପକ୍ଷରୁ ସୁକିନ୍ଦା ବ୍ଲକ ଜୋନ୍ ୩୭ରେ ସସ୍ମିତା ପୂର୍ତ୍ତି ପ୍ରାର୍ଥିନୀ ହୋଇଥିବା ବେଳେ ୩୯ ନମ୍ବର ଜୋନରେ ମାଣିକ ମଣ୍ଡୁରୀ ପ୍ରାର୍ଥିନୀ ହୋଇଛନ୍ତି। କେବଳ ୩୮ଜୋନରେ ଜେଏମ୍ଏମ୍ ପ୍ରାର୍ଥୀ ଦେଇନାହିଁ। ତେବେ ଦାନଗଦୀ ବ୍ଲକ୍ ର ସମସ୍ତ ୩ଟି ଜୋନ୍ ରେ ଜେଏମ୍ଏମ୍ ପ୍ରାର୍ଥୀ ଦେଇଛନ୍ତି। ଦାନଗଦୀ ବ୍ଲକ ୮ନମ୍ବର ଜୋନ୍ରୁ ପାର୍ବତୀ ହେମ୍ବ୍ରମ, ୯ ନମ୍ବର ଜୋନ୍ରୁ ବୀରେନ ପୂର୍ତ୍ତି ଓ ୧୦ନମ୍ବର ଜୋନ୍ରୁ ବାସନ୍ତୀ ପୂର୍ତ୍ତି ପ୍ରାର୍ଥିନୀ ହୋଇଛନ୍ତି। ସେହିପରି ବଡ଼ଚଣା ବ୍ଲକ୍ର ଆଦିବାସୀ ବହୁଳ ୯ଟି ପଞ୍ଚାୟତକୁ ନେଇ ଗଠିତ ୧୬ନମ୍ବର ଜୋନ୍ରୁ ଜେଏମ୍ଏମ୍ରୁ ଗିରୀଶ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଜିଲ୍ଲାର ମୋଟ ୩୯ ଜିଲ୍ଲା ପରିଷଦ ମଧ୍ୟରୁ ୬ଟି ଆସନରେ ଜେଏମ୍ଏମ୍ ପ୍ରାର୍ଥୀ ଦେବା ଘଟଣା ଏବେ ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି। ଏହି ଅଞ୍ଚଳଗୁଡ଼ିକରେ ଆଦବାସୀମାନଙ୍କର ଜଙ୍ଗଲ ଜମି ଅଧିକାର ଓ ସେମାନଙ୍କର ମୌଳିକ ସୁବିଧାସୁଯୋଗ ପ୍ରତି ଜିଲ୍ଲା ପ୍ରଶାସନ ସେପରି ଧ୍ୟାନ ଦେଉ ନଥିବା ବେଳେ ରାଜନୈତିକ ନେତାମାନେ ମଧ୍ୟ ସେପରି ଗୁରୁତର ସହିତ ନେଉ ନଥିବାର ବିଭିନ୍ନ ସମୟରେ ଆଦିବାସୀ ନେତାମାନେ ସ୍ବର ଉଠାଇଛନ୍ତି। ପଞ୍ଚାୟତସ୍ତରରେ ଜେଏମ୍ଏମ୍ର ଭିତ୍ତିପ୍ରସ୍ତର ସ୍ଥାପନ ଆଗାମୀ ଦିନରେ ଆଦିବାସୀମାନଙ୍କ ସ୍ବରକୁ ଅଧିକ ଶାଣିତ କରିବ ବୋଲି କେତେକ କହିବା ଆରମ୍ଭ କଲେଣି। ସରକାର ଓ ପ୍ରଶାସନ ଦଳିତ ଓ ତଳ ସ୍ତର ଲୋକଙ୍କ କଥାକୁ ଗୁରୁତ୍ବ ଦେବା ସମୟ ଆସିଛି ବୋଲି ତୃଣମୂଳରେ କାମ କରୁଥିବା ସ୍ବେଚ୍ଛାସେବୀ ଓ ସାମାଜିକ କର୍ମୀମାନେ ସ୍ବର ଉଠାଇଲେଣି।