ଓଡ଼ିଶାରେ ପାଞ୍ଚ ରାଜ୍ୟପାଳଙ୍କ ଭୂମିକାକୁ ନେଇ ବିବାଦ ଦେଖାଦେଇଥିଲା

ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପୁସ୍ତକକୁ ନେଇ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ସଂପର୍କକୁ େନଇ ୧୯୫୨ ମସିହାରୁ ବିବାଦ ରହିଛି। କର୍ଣ୍ଣାଟକ, ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ରରେ ସରକାର ଓ ରାଜ୍ୟପାଳ ମୁହାଁମୁହିଁ ହେବା ଘଟଣା ଗୋଟିଏ ସମୟରେ ଚର୍ଚ୍ଚାର ବିଷୟ ଥିଲା। ନିକଟରେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଭୂମିକା ନେଇ ବଡ଼ ବିତର୍କ ମୁଣ୍ଡ ଟେକିଛି। ହେଲେ କେବଳ ଏସବୁ ରାଜ୍ୟରେ ଏମିତି ଘଟିଛି ତା ନୁହେଁ, ଓଡ଼ିଶା ରାଜନୀତିରେ ଗତ ପାଞ୍ଚ ଦଶନ୍ଧି ଭିତରେ ରାଜ୍ୟ ଶାସନରେ ରାଜ୍ୟପାଳଙ୍କ ଭୂମିକାକୁ ନେଇ ବି ବିତର୍କ ମୁଣ୍ଡଟେକିଛି।

ଓଡ଼ିଶାର ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ତାଙ୍କ ଗବେଷଣାତ୍ମକ ଇଂରାଜୀ ପୁସ୍ତକ ‘ପଲଟିକାଲ୍ ହିଷ୍ଟ୍ରି ଅଫ୍ ମଡ଼ର୍ଣ୍ଣ ଓଡ଼ିଶା’ରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିଛନ୍ତି। ଆସନ୍ତା ଜାନୁଆରି ଦୁଇ ତାରିଖରେ ଏହି ପୁସ୍ତକ ଆତ୍ମପ୍ରକାଶ କରିବା ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ମୁଣ୍ଡ ଟେକିଲେଣି। କେବଳ ସେତିକି ନୁହେଁ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ-ଜୟପ୍ରକାଶ ନାରାୟଣଙ୍କ ବିବାଦର ମୂଳଦୁଆ ଭୁବନେଶ୍ବରରେ ପଡ଼ିଥିଲା ବୋଲି ଶ୍ରୀ ଦାସ ଏହି ପୁସ୍ତକରେ ଦର୍ଶାଇଛନ୍ତି। ଶ୍ରୀ ଦାସ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ୧୯୭୧ ମସିହାରେ ତତ୍କାଳୀନ ରାଜ୍ୟପାଳ ସୌକତୁଲ୍ଲା ଶାହା ଅନସାରୀ ଏବଂ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ମଧ୍ୟରେ ସୁସମ୍ପର୍କ ନଥିଲା। ଏଣୁ ଶ୍ରୀ ସିଂହଦେଓ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ, ସେବେ ବିକଳ୍ପ ବ୍ୟବସ୍ଥା ପର୍ଯ୍ୟନ୍ତ ତାଙ୍କୁ ପଦବିରେ ରହିବା ଲାଗି ଅନୁରୋଧ କରିନଥିଲେ ରାଜ୍ୟପାଳ। ପରିଣାମ ହେଲା, ୧୯୭୧ ମସିହା ଜାନୁଆରି ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସାମ୍ବିଧାନିକ ବ୍ୟବସ୍ଥାରେ ରାଜ୍ୟ ଶାସନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା। ସେହି ୪୮ ଘଣ୍ଟା ରାଜ୍ୟରେ କୌଣସି ପ୍ରଶାସନିକ ବ୍ୟବସ୍ଥା ନ ଥିଲା।

ଇନ୍ଦିରା-ଜୟପ୍ରକାଶଙ୍କ ବିବାଦର ମୂଳଦୁଆ ପଡ଼ିଥିଲା ଭୁବନେଶ୍ବରରେ

ସେହିଭଳି ୧୯୭୩ ମସିହାରେ ନନ୍ଦିନୀ ଶତପଥୀ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ନୀଳମଣି ରାଉତରାୟଙ୍କ ନେତୃତ୍ବରେ ୨୨ଜଣ ପୂର୍ବତନ ଉତ୍କଳ କଂଗ୍ରେସ ବିଧାୟକ ନିଜ ଦଳକୁ ଫେରିଯିବା ଫଳରେ ସରକାରର ପତନ ହୋଇଥିଲା। ଅନ୍ୟପକ୍ଷରେ ପ୍ରଗତିଦଳର ନେତା ବିଜୁ ପଟ୍ଟନାୟକ ତାଙ୍କ ସପକ୍ଷରେ ୭୨ଜଣ ବିଧାୟକଙ୍କୁ ରାଜଭବନ ନେଇ ବିକଳ୍ପ ମନ୍ତ୍ରିମଣ୍ଡଳ ଗଢିବା ପାଇଁ ସୁଯୋଗ ଦେବାକୁ ତତ୍କାଳୀନ ରାଜ୍ୟପାଳ ବି ଡି ଜତିଙ୍କୁ ଅନୁରୋଧ କରିଥିଲେ। ହେଲେ ରାଜ୍ୟପାଳ ଏହାକୁ ଏଡ଼ାଇ ଯାଇ କଂଗ୍ରେସ ଦଳର ଅନୁଗତ ଭାବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ପାଇଁ ସୁପାରିସ କରିଥିଲେ। ରାଜ୍ୟପାଳଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରି ଓଡ଼ିଶା ହାଇକୋର୍ଟରେ ଯେଉଁ ରିଟ୍ ପିଟିସନ୍ ଦାଖଲ ହୋଇଥିଲା, ତାର ବିଚାର କରି ତତ୍କାଳୀନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଗତିକୃଷ୍ଣ ମିଶ୍ର ରାଜ୍ୟପାଳଙ୍କ ଭୂମିକା ସଂପର୍କରେ କଟୁ ମନ୍ତବ୍ୟ ପ୍ରଦାନ କରିଥିଲେ। ୧୯୭୫ ମସିହା ମାର୍ଚ୍ଚ ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଜୟପ୍ରକାଶଙ୍କୁ ତାଙ୍କ ବନ୍ଧୁ ତଥା ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଜନାବ ଆକବର ଖାଁ ରାଜଭବନକୁ ନୈଶ୍ୟଭୋଜନ ପାଇଁ ଆମନ୍ତ୍ରଣ କରିଥଇଲେ। ଏହାକୁ ନେଇ ରାଜ୍ୟପାଳ ଅକଳରେ ପଡ଼ିଥିଲେ ଓ ତାଙ୍କୁ ବେଶ୍ ମାନିସକ ଯାତନା ସହିବାକୁ ପଡ଼ିଥିଲା।

ରାଜ୍ୟପାଳଙ୍କ ଭୂମିକା ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ବେ​ଳେ ବିବାଦୀୟ ସ୍ଥିତିକୁ ଆସିଥିଲା। ମେଣ୍ଟରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ବିଧାନସଭାରେ ବିଜୁ ଜନତା ଦଳର ସଂଖ୍ୟା ୬୧ରେ ସୀମିତ ରହିଥିଲା। ରାଜ୍ୟପାଳ ଚାହିଁଥିଲେ ଶାସକଦଳ ସଂଖ୍ୟା ଦୃଷ୍ଟିରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିପାରିଥାନ୍ତେ। ତା ନ କରି ସେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ନିର୍ଦେଶ ଦେଇଥିଲେ। କେବଳ ସେତିକି ନୁହେଁ, ରାଜ୍ୟପାଳଙ୍କ ନିର୍ଦେଶରେ ୨୦୦୯ ମାର୍ଚ୍ଚ ୧୧ ତାରିଖରେ ବିଧାନସଭାରେ ସ୍ବତନ୍ତ୍ର ଅଧିବେଶନ ବସିଥିଲା। ସେହି ବୈଠକରେ ଅନାସ୍ଥା ପ୍ରସ୍ତାବ ଉପରେ ଆଠଘଣ୍ଟା ଆଲୋଚନା େହାଇଥିଲା। ମାତ୍ର ବାଚସ୍ପତି ଅତୀତର ସବୁ ପରମ୍ପରା ଭାଙ୍ଗି ମୌଖିକ ଭୋଟରେ ପ୍ରସ୍ତାବଟି ପାରିତ କରିଥିଲେ। ଫଳରେ ନବୀନଙ୍କ ସପକ୍ଷରେ କେତେ ବିଧାୟକ ଅଛନ୍ତି ଏହା ଜଣାପଡ଼ିନଥିଲା। ରାଜ୍ୟପାଳ ମଧ୍ୟ ଏହାକୁ ଗ୍ରହଣ କରିନେଇଥିଲେ।

ଉଲ୍ଲେଖଥାଉକି, ଇନ୍ଦିରା ଗାନ୍ଧୀ-ଜୟପ୍ରକାଶ ନାରାୟଣଙ୍କ ବିବାଦ ଭୁବନେଶ୍ବରରୁ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ଦାସ ଦାବି କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ୧୯୭୪ ମସିହା ଏପ୍ରିଲ ପହିଲାରେ ଇନ୍ଦିରା ଗାନ୍ଧୀ ତାଙ୍କ ପରିବାର ସହିତ ଓଡ଼ିଶା ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ। ସେହି ବୈଠକରେ ଶ୍ରୀମତୀ ଗାନ୍ଧୀ ଜୟପ୍ରକାଶଙ୍କ ନାମ ଉଚ୍ଚାରଣ ନ କରି ତାଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଯେଉଁମାନେ ଦେଶରେ ଏପରି ଆନ୍ଦୋଳନ ଚଳାଇଛନ୍ତି, ସେଥିପାଇଁ ସେମାନେ କେଉଁଠୁ ଅର୍ଥ ପାଉଛନ୍ତି? କେଉଁ ବିଦେଶୀ ରାଷ୍ଟ୍ର ସେମାନଙ୍କୁ ଅର୍ଥ ଯୋଗାଉଛନ୍ତି? ସେମାନେ ଏହାର ଜବାବ ଦେବା ଉଚିତ୍। ଏ ସଂକ୍ରାନ୍ତରେ ଇଂରାଜୀ ଖବର କାଗଜରେ ଯେଉଁ ଖବର ପ୍ରକାଶ ପାଇଥିଲା, ତାହା ଥିଲା ଜୟପ୍ରକାଶଙ୍କ ବିରୋଧରେ ଇନ୍ଦିରା ଗାନ୍ଧୀଙ୍କର ବିଷୋଦ୍‌ଗାର। ଏହି ଖବର ହିଁ ଉଭୟଙ୍କ ଭିତରେ ଦୂରତାକୁ ଆହୁରି ବଢାଇ ଦେଇଥିଲା।

ସମ୍ବନ୍ଧିତ ଖବର