ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା : ରାଜ୍ୟପାଳଙ୍କ ମୁହଁରେ ଅସତ୍ୟ କୁହାଇଛନ୍ତି ସରକାର: ବିରୋଧୀ

କେନ୍ଦ୍ର ଅର୍ଥ ଦେଉଛି, ରାଜନୀତି କରି ନିଜ ନାଁ ନେଉଛନ୍ତି ସରକାର: ପ୍ରଦୀପ୍ତ ନାଏକ
ଆଞ୍ଚଳିକ ବୈଷମ୍ୟ ଦୂର କରୁନ, ଅଖଣ୍ଡତା ରକ୍ଷା କରିପାରିବନି: ନରସିଂହ

ଭୁବନେଶ୍ବର : ଖାଦ୍ୟ, ସ୍ବାସ୍ଥ୍ୟ, ରାସ୍ତା ଶିକ୍ଷାଠାରୁ ଆରମ୍ଭ କରି ଆବାସ ଯୋଜନାରେ କେନ୍ଦ୍ର ଅର୍ଥ ଦେଉଛି। ଅଥଚ ରାଜ୍ୟ ସରକାର ରାଜନୀତି କରି ଏସବୁକୁ ନିଜେ ଦେଉଥିବା ନେଇ ପ୍ରଚାର ଚଳାଇଛନ୍ତି। କିନ୍ତୁ ଏହି ସତ୍ୟକୁ ସରକାର ପ୍ରକାଶ କରୁନାହାନ୍ତି। ରାଜ୍ୟପାଳଙ୍କ ଅଭିଭାଷଣରେ କେନ୍ଦ୍ର ଅର୍ଥ ଦେଉଥିବା ନେଇ ପଦୁଟିଏ ବି କୁହାଯାଇନି। ସରକାରଙ୍କ ଦୁର୍ବଳ ନେତୃତ୍ବ ପାଇଁ ପଡ଼ୋଶୀ ରାଜ୍ୟମାନେ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ଉଦ୍ୟମ କରିଚାଲିଛନ୍ତି। ଶନିବାର ସନ୍ଧ୍ୟାରେ ଗୃହ ସ୍ବାଭାବିକ ହେବା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସରକାରଙ୍କୁ ବିରୋଧୀ ଏପରି ଶାଣିତ ଆକ୍ରମଣ କରିଛନ୍ତି।

ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, କରୋନା ପାଇଁ ଲକ୍‌ଡାଉନ୍‌ ସମୟରେ କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଗୁଆ ରାସନ୍‌ ଓ ଭତ୍ତା ପ୍ରଦାନ କଲେ ଅଥଚ ସେ କଥା କିଛି ବି ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇନାହିଁ। ରାଜ୍ୟପାଳଙ୍କ ଅଭିଭାଷଣରେ ୧ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଫେରେଇ ଆଣିଥିବା କଥା କହିଛନ୍ତି। ଲକ୍‌ଡାଉନ୍‌ ପରେ ତତ୍କାଳୀନ ମୁଖ୍ୟ ଶାସନ ସଚିବ ୧୨ ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିବା ନେଇ କହିଥିଲେ। କେଉଁ ପରିସଂଖ୍ୟାନଟି ଠିକ୍‌? ଟଙ୍କିକିଆ ଚାଉଳ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି। ଅଥଚ ସେହି ଅର୍ଥରେ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଚଳାଇଥିବା ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ୬୦% ଅର୍ଥ କେନ୍ଦ୍ର ଦେଉଛି କିନ୍ତୁ ବିଜୁ ଆବାସ ଯୋଜନା କରି କେନ୍ଦ୍ର ସରକାରଙ୍କ ଶ୍ରେୟକୁ ନ୍ୟୂନ କରାଯାଉଛି। ଯେତେବେଳେ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଉଛନ୍ତି ତାହେଲେ କାହିଁକି ତାଙ୍କ କଥା ଏହି ଅଭିଭାଷଣରେ ସ୍ଥାନ ପାଇବନାହିଁ। ଏହାକୁ ବିଜେପି ଦଳ ନିନ୍ଦା କରୁଛି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ କେନ୍ଦ୍ର ସରକାର ଯଥେଷ୍ଟ ଅର୍ଥ ଦେଇଥିବାବେଳେ ତାକୁ ନିଜେ ଖର୍ଚ୍ଚ କରିଥିବା ରାଜ୍ୟ ସରକାର ଦର୍ଶାଉଛନ୍ତି।

