ଫିକି ପକ୍ଷରୁ ବଜେଟ୍ ଉପରେ ଆଲୋଚନା

ଭୁବନେଶ୍ବର : ପିଡବ୍ଲୁସି ଓ ଫିକି ଓଡ଼ିଶା ରାଜ୍ୟ ପରିଷଦ ମିଳିତ ଭାବେ ୨୦୨୩-୨୪ ବଜେଟ୍‌ର ବିଶ୍ଳେଷଣ ଶନିବାର ଦିନ ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇଥିବା ଅତିଥି ଓ ପ୍ରତିନିଧିମାନଙ୍କୁ ଫିକି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଟାଟା ଷ୍ଟିଲ ମାଇନିଂ ଲିମିଟେଡର ଏମ୍‌ଡି ପଙ୍କଜ କୁମାର ସତିଜା ସ୍ବାଗତ କରିଥିଲେ। ବଜେଟ ବିକାଶଅଭିମୁଖୀ ବୋଲି ସେ ମତ ଦେଇଥିଲେ। ପୁଞ୍ଜିବ୍ୟୟ ବୃଦ୍ଧିକୁ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି। ଶିଳ୍ପ ଉପରେ ବଜେଟ୍‌ର ପ୍ରଭାବ ଉପରେ ସେ ଆଲୋକପାତ କରିଥିଲେ।

ଫିକି ଓଡ଼ିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ସମ୍ବାଦ ଗ୍ରୁପର ଏମ୍‌ଡି ମୋନିକା ନୈୟାର ପଟ୍ଟନାୟକ ଯୋଗଦେଇ କହିଥିଲେ ପୁଞ୍ଜି କ୍ଷେତ୍ର ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯାଇ ଥିବାରୁ ଏହା ଅର୍ଥନୀତି ପାଇଁ ଭଲ ସାବ୍ୟସ୍ତ ହେବ। ସେହିଭଳି ଆକ‌ର୍ଷଣୀୟ ସୁଧ ହାରରେ ମହିଳା ସଂଚୟ ଯୋଜନା ଘୋଷଣା ମଧ୍ୟ ମହିଳା ଉଦ୍ୟୋଗୀ ଓ ଏସ୍‌ଏଚ୍‌ଜିଗୁଡ଼ିକ ପାଇଁ ଫଳପ୍ରଦ ହେବ। ଗଣମାଧ୍ୟମ ଏବଂ ମ‌ନୋରଂଜନ ଶିଳ୍ପ ଉପରେ ମଧ୍ୟ ବଜେଟର ଅନୁକୂଳ ପ୍ରଭାବ ରହିବ ବୋଲି ‌ସେ ମତ ଦେଇଥିଲେ। ଆୟକର ବିଭାଗର ନିର୍ଦ୍ଦେଶକ ସୁରେଶ ଶିବାନନ୍ଦନ ଯୋଗଦେଇ ୨୦୨୩-୨୪ ବଜେଟ ଦେଶର ସାମାଜିକ ମଙ୍ଗଳ କାର୍ଯ୍ୟକୁ ତ୍ବରାନ୍ବିତ କରିବ ବୋଲି କହିଥିଲେ। ପ୍ରାଇସ ୱାଟରହାଉସ୍‌ ଆଣ୍ଡ୍ କମ୍ପାନିର ପାର୍ଟନର ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୌରଭ କେଡ଼ିଆ ବଜେଟରେ ରଖାଯାଇଥିବା ପ୍ରତ୍ୟକ୍ଷ ଟିକସ ଏବଂ ପାର୍ଟନର ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗୋପାଳ ଅଗ୍ରୱାଲ ପରୋକ୍ଷ ଟିକସର ପ୍ରଭାବ ସଂପର୍କରେ ଆଲୋଚନା କରିଥିଲେ।

ବାଣିଜ୍ୟ ଏବଂ ଶିଳ୍ପ ଉପରେ ବଜେଟର ପ୍ରଭାବ ଶୀର୍ଷକ ଏକ ଅଧିବେଶନକୁ ଫିକି ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସତିଜା ସଂଚାଳନ କରିଥିଲେ। ଏଥିରେ ଜେଏସଡବ୍ଲୁ ଷ୍ଟିଲ ଲିମିଟେଡର ବରିଷ୍ଠ ଉପସଭାପତି ନୀତୀନ କାଲେ, ଜେଡ୍ ଇଷ୍ଟେଲ ପ୍ରାଇଭେଟ ଲିମିଟେଡର ଏମ୍‌ଡି ତପନ କୁମାର ମହାନ୍ତି, ଫିକି ଓଡ଼ିଶା ରପ୍ତାନି କମିଟିର ଅଧ୍ୟକ୍ଷ ରାଜେନ ପାଢ଼ୀ, ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର, ଆଥା ଷ୍ଟିଲ୍ ଆଣ୍ଡ ଆମାଲଗାମ ଷ୍ଟିଲର ସଭାପତି ଏନ୍‌ଡି ରାଓ, ସୋଆ ବିଶ୍ବବିଦ୍ୟାଳୟର ପ୍ରଫେସର ଡି ଜେନା ପ୍ରମୁଖ ଯୋଗଦେଇ ସେମାନଙ୍କ ମତ ରଖିଥିଲେ। ଫିକି ଓଡ଼ିଶା ପରିଷଦର ମୁଖ୍ୟ ସଂଜୀବ କୁମାର ମହାନ୍ତି ଶେଷରେ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର