ଭୁବନେଶ୍ବର: ଓଡ଼ିଶାକୁ ପ୍ରକୃତିର ଏକ ବଡ଼ ଅବଦାନ ହେଲା ଭିତରକନିକା। ଏଠାରେ ପର୍ଯ୍ୟଟନର ବିପୁଳ ସମ୍ଭାବନା ରହିଛି। ଭିତରକନିକା ଓ ଏହାର ଆଖପାଖ ଅଞ୍ଚଳକୁ ନେଇ ପର୍ଯ୍ୟଟନର ଏକ ହବ୍‌ କରିବାର ଆବଶ୍ୟକତା ରହିଛି। ଏଥି ପାଇଁ ବଡ଼ ଯୋଜନା ପ୍ରସ୍ତୁତି ହେବା ଆବଶ୍ୟକ। ଏହା ସହ ଭିତରକନିକାର ପର୍ଯ୍ୟଟନକୁ ସ୍ଥାନୀୟ‌ ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ିଦେଲେ ଏହା ସେଠାକାର ଅର୍ଥନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ‘ଓଡ଼ିଶା ମିରର୍‌’ ଓ ‘ରାଜନଗର ସିଟିଜେନ୍ ଫୋରମ୍‌’ ପକ୍ଷରୁ ଭୁବନେଶ୍ବରର ବୁଲନ୍ ଭାଇ ସେବା ଭବନରେ ଆୟୋଜିତ ‘ଭିତରକନିକାର ପର୍ଯ୍ୟଟନର ବିକାଶ ଓ ଆଞ୍ଚଳିକ ଅର୍ଥନୀତି’ ଶୀର୍ଷକ ଆଲୋଚନାଚକ୍ରରେ ଏହି ମତପ୍ରକାଶ ପାଇଛି।

Advertisment

ଆଲୋଚନାଚକ୍ରରେ ‘ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟୁରିଜିମ୍ ଆଣ୍ଡ ଟ୍ରାଭେଲ ମ୍ୟାନେଜମେଣ୍ଟ’ର ନୋଡାଲ ଅଫିସର୍ ଡ. ଏମ୍. ଡି ସବୀର ହୁସେନ ଯୋଗ ଦେଇ କହିଥିଲେ, ଭିତରକନିକାର ପର୍ଯ୍ୟଟନ ଭିତ୍ତିଭୂମି ବଢ଼ାଇବା ସହ କୁମ୍ଭୀର-ମଣିଷ ମୁହାଁମୁହିଁ ପରି ଅଘଟଣକୁ କିପରି ରୋକାଯିବ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ। ଆଇଆଇଟିଟିଏମ୍‌ର ପ୍ରଫେସର ଆଦ୍ୟାଶା ଦାସ ଆଲୋଚନାରେ ଭାଗ ନେଇ ପର୍ଯ୍ୟଟନର ବିକାଶରେ ସ୍ଥାନୀୟ ଲୋକଙ୍କ ଭାଗୀଦାରିତାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ଅନ୍ୟତମ ଆଲୋଚକ ଗବେଷକ ଅନିଲ ଧୀର ଭିତରକନିକାକୁ ବିଶ୍ବ ପ୍ରାକୃତିକ ଐତିହ୍ୟ ସ୍ଥଳୀର ମାନ୍ୟତା ଦେବା ପାଇଁ ପୁଣି ଥରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ଆଲୋଚନାରେ ଭାଗ ନେଇ ଭିତରକନିକାର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଯୋଜନାବଦ୍ଧ ଉଦ୍ୟମ କଲେ କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୀତିକୁ ଏହା ବଡ଼ ଅବଦାନ ଦେଇପାରିବ ବୋଲି ମତ ଦେଇଥିଲେ। ‘ଓଡ଼ିଶା ମିରର୍‌’ର ସମ୍ପାଦକ ଦିଲ୍ଲୀପ ବିଶ୍ବାଳ ଏଥିରେ ସଭାପତିତ୍ବ କରି ଭିତରକନିକା ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅଜୟ ନାୟକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।

ପ୍ରଶାସନିକ ଅଧିକାରୀ ପଦ୍ମଲୋଚନ ରାଉତ, ପ୍ରାଧ୍ୟାପକ ଧରଣୀଧର ରାଉତ, ରାଜନେତା ମନୋରଞ୍ଜନ ରାଉତରାୟ, ସାଲୁଟ ସାହୁ, ସମାଜସେବୀ ପ୍ରଦୀପ ଲେଙ୍କା, ଅଶ୍ୱିନୀ କୁମାର ବେହୁରା ଓ ରାଜେନ୍ଦ୍ର ପଢ଼ିଆରୀ ପ୍ରମୁଖ ନିଜ ନିଜ ମତ ରଖିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ପ୍ରଶାନ୍ତ ରାଉତ, ଅଜୟ ନାୟକ, ସୁଧାଂଶୁ ଶେଖର ବିଶ୍ବାଳ, ସସ୍ମିତା ଜେନା ଓ ପ୍ରେମାନନ୍ଦ ଲେଙ୍କା ଉପସ୍ଥିତ ଥିଲେ। ମଧୁସ୍ମିତା ସେନାପତି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ସୁରେନ୍ଦ୍ର ପ୍ରସାଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।