ସୀମା ବିବାଦ ସମାଧାନ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ। ଆନ୍ଧ୍ର ଯେପରି କୋଟିଆ ଅଞ୍ଚଳରୁ ଖଣ୍ଡେ ହାତେଇଲାଣି ସେହିପରି ଝାଡ଼ଖଣ୍ଡ ସରକାର ସୀମାନ୍ତ ଅଞ୍ଚଳ ଭିତରକୁ ପଶି ପିଚୁ ରାସ୍ତା କଲେଣି। ତଥାପି ଏ ସରକାରଙ୍କ ନିଦ ଭାଙ୍ଗୁନି। ୨୧ ବର୍ଷ ବିଜେଡି ସରକାରର ଶାସନରେ ଚାଷୀ ଅବହେଳିତ। ମହିଳା, ଶିଶୁ ନିଖୋଜ, ଦୁଷ୍କର୍ମ ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଧାନ ମଣ୍ଡି ବିକାଶ ପାଇଁ ଅର୍ଥ ଆସୁଛି। କିନ୍ତୁ ମଣ୍ଡିରେ ଚାଷୀ ଧାନ ରଖି ରାତିରେ ରହିଲେ ତାର ଶୌଚ ହେବାକୁ ବ୍ୟବସ୍ଥା କରାଯାଇନି। କୌଣସି ଗୋଟିଏ ବି ମଣ୍ଡିରେ ସେଡ୍‌ ନଥିବାରୁ ବର୍ଷା ହେଲେ ଚାଷୀର ଧାନ ଓଦା ହୋଇଯାଉଛି। ଓଡ଼ିଶା ବିଜୁଳି ବଳକା ରାଜ୍ୟ ବୋଲି ସରକାର ଘୋଷଣା କରୁଛନ୍ତି। ଗୁଜୁରାଟ ରାଜ୍ୟ ବିଜୁଳି ଉତ୍ପାଦନ କରୁନଥିଲେ ବି ସେଠାକାର ରାଜ୍ୟବାସୀ ୟୁନିଟ୍‌ ପିଛା ୧ ଟଙ୍କାରେ ବିଜୁଳି ପାଉଛନ୍ତି। କିନ୍ତୁ ଏଠି ତାପଜ ଓ ଜଳବିଦ୍ୟୁତ ଉତ୍ପାଦନ ହେଉଥିଲେ ବି ରାଜ୍ୟବାସୀ ଅନ୍ୟରାଜ୍ୟଠାରୁ ଚଢ଼ାଦରରେ ବିଜୁଳି କିଣୁଛନ୍ତି। ଏବେ ପୁଣି ଘରୋଇ ଟାଟା କମ୍ପାନିକୁ ବିଜୁଳ ବିତରଣ ଦାୟିତ୍ବ ଦିଆଯାଇଛି। କରୋନା ସମୟରେ ଯେଉଁ ପାରାମେଡିକାଲ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କାମ କଲେ ସେମାନଙ୍କୁ ଛଟେଇ କରାଗଲା। କାହିଁକି ଏ କଥା ସବୁ ସରକାର ରାଜ୍ୟପାଳଙ୍କ ଅଭିଭାଷଣରେ ଲେଖିଲେ ନାହିଁ। ଚତୁର୍ଦ୍ଦଶ ଅର୍ଥ କମିସନଙ୍କ ସୁପାରିସ ଆଧାରରେ ମିଳିଥିବା ଅର୍ଥରେ ସରକାର ନିଜସ୍ବ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଇବାକୁ ପଛାଇନାହାନ୍ତି ବୋଲି ଶ୍ରୀ ନାଏକ କଟାକ୍ଷ କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ସଂସଦରେ ରାଷ୍ଟ୍ରପତି ଅଭିଭାଷଣ ରଖିବାବେଳେ କେନ୍ଦ୍ର ସରକାର ସବୁ ବିକାଶ କାର୍ଯ୍ୟ କରିଥିବା ଉଲ୍ଲେଖ କରିଥିଲେ। ଏଠି ବି ରାଜ୍ୟ ସରକାର କେବଳ ନିଜ ଉପଲବ୍ଧିର କଥା ରାଜ୍ୟପାଳଙ୍କ ଜରିଆରେ ଗୃହରେ ରଖିଛନ୍ତି। ଉଭୟ ସରକାର ବିକାଶର ଶ୍ରେୟ ନେବାକୁ ଏକାକି ସବୁ କରିଥିବା ପ୍ରଚାର ଚଳାଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ଉଭୟ ଅସତ୍ୟ କହୁଛନ୍ତି। ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ଥିବାବେଳେ କୋଟିଆକୁ ନେଇ ୧୯୬୮ ମସିହାରେ ସୁପ୍ରିମକୋର୍ଟରେ ଓଡ଼ିଶା ସରକାର ମାମଲା ଦାୟର କରିଥିଲେ। ୨୦୦୬ ମସିହାରେ ସୁପ୍ରିମକୋର୍ଟ ଏହି ମାମଲାକୁ ଖାରଜ କଲେ। ତାପରଠାରୁ କୌଣସି ବି ସରକାର ଏ ଦିଗରେ ତଦବିର କଲେ ନାହିଁ କି ରାଜ୍ୟ ସ୍ବାର୍ଥ ପାଇଁ ପଦକ୍ଷେପ ନେଲେନାହିଁ। ୨୦୦୬ ମସିହାରେ ବିଜେଡି-ବିଜେପିର ମିଳିତ ସରକାର ଥିଲା। ସେତେବଳେ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ବି ବିଜେପି ଦଳର ଥିଲେ। ମାମଲା ଖାରଜ ହେବା ପରେ କାହିଁକି ସେ କିଛି ବି କଲେନାହିଁ। ୨୦୦୮ ମସିହାରେ ଜଳସେଚନ ହୋଇନଥିବା ପ୍ରତି ଗାଁକୁ ୫ ଲକ୍ଷ ଲେଖାଏଁ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କଲେ ନାହିଁ। ସେହିପରି ୨୦୦୯ ମସିହାରେ ଚାଷୀଙ୍କୁ ମାଗଣା ବିଜୁଳି ଦେବାକୁ ଘୋଷଣା କଲେ, ତା ବି ପାଣିର ଗାର ହୋଇ ରହିଲା। ଓଡ଼ିଶାର ସମୁଦାୟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକ ପଶ୍ଚିମ ଓଡ଼ିଶାରେ ବାସ କରନ୍ତି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିକୁ ୧୦୦ କୋଟି ଥିଲା। କିନ୍ତୁ ଏବେ ତାକୁ ୨୦୦ କୋଟି କରାଯାଇଛି। ଏଥିରେ ଏତେସଂଖ୍ୟକ ଲୋକଙ୍କ ବିକାଶ ସମ୍ଭବ ହେବ କି? ହିସାବରୁ ଜଣାପଡ଼ିଛି ରାଜ୍ୟର ଏବେ ମୋଟ ଋଣଭାର ଯେତିକି ରହିଛି, ସେଥିରେ ୨୬ ହଜାର କୋଟି ପଶ୍ଚିମ ଓଡ଼ିଶାବାସୀଙ୍କ ମୁଣ୍ଡରେ ଶୁଝିବାକୁ ହେଉଛି। ପଶ୍ଚିମ ଓଡ଼ିଶା ବିକାଷ ପରିଷଦର ମୁଖ୍ୟାଳୟ ପଶ୍ଚିମ ଓଡ଼ିଶା ଓ ବିଶେଷକରି ବଲାଙ୍ଗୀରରେ କରିବାକୁ ଦାବି ହୋଇଆସୁଛି। କିନ୍ତୁ ଏ ବାବଦରେ ଏକାଧିକ ଥର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ବି ତାହା ଆଜିଯାଏ ହେଲାନାହିଁ। ଏହାଦ୍ବାରା ଆଞ୍ଚଳିକ ବୈଷମ୍ୟ ଦୂର ହେବ କେମିତି? ଯଦିଓ ସେ ରାଜ୍ୟ ବିଭାଜନ ବିରୋଧୀ। କିନ୍ତୁ ଆଞ୍ଚଳିକ ବୈଷମ୍ୟ ଦୂର ନ ହେଲେ, ଯେପରି ମଧ୍ୟପ୍ରଦେଶ ଓ ବିହାର ଭାଗ ହୋଇଥିଲା ସେପରି ଦିନ ଓଡ଼ିଶାରେ ଘଟିପାରେ। ଓଡ଼ିଶାର ଅଖଣ୍ଡତା ରକ୍ଷା କରିବା ଦୂରୁହ ହୋଇପଡ଼ିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଥିଲେ।

ବିଜେଡି ବିଧାୟିକା ଲତିକା ପ୍ରଧାନ ଆଲୋଚନାରେ ଭାଗ ନେଇ କହିଥିଲେ, କରୋନ ମହାମାରୀକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ଉଚିତ୍‌ ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ମିଳିଛି। ଯାହାକି ରାଜ୍ୟପାଳଙ୍କ ଅଭିଭାଷଣରେ ସ୍ଥାନ ପାଇଛି। ବେକାରୀ ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ଚାଷୀଙ୍କ ପାଇଁ କାଳିଆ, ବଳରାମ ଯୋଜନା ଯୋଗୁଁ ଥରେ ନୁହେଁ ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ ଭରସା କରି ନିର୍ବାଚିତ କରିଆସିଛନ୍ତି।

ସମ୍ବନ୍ଧିତ ଖବର