ଭୁବନେଶ୍ୱର : ଦୀର୍ଘ ଦିନ ହେବ ଗାନ୍ଧୀ ବିଲାତରେ ରହୁଥିଲେ। ଭାରତ ଫେରିବା ପରେ ଜଣଙ୍କ ପରେ ଜଣେ ଯୋଡ଼ି ହେଇଗଲେ। ଯାହା ସ୍ବାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାଙ୍କର ହିଁ ଆବିଷ୍କାର ଥିଲେ ସର୍ଦ୍ଦାର ଭଲ୍ଲଭଭାଇ ପଟେଲ୍‌। ଉଭୟ ଏକମତ ଥିଲେ, ଅନେକ ଥର ମତଭେଦ ବି ହେଉଥିଲା। ହେଲେ ଗାନ୍ଧୀଙ୍କ ବିନା ସେ ନିଜର ଅସ୍ତିତ୍ବ ଚିନ୍ତା କରିପାରୁନଥିଲେ। ଗାନ୍ଧୀଙ୍କ ଠାରୁ ତାଙ୍କ ଜୀବନ ଆରମ୍ଭ ହୋଇଥିଲା। ତାଙ୍କରି ଠାରୁ ହିଁ ଗାନ୍ଧୀଙ୍କ ଜୀବନ ଶେଷ ହୋଇଥିଲା। ସର୍ଦ୍ଦାର ପଟେଲ୍‌ ନିଜର ଇସ୍ତଫା ପତ୍ର ନେଇ ଯାଇଥିଲେ। ଗାନ୍ଧୀ ସେତେବେଳେ ପ୍ରାର୍ଥନା ସଭାକୁ ବାହାରୁଥିଲେ। ‘ଜିନ୍ଦା ରହା ତୋ ଇସ୍‌ ବାତ୍‌ ପର ଚର୍ଚ୍ଚା ହୋଗି’ କହି ଗାନ୍ଧୀ ସଭାକୁ ଯାଇଥିଲେ, ଯେଉଁଠି ନାଥୁରାମ୍‌ ଗୁଳିରେ ଟଳି ପଡ଼ିଥିଲେ। ଆଉ ସର୍ଦ୍ଦାରଙ୍କ ପତ୍ର ଉପରେ ସେ ବିଚାର କରି ପାରିନଥିଲେ। ଗୃହମନ୍ତ୍ରୀ ଥିବା ବେଳେ ସେ ଜାତିର ପିତାଙ୍କୁ ସୁରକ୍ଷା ଦେଇ ପାରିନଥିଲେ। ଯାହା ଥିଲା ତାଙ୍କ ଜୀବନର ବଡ଼ ଅବସୋସ।

Advertisment

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଓ ରାଷ୍ଟ୍ରୀୟ ଯୁବା ସଂଗଠନ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ପରିସରରେ ଆୟୋଜିତ ‘ଆସ ଶୁଣିବା ଗାନ୍ଧୀ କଥା’ରେ ଆଜି ଗାନ୍ଧୀବାଦୀ ପ୍ରଚାରକ କୁମାର ପ୍ରଶାନ୍ତ ଯୋଗଦେଇ ‘ଗାନ୍ଧୀ ଓ ପଟେଲ୍‌’ ଶୀର୍ଷକ ଆଲୋଚନା କରିଥିଲେ। ସେ କହିଥିଲେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍‌ ଓକିଲ ଥିଲେ। ବିଲାତରୁ ଫେରିବା ପରେ ଅହମ୍ମଦାବାଦ୍‌ରେ ହିଁ ଓକିଲାତି କଲେ। କୋର୍ଟରେ ତାଙ୍କ ଯୁକ୍ତି ଶୁଣିବା ପାଇଁ ଲୋକ ଜମା ହେଉଥିଲେ। ତାଙ୍କର ପ୍ରବଳ ରୋଜଗାର ମଧ୍ୟ ଥିଲା। ୧୯୧୬ ମସିହାରେ ଗାନ୍ଧୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଅହମ୍ମଦାବାଦ୍‌ ଆସିଥିଲେ। ଗାନ୍ଧୀଙ୍କ ବିଷୟରେ ଯଦିଓ ସେ ଶୁଣିଥିଲେ, ହେଲେ ତାଙ୍କର ଏତେ ଆଗ୍ରହ ନ ଥିଲା। ଏଣୁ ସେ କ୍ଲବ୍‌ରେ ରମି ଖେଳରେ ବ୍ୟସ୍ତ ରହିଲେ। ଗାନ୍ଧୀଙ୍କୁ ଶୁଣିବାକୁ ଗଲେନାହିଁ। ପରଦିନ ସେ ଗାନ୍ଧୀଙ୍କ ସେହି କାର୍ଯ୍ୟକ୍ରମ ଓ ଗାନ୍ଧୀଙ୍କ କଥା ଖବର କାଗଜରେ ପଢ଼ିଲେ। ପଟେଲ୍‌ ଭାବୁଥିଲେ କୋର୍ଟ ଭିତରେ ହିଁ ସବୁ। ହେଲେ କୋର୍ଟ ବାହାରେ ବିଚାର ହୁଏ, କୋର୍ଟ ବାହାରେ ବି ନ୍ୟାୟର ଲଢ଼େଇ ଲଢ଼ି ହୁଏ, ସେଦିନ ତାହା ସେ ଗାନ୍ଧୀଙ୍କ ଠାରୁ ଶିଖିଥିଲେ। ସେବେଠାରୁ ସେ ଗାନ୍ଧୀଙ୍କ ପାଇଁ ପାଗଳ ହୋଇଗଲେ।

ପଟେଲ୍‌ ଗୁଜୁରାଟ ଖେଡ଼ା ମୁନିସିପାଲିଟିର ଅଧ୍ୟକ୍ଷ ଥିଲେ। ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲା। ପଟେଲ ଅଧ୍ୟକ୍ଷ ଥିବାରୁ ଚିନ୍ତାରେ ପଡ଼ିଥିଲେ। ସରକାର(ଇଂରେଜ)ଙ୍କ ଠାରୁ ସହାଯୋଗ ମିଳିନଥିଲା। ଗାନ୍ଧୀ ସେତେବେଳେ ଚମ୍ପାରନ‌ରେ ସଂଗ୍ରାମ ଜାରି ରଖିଥିଲେ। ୧୯୧୮ରେ ଗୁଜୁରାଟ ଫେରିବା ପରେ ସରକାରଙ୍କ ବିରୋଧରେ ବିଦ୍ରୋହ ପାଇଁ ଯୋଜନା ହେଲା। କୃଷକ ‘କର’ ନଦେଲେ ଯାଇ ସରକାର ଚେତିବେ ବୋଲି ଗାନ୍ଧୀ ପ୍ରସ୍ତାବ ଦେଲେ। ହେଲେ ଏତେ କୃଷକ କିଭଳି ମାନିବେ? ସେ ନେଇ ପଟେଲ ଚିନ୍ତାରେ ପଡ଼ିଗଲେ। ହେଲେ ଗାନ୍ଧୀଙ୍କ ଜିଦ୍‌ ଆଗରେ ସେ ହଜାର ହଜାର କୃଷକଙ୍କୁ ଏକାଠି କରିବାକୁ ସକ୍ଷମ ହେଲେ। ଖେଡ଼ା ସତ୍ୟାଗ୍ରହ ଆରମ୍ଭ ହେଲା।
୧୯୨୩ ନାଗପୁର ଝଣ୍ଡା ସତ୍ୟାଗ୍ରହ ହୋଇଥିଲା। କଂଗ୍ରେସ ପତାକା ଦେଖିଲେ ଜେଲରେ ଭର୍ତ୍ତି କରିବାପାଇଁ ଇଂରେଜ ସରକାର ଘୋଷଣା କରିଥିଲେ। ସେଠାରେ ପଟେଲ୍‌ଙ୍କୁ ନେତା କରିଦେଲେ ଗାନ୍ଧୀ। ବୋଡାଲିରେ ମଧ୍ୟ ୮୦ ହଜାର କୃଷକଙ୍କ ସଂଗଠନ ତିଆରି କରିବାର ନେତୃତ୍ବ ନେଇ ଦେଶରେ ପରିଚିତ ହୋଇଥିଲେ ପଟେଲ୍‌। ସେଠାରୁ ହିଁ ସେ ଧୋତି କୁର୍ତ୍ତା ପିନ୍ଧିବା ଆରମ୍ଭ କରିଥିଲେ। ଜୀବନର ଶେଷ ପର୍ଯ୍ୟନ୍ତ ସେ ଏହି ପୋଷାକ ପିନ୍ଧିଥିଲେ। ବଲ୍ଲଭ ଅର୍ଥ ହେଉଛି ଈଶ୍ବର। ବାଡୋଲିରେ ଆମକୁ ଈଶ୍ବର ମିଳିଲେ ଓ ଦେଶକୁ ସର୍ଦ୍ଦାର ମିଳିଲେ ବୋଲି କଥା ପ୍ରସଙ୍ଗରେ କହିଥିଲେ ଗାନ୍ଧୀ।

publive-image

ସେ ନେହରୁଙ୍କୁ ଆଖି ଭାବରେ ମାନୁଥିଲେ ଓ ପଟେଲ୍‌ଙ୍କୁ ହନୁମାନ ଭାବରେ ଦେଖୁଥିଲେ। ପଟେଲ ବର୍ତ୍ତମାନରେ ବଞ୍ଚୁଥିଲେ, ଲୁହା ଜଞ୍ଜିର ଭଳି ତାଙ୍କର ବିଶ୍ବାସ ଥିଲା। ସିଧା କାମ ସିଧା ପରିଣାମରେ ବିଶ୍ବାସ କରୁଥିଲେ ପଟେଲ। ନେହରୁ ଭବିଷ୍ୟତକୁ ଦେଖି ପାରୁଥିଲେ। ନୀତି ଓ ବିଚାରରେ ଉଭୟ ଥିଲେ ସମାନ। ଉଭୟଙ୍କର ପ୍ରେରଣା ଥିଲେ ଗାନ୍ଧୀ। ଦାଣ୍ଡି ଲବଣ ସତ୍ୟାଗ୍ରହରେ ଉଭୟଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଗାନ୍ଧୀ ବାରବାର କହୁଥିଲେ। ପଟେଲ ମଧ୍ୟ ଗାନ୍ଧୀଙ୍କ ସହ ବିତିଥିବା ଜୀବନକୁ ମନେ ପକାଇ କହିଥିଲେ, ଅହିଂସା ଏମିତି ଆସିନି। ଏହା ପଛରେ ଏକ ଇଂଜିନିୟରିଂ କାମ କରୁଛି।

୧୯୩୧ରେ କଗ୍ରେସ ଅଧ୍ୟକ୍ଷ ଭାବରେ ପଟେଲଙ୍କୁ ଚୟନ କରାଗଲା। ୧୯୩୪ରେ ଗାନ୍ଧୀ କଂଗ୍ରେସରୁ ଇସ୍ତଫା ଦେଲେ। କେବଳ ଇସ୍ତଫା ଦେଲେନି, ବରଂ କେଉଁ କାରଣ ପାଇଁ ସେ କଂଗ୍ରେସ ଛାଡ଼ୁଛନ୍ତି, ବା କଂଗ୍ରେସର କେଉଁଠି ଅଭାବ ରହିଛି ତାହା ୧୨ଟି ବିନ୍ଦୁରେ ବର୍ଣ୍ଣନା କରିଥିଲେ। ଯେଉଁ ସବୁ ବିନ୍ଦୁକୁ ଗାନ୍ଧୀ ସୂଚିତ କରିଥିଲେ ସେ ସବୁ ପାଇଁ ଆଜି ବି କଂଗ୍ରେସରେ ଅଭାବ ରହିଛି। ସେ ଇସ୍ତଫା ଦେବାପରେ ୧୯୩୬ରେ ନେହରୁ ଓ ପଟେଲ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା। ୧୯୩୭ରୁ ନେହରୁଙ୍କୁ ଏହି ଦାୟିତ୍ୱ ମିଳିଲା। ପଟେଲ୍‌ ବି‌ରୋଧ କରିଥିଲେ ଓ କେତେକ ନାମ ମଧ୍ୟ ସୁପାରିସ କରିଥିଲେ। ହେଲେ ଗାନ୍ଧୀଙ୍କ ହସ୍ତକ୍ଷେପ ଯୋଗୁଁ କିଛି ଫଳ ହୋଇନଥିଲା। କିଛି ଦିନ ପାଇଁ ସୁଭାଷ ବୋଷ ମଧ୍ୟ ଅଧ୍ୟକ୍ଷ ରହିଥିଲେ। ତେବେ ୬ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ଅଧ୍ୟକ୍ଷ ଚୟନ ହୋଇ ପାରିନଥିଲା। ସ୍ବାଧୀନତାକୁ ଅଳ୍ପ ଦିନ ଥିଲା। ୧୯୪୬ ମସିହାରେ କଂଗ୍ରେସ ଅଧ୍ୟକ୍ଷ ଚୟନ ପାଇଁ ସଜବାଜ ଆରମ୍ଭ ହେଲା। ବିଭିନ୍ନ ଉପାନ୍ତ କମିଟିରୁ ନାମ ସୁପାରିସ ହୋଇଥିଲା। ୧୫ କମିଟିଙ୍କ ମଧ୍ୟରୁ ୧୨ଟି କମିଟି ପଟେଲ୍‌ଙ୍କ ନାମ ସୁପାରିସ କରିଥିଲେ। ଆଉ ତିନୋଟିରେ ମଧ୍ୟ ନେହରୁଙ୍କ ନାମ ନଥିଲା। କିନ୍ତୁ ୱାର୍କିଂ କମିଟିର ସୁପାରିସ କ୍ରମେ ନେହେରୁ ପୁଣି ଥରେ ଅଧ୍ୟକ୍ଷ ହେଲେ। ଯେଉଁଥିରେ ପଟେଲ୍‌ଙ୍କର ପ୍ରବଳ ଅସନ୍ତୋଷ ଥିଲା। ହେଲେ ଗାନ୍ଧୀ ଏଭଳି ବୁଝାଇଲେ ଯେ ପଟେଲ ଓ ନେହରୁ ଏକ ମନ ହୋଇ କାମ କଲେ।

ସ୍ବାଧୀନତା ପରେ ଅନେକ ପ୍ରଦେଶ ସ୍ବତନ୍ତ୍ର ହେବାକୁ ଆନ୍ଦୋଳନ କଲେ। ସ୍ବାଧୀନ ଭାରତର ନେତାଙ୍କ ସାମ୍ନାରେ ଏହା ଥିଲା ସବୁଠାରୁ ବଡ଼ ଆହ୍ବାନ। ହେଲେ କଂଗ୍ରେସ ମୁସଲ୍‌ମାନଙ୍କ ସପକ୍ଷରେ ରହିଲା। ଦିନେ ଗାନ୍ଧୀ କହିଲେ, ମୁସଲମାନଙ୍କ ପାଖରେ ବିକ୍ରି ହୋଇଯାଇଛି କଂଗ୍ରେସ। ସର୍ଦ୍ଦାର ପଟେଲ୍‌ ପାଖରେ ଦମ୍‌ ଅଛି ହେଲେ ସେ ବି ତ କଂଗ୍ରେସ। ଯେଉଁ ସର୍ଦ୍ଦାରକୁ ଆଜି ମୁଁ ଦେଖୁଛି ତାକୁ ମୁଁ ଚିହ୍ନିନି। ଗାନ୍ଧୀଙ୍କର ଏଭଳି ବୟାନ ପରେ ମଧ୍ୟ ୩୫୦ ରାଜାଙ୍କୁ ଏକାଠି କରି ନବଭାରତ ଗଠନରେ ମୁଖ୍ୟ ଭୂମିକା ନିଭାଇଥିଲେ ପଟେଲ୍‌।

ଭାବନା ଆବେଗରୁ ବାହାରେ ତାଙ୍କ ଆବରଣ ଭାଙ୍ଗି କେହି ପଶିବା ସମ୍ଭବ ନୁହେଁ। ଯେତେ ଉଚା ମୂର୍ତି ତିଆରି କଲେ ବି ସର୍ଦାରଙ୍କ ଠାରୁ ଉଚ୍ଚା ହେବନି ବୋଲି କହିଥିଲେ କୁମାର ପ୍ରଶାନ୍ତ।