ଭଦ୍ରକ : ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଦୁଇଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଜେପି ଓ ଅନ୍ୟ ଦଳର ବରିଷ୍ଠ ନେତାଙ୍କୁ ଭେଟି କଥା ହୋଇଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି। ଗତକାଲି ଶ୍ରୀ ମହାପାତ୍ର ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକାଳୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ରାତିରେ ଭଦ୍ରକ ପାନ୍ଥନିବାସରେ ରାତ୍ରିଯାପନ କରିବା ଅବସରରେ ଜିଲ୍ଲାର ବହୁ ବରିଷ୍ଠ ବିଜେପି ନେତା, ଅନ୍ୟ ଦଳର ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ଜିଲ୍ଲାର କିଛି ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ ଓ ଶିକ୍ଷାବିତ୍ଙ୍କ ସହ ମଧ୍ୟ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି।
ଶୁକ୍ରବାର ସକାଳେ ଶ୍ରୀ ମହାପାତ୍ର ପ୍ରସିଦ୍ଧ ଶୈବପୀଠ ଆରଡିକୁ ଯାଇ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଥିଲେ। ଅପରାହ୍ନରେ ଭଦ୍ରକ ଫେରି ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଜିଲ୍ଲା ବିଜେପିର ବହୁ ପୁରୁଣା ନେତାଙ୍କ ସହ କଥା ହୋଇଥିଲେ। ସେମାନଙ୍କ ମଧ୍ୟରେ ବରିଷ୍ଠ ନେତା ତୁଷାର ଜେନା, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଦୀନବନ୍ଧୁ ପତି, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅକ୍ଷୟ ସାହୁ, ବିଜେପି ନେତା ବାମଦେବ ଦାସ, ରଘୁନାଥ ସାହୁ, ଅଲେଖ ଦାସ, ଦେବରାଜ ପାତ୍ର ଥିବା ଜଣାପଡ଼ିଛି। ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ଶ୍ରୀ ମହାପାତ୍ରଙ୍କ ଭଳି ଜଣେ ରାଜ୍ୟସ୍ତରୀୟ ତୁଙ୍ଗ ନେତାଙ୍କ ଅଚାନକ ଭଦ୍ରକ ସହ ଅନ୍ୟ ଜିଲ୍ଲା ଗସ୍ତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଶ୍ରୀ ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ମୋର ଓଡ଼ିଶାର ବିଭିନ୍ନ ଜିଲ୍ଲା ବୁଲିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ଦଳରେ ମୋର ଜଣାଶୁଣା ବହୁତ ଲୋକ ଅଛନ୍ତି। ପୁରୁଣା ସଂପର୍କ ଆଧାରରେ ସେମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବି ଓ ସ୍ଥାନୀୟ ରାଜନୈତିକ ସ୍ଥିତି ବାବଦରେ ବୁଝିବି। ସୂଚନା ଥାଉକି, ଶ୍ରୀ ମହାପାତ୍ର ଭଦ୍ରକ ଗସ୍ତ ପୂର୍ବରୁ ୪ଟି ଜିଲ୍ଲା ଗସ୍ତ କରି ସାରିଛନ୍ତି। ଆସନ୍ତା ଅଗଷ୍ଟ ୧୨ ତାରିଖରେ ସେ ବାଲେଶ୍ବର ଜିଲ୍ଲା ଗସ୍ତ କରିବେ ବୋଲି ଜଣାପଡ଼ିଛି।