ବାରିପଦା: ପଞ୍ଚାୟତ ଓ ପୌର ନିର୍ବାଚନ ଶେଷ ହୋଇଛି। ଏହି ଦୁଇ ନିର୍ବାଚନରେ ସାରା ରାଜ୍ୟରେ ବିଜେଡି ବେଶ ଭଲ ପ୍ରଦର୍ଶନ କରିଛି। ନିର୍ବାଚନ ପରେ ଏବେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ମନ୍ତ୍ରିମଣ୍ଡଳରେ କିଏ ରହିବେ, କିଏ ବାଦ୍ ପଡ଼ିବେ ତାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା। ଆଶାୟୀ ନେତାଙ୍କ ମଧ୍ୟରେ ବି ଅଙ୍କକଷା ଆରମ୍ଭ ହୋଇଯାଇଛି। ମନ୍ତ୍ରୀପଦ ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳକୁ ମାପକାଠି କରାଯାଉଥିବା ନେଇ ରାଜନୀତି ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି। ଯେଉଁ ବିଧାୟକ ନିଜ ନିର୍ବାଚନମଣ୍ଡଳୀ କିମ୍ବା ଜିଲ୍ଲାରେ ଦଳକୁ ବିପୁଳ ସଫଳତା ଆଣି ଦେଇଛନ୍ତି ସେମାନଙ୍କୁ ସୁପ୍ରିମୋ ନବୀନ ପଟ୍ଟନାୟକ ପୁରସ୍କାର ସ୍ବରୂପ ମନ୍ତ୍ରୀପଦ ଦେଇପାରନ୍ତି। ସେହି ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାରେ ନୂଆମୁହଁ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ଥିବା ସୁଦାମ ମାରାଣ୍ଡି ନିଜ ପଦ ବଞ୍ଚାଇ ପାରିବେ ନା ତାଙ୍କୁ ଦଳ ସାଂଗଠନିକ କାର୍ଯ୍ୟରେ ଲଗାଇବ ସେ ଉପରେ ସମସ୍ତଙ୍କ ନଜର ରହିବ। ଗତ ପଞ୍ଚାୟତ ନିର୍ବାଚନରେ ସୁଦାମଙ୍କ ନିର୍ବାଚନମଣ୍ଡଳୀ ବାଙ୍ଗିରିପୋଷିରେ ବିଜେଡି ବେଶ୍ ଭଲ କରିଥିଲା। ସୁଦାମଙ୍କ ମାରାଥନ ପ୍ରଚାର ପାଇଁ ଜିଲ୍ଲାର ଅନ୍ୟ ବ୍ଲକ୍ରେ ବି ଭଲ ଫଳାଫଳ ହୋଇଥିଲା। ହେଲେ ବାରିପଦା ପୌର ନିର୍ବାଚନରେ ସୁଦାମଙ୍କ ନିଜ ୱାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ବହୁ ଭୋଟ୍ ବ୍ୟବଧାନରେ ପରାଜିତ ହେବା ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। କିଛି ବିରୋଧୀ ଏହି ଖବରକୁ ଉପରମହଲରେ ପକାଇ ସୁଦାମଙ୍କ ପାଇଁ କଣ୍ଟା ବିଛାଇଥିବା ଆଲୋଚନା ହେଉଛି।
ତେବେ ସୁଦାମ ବିଜେଡିରେ ସାମିଲ ହେବା ପରଠାରୁ ତାଙ୍କ ଉପରେ ଭରସା କରିଛନ୍ତି ଦଳର ସୁପ୍ରିମୋ। ତେଣୁ ଗୋଟିଏ ୱାର୍ଡର ପରାଜୟ ପାଇଁ ଦଳ ତାଙ୍କୁ ଦାୟୀ କରିବନି ବୋଲି ଶୁଣିବାକୁ ମିଳୁଛି। ତେବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ବିଜେଡି ଯଦି ସୁଦାମଙ୍କୁ ସଂଗଠନ ଦାୟିତ୍ବ ଦିଏ ତାହାହେଲେ ତାଙ୍କୁ ମନ୍ତ୍ରୀପଦ ଛାଡ଼ିବାକୁ ପଡ଼ିବ। ସୁଦାମ ବାଦ୍ ପଡ଼ିଲେ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଏକମାତ୍ର ମହିଳା ବିଧାୟିକା କରଞ୍ଜିଆର ବାସନ୍ତୀ ହେମ୍ବ୍ରମଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇପାରେ। ତେବେ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ମୋରଡ଼ା ନିର୍ବାଚନମଣ୍ଡଳୀରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ବିପୁଳ ସଫଳତା ଆଣିଥିଲେ ରାଜକିଶୋର। ତେଣୁ ସୁପ୍ରିମୋ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି। ୨୦୨୪ ନିର୍ବାଚନରେ ବିଜେପିକୁ ଚେକ୍ ଦେବା ପାଇଁ ଦଳ ମୟୂରଭଞ୍ଜ ଜିଲ୍ଲାକୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ସୁଦାମଙ୍କ ସମେତ ଅନ୍ୟ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/12-11.jpg)