ରଥଯାତ୍ରା ପ୍ରସଙ୍ଗରେ ମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ଭେଟିଲେ ଦଇତାପତି ସେବକ

ଶୀଘ୍ର ନିଷ୍ପତ୍ତି ନେବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରା ଅନୁ୍ଷ୍ଠିତ ହେବା ନେଇ ଦ୍ବନ୍ଦ୍ବ ଲାଗି ରହିଛି। ମାମଲା ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଏଭଳି ସ୍ଥିତିରେ ଆଜି ପୁରୀର କେତେଜଣ ବରିଷ୍ଠ ଦଇତାପତି ସେବାୟତ ଆଇନ ମନ୍ତ୍ରୀ, କୃଷି ମନ୍ତ୍ରୀ, ଦକ୍ଷତା ବିକାଶ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଛନ୍ତି। ଆସନ୍ତା ୧୮ ତାରିଖରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ହେବ। କୋର୍ଟ୍‌ ନିଶ୍ଚିତ ଭାବେ ସକାରାତ୍ମକ ନିଷ୍ପତ୍ତି ନେବେ ବୋଲି ଦଇତାପତି ସେବକ ଆଶା ରଖିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର କୌଣସି ଟାଳଟୁଳ ନୀତି ନ କରି ଶୀଘ୍ର ନିଷ୍ପତ୍ତି ନେବାକୁ ବିରୋଧୀ ଦାବି କରିଥିବାବେଳେ ବିଜେଡି ମହାପ୍ରଭୁଙ୍କ ଇଚ୍ଛା ଉପରେ ସବୁ ନିର୍ଭର କରେ ବୋଲି କହିଛି।

ମଙ୍ଗଳବାର ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ବରେ କିଛି ସେବାୟତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟିଥିଲେ। ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଶ୍ରୀଦାସ ମହାପାତ୍ର କହିଥିଲେ, ବଡ଼ ଦାଣ୍ଡରେ ରଥ କାମ ସମ୍ପୂର୍ଣ୍ଣ ହେବାକୁ ବସିଲାଣି। ସବୁପ୍ରକାର ପ୍ରସ୍ତୁତି ମଧ୍ୟ ହୋଇଛି। ଯେତେବେଳେ ବଡ଼ଦାଣ୍ଡରେ ବାଲି ଥିଲା ଓ ଭକ୍ତ କମ୍‌ ଥିଲେ ହାତୀମାନେ ରଥଗୁଡ଼ିକ ଟାଣୁଥିଲେ। କିନ୍ତୁ ଏବେ ହାତୀ ନାହାନ୍ତି। ମେସିନ୍‌ ଯୋଗେ ରଥ ଟଣାଯିବା ଉଚିତ୍‌ ନୁହେଁ। କରୋନା ଯୋଗୁଁ ଯେଭଳି କଟକଣା କରାଯାଇଛି ସେଥିପାଇଁ ମହାପ୍ରଭୁଙ୍କ ରଥ ଟାଣିବାକୁ ୧୫୦୦ରୁ ୨୦୦୦ ସେବାୟତ ମଧ୍ୟ ପ୍ରସ୍ତୁତ ଅଛନ୍ତି। ରଥଯାତ୍ରା ପ୍ରସଙ୍ଗରେ ହାଇକୋର୍ଟ୍‌ ଓ ସୁପ୍ରିମକୋର୍ଟ୍‌ ଯିବା ଠିକ୍‌ ନୁହେଁ। ମହାପ୍ରଭୁଙ୍କ କାର୍ଯ୍ୟରେ କୌଣସି ପ୍ରକାର ରାଜନୀତି ନ କରି ସମସ୍ତେ ମିଳିମିଶି ନିଷ୍ପତ୍ତି ନେବା ଆବଶ୍ୟକତା ରହିଛି।

ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଓ ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାର ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ବୋଲି ଦାବି କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ, ସେବାୟତ ଓ ଜନସାଧାରଣ ରଥଯାତ୍ରା ସପକ୍ଷରେ ମତ ରଖିଛନ୍ତି। ନିଷ୍ପତ୍ତି ନେବାରେ ବିଳମ୍ବ ହେବାରୁ ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ଠୋସ୍‌ ନିଷ୍ପତ୍ତି ନିଅନ୍ତୁ। ବିଶେଷକରି ରଥଯାତ୍ରା ହେଲେ କୌଣସି ଭିଭିଆଇପିଙ୍କୁ ପାସ୍‌ ଦେବା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ ରଖାଯାଉ। ଯେଉଁମାନଙ୍କର ରଥଯାତ୍ରାରେ ଡ୍ୟୁଟି ଥିବ ସେମାନଙ୍କୁ କେବଳ ପାସ୍‌ ଦିଆଯାଉ। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ,ରଥଯାତ୍ରା ପ୍ରସଙ୍ଗରେ ସରକାର କୌଣସି ପ୍ରକାର ଟାଳଟୁଳ ନୀତି ଅବଲମ୍ବନ କରୁ ନାହାଁନ୍ତି। ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା। ଏବେ ସୁପ୍ରିମକୋର୍ଟରେ ମାମଲା ଦାୟର କରାଯାଇଛି। ମନ୍ଦିର ପରିଚାଳନା କମିଟି ବିଭିନ୍ନ ନିଯୋଗ ଓ ଅନ୍ୟ ଷ୍ଟେକ୍‌ ହୋଲଡ଼ରଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ଇଚ୍ଛା ଅନୁସାରେ ସବୁ ପ୍ରସ୍ତୁତି ଚାଲିଛି। କୋଭିଡ୍‌ ଗାଇଡ଼ଲାଇନକୁ କିପରି ଅନୁପାଳନ କରାଯାଇ ରଥଯାତ୍ରା ହୋଇପାରିବ ସେ ନେଇ ସରକାର ସବୁ ଦିଗକୁ ଅନୁଶୀଳନ କରୁଛନ୍ତି। ଏହି ପ୍ରସଙ୍ଗକୁ ବଞ୍ଚାଇ ରଖିବା ପାଇଁ ବିରୋଧୀ ବାରମ୍ବାର ଆଲୋଚନା କରୁଛନ୍ତି। କରୋନା ମହାମାରୀ ଯେପରି ବ୍ୟାପିଛି ସେପରି ସ୍ଥିତିରେ ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ରଥଯାତ୍ରା କରିବା ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ୍ ବୋଲି ଶ୍ରୀ ମିଶ୍ର କହିଥିଲେ।

ସମ୍ବନ୍ଧିତ ଖବର