ଲଇକେରା ସାଇଡିଂ ପ୍ରସଙ୍ଗରେ ପ୍ରଶାସନର ଆଲୋଚନା, ଗାଁ ରାସ୍ତାରେ କୋଇଲା ପରିବହନକୁ ଲୋକଙ୍କ ନା

ସୁନ୍ଦରଗଡ଼: ହେମଗିର ବ୍ଲକ୍‌ ଲଇକେରା ଠାରେ ଏମସିଏଲ ଏକ ନୂଆ ରେଲୱେ ସାଇଡିଂ ଖୋଲି ଲଇକେରା-କନକତୋରା ଗାଁ ରାସ୍ତାକୁ କୋଇଲା ପରିବହନ ପାଇଁ ବ୍ୟବହାର କରିବା ଘଟଣାକୁ ଗାଁ ଲୋକେ ତୀବ୍ର ବିରୋଧ କରିଛନ୍ତି। କୌଣସିସ୍ଥିତିରେ ଲୋକଙ୍କ ରାସ୍ତାରେ କୋଇଲା ପରିବହନ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଲଇକେରା ଓ ପାର୍ଶ୍ବବର୍ତ୍ତୀ ପ୍ରଭାବିତ ଗାଁ ଲୋକେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏ ପ୍ରସଙ୍ଗରେ ଆଜି ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କା ଗାଁକୁ ଯାଇ ସ୍ଥିତି ପରଖି ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ଉପସ୍ଥିତିରେ ଲୋକଙ୍କ ସହ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ଲୋକେ ଏଥିରେ ରାଜି ନହୋଇ ଏମସିଏଲ ବିକଳ୍ପ ରାସ୍ତା ତିଆରି କରୁ ବୋଲି କହିଛନ୍ତି।

ପୂର୍ବତନ ବିଧାୟକ ଶ୍ରୀ ସିଂ ଗାଁ ଲୋକଙ୍କ ଦାବିକୁ ସମର୍ଥନ କରି ଏମସିଏଲ ଲୋକଙ୍କ ସ୍ବାର୍ଥକୁ ବଳି ପକାଉଥିବା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ବରପାଲି ଠାରୁ ଭାୟା ଲଇକେରା ଦେଇ କନକତୋରାକୁ ଯାତାୟତ ପାଇଁ ଏହା ଏକମାତ୍ର ରାସ୍ତା ହୋଇଥିବା ବେଳେ ଗତ ଅକ୍ଟୋବର ୨୨ରେ ଝାରସୁଗୁଡ଼ା-ସରଡେଗା (କୋଇଲା ସାଇଡିଂ) ରେଲ କରିଡର୍‌ର ଲଇକେରା ଠାରେ ଆଉ ଏକ ସାଇଡିଂ କରିବାକୁ ରେଲବାଇ କର୍ତ୍ତୃପକ୍ଷ ଏକ ନୋଟିସ ଜାରି କରିଛନ୍ତି। ଏହା ସହ ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ସାଇଡିଂ ପରିଚାଳନା ପାଇଁ ଅନୁମତି ଦେଇଛନ୍ତି। ଯାହା ସମ୍ପୂର୍ଣ୍ଣ ଆଇନ ବିରୁଦ୍ଧ, ଆବଶ୍ୟକ ନିୟମାବଳୀର ଖୋଲା ଉଲ୍ଲଂଘନ ବୋଲି ଗ୍ରାମବାସୀ ଅଭି‌ଯୋଗ କରି ଆସୁଛନ୍ତି। କୋଇଲା ବୋଝେଇ ଭା‌ରୀଯାନ ଚଳାଚଳ ଯୋଗୁଁ ଗାଁ ରାସ୍ତା ‌ଶୋଚନୀୟ ହେବା ସହ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇବା ଓ ଧନଜୀବନ ହାନି ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ସାଇଡିଂକୁ ବିକଳ୍ପ ରାସ୍ତା ନଥିବା, ସାଇଡିଂ ଚାରିପାଖେ ୪ ମିଟରର ପାଚେରି ନଥିବା, କୋଇଲା ଗଚ୍ଛିତ ସ୍ଥାନ (ଷ୍ଟକ)ରେ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇ ନଥିବା, କୋଇଲା ବୋଝେଇ ଗାଡ଼ି ଆସୁଥିବା ରାସ୍ତା କଡ଼ରେ ଚାରାରୋପଣ କରାଯାଇ ନଥିବା, ଏହା ଛଡ଼ା ଜଙ୍ଗଲରୁ ପ୍ରବାହିତ ଚିରସ୍ରୋତା ଝରଣାକୁ ପୋତି ପଞ୍ଚାୟତ ରାସ୍ତାରୁ ସାଇଡିଂକୁ ରାସ୍ତା ସଂଯୋଗ କରାଯାଉଥିବା ଅଭିଯୋଗ ନେଇ ଲୋକେ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ଦେଇ ତୁରନ୍ତ ଏସବୁ ବ୍ୟବସ୍ଥା କରିବା ସହ ଗାଁ ଲୋକଙ୍କ ସାଧାରଣ ରାସ୍ତାକୁ ସୁରକ୍ଷିତ ରଖିବାକୁ ଦାବି କରିଥିଲେ।

ଏହା ବିରୋଧରେ ୨ ତାରିଖରେ ଲୋକେ ରାସ୍ତାରୋକ କରିଥିଲେ। ପରେ ହେମଗିର ତହସିଲଦାର ଭିକ୍ଟୋରିଆ ଏକ୍କା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ବର୍ତ୍ତମାନର ଡିଓ ସରିବା ଯାଏ କୋଇଲା ପରିବହନ ଓ ସାଇଡିଂରୁ କୋଇଲା ବୋଝେଇକୁ ବନ୍ଦ ନକରିବାକୁ ଅନୁରୋଧ କରିଥିଲେ। ଏଥିରେ ଲୋକେ ରାଜି ହୋଇଥିବା ବେଳେ ଏହା ପରେ ନିୟମ ଅନୁଯାୟୀ ଏସବୁ ବ୍ୟବସ୍ଥା କରାନଗଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ପ୍ରକାଶ କରିଛନ୍ତି। ଏମସିଏଲ ଓ କିଛି କୋଇଲା ପରିବହନକାରୀଙ୍କ ମୁନାଫା ପାଇଁ ବାଙ୍କିବାହାଲ- ଟପରିଆ ରାସ୍ତା ପରି ଏବେ ଲଇକେରା ରାସ୍ତାକୁ ଶୋଚନୀୟ କରିବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି। ପୂର୍ବରୁ ପୂର୍ବତନ ବିଧାୟକ ଶ୍ରୀ ସିଂ ଓ ଜିଲ୍ଲା ପରିଷଦ ଉପସଭାପତି କାଶୀନାଥ ରାଉତ ମଧ୍ୟ ଏମସିଏଲର ଏ ପ୍ରକାର ବେଆଇନ କାର୍ଯ୍ୟକୁ ବିରୋଧ କରି ତୁରନ୍ତ ଏ ରାସ