ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର୍ର ଚୂଡ଼ାନ୍ତ ନକ୍ସାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଏହା କିଭଳି ନିର୍ମାଣ ହେବ, ରୂପରେଖ କ’ଣ ରହିବ ତାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ଦିନ ଧରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ଉନ୍ନୟନ ଅଧିକାରୀ ଅଜୟ ଜେନାଙ୍କ ଅଧ୍ୟକ୍ଷତାରେ ଏହି ନିର୍ମାଣରେ ଅଂଶଗ୍ରହଣ କରିବାକୁ ଥିବା ବିଭିନ୍ନ ଅଂଶୀଦାର (ଷ୍ଟେକ୍ ହୋଲ୍ଡର)ଙ୍କ ସହିତ ଆଲୋଚନା ହୋଇଛି। ଏହି ଯୋଜନାରେ ଭକ୍ତଙ୍କୁ କିଭଳି ମୌଳିକ ସୁବିଧା ମିଳିପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି।
ସ୍ଥାନୀୟ ଲୋକ ଓ ଭକ୍ତଙ୍କୁ କିଭଳି ପାନୀୟ ଜଳ ସୁବିଧାରେ ମିଳିବ, କରିଡର୍ରେ ସ୍ବେରେଜ୍ ବ୍ୟବସ୍ଥା ଓ ବର୍ଜ୍ୟବସ୍ତୁ ନିଷ୍କାସନ କିଭଳି ବ୍ୟବସ୍ଥିତ ହେବ ସେ ସଂପର୍କରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଆଲୋଚନା କାରାଯାଇଛି। ଏହି ଆଲୋଚନାରେ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପୌର ସଂସ୍ଥା, ଓଡ଼ିଶା ଜଳ ଯୋଗାଣ ଓ ସ୍ବରେଜ ବୋର୍ଡ, ଜନସ୍ବାସ୍ଥ୍ୟ, ପୂର୍ତ୍ତ, ଜାତୀୟ ରାଜପଥ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ଏ ନେଇ ଅଧିକାରୀମାନେ ସେମାନଙ୍କ ମତାମତ ରଖିଥିଲେ। ଐତିହ୍ୟ କରିଡ଼ରକୁ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା।
ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀ ଓ ଦର୍ଶନାର୍ଥୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେବଳ ମନ୍ଦିର ଅଞ୍ଚଳ ପାଇଁ ଏକ ଜଳ ବିଶୋଧନ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ବିଦ୍ୟୁତ୍ ବ୍ୟବସ୍ଥା କିଭଳି ବ୍ୟବସ୍ଥିତ ହେବ, ମନ୍ଦିର ପାଇଁ ସ୍ବତନ୍ତ୍ର ସବ୍ ଷ୍ଟେସନ ପ୍ରତିଷ୍ଠା କରାଯିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ରାଜ୍ୟ ପୂର୍ତ୍ତ ବିଭାଗ ଓ ସେତୁ ଓ ନିର୍ମାଣ ନିଗମ (ଓବିସିସି) ପକ୍ଷରୁ ଆୟୋଜିତ ଏହି ଆଲୋଚନାରେ ଐତିହ୍ୟ କରିଡର ଦାୟିତ୍ବ ନେଇଥିବା ଭୂମିପୁତ୍ର ଆରକିଟେକଚର, ଏସ୍ଏମ୍ କନସଲଷ୍ଟାଣ୍ଟ ଏହି ଆଲୋଚନାରେ ଭାଗ ନେଇଥିଲେ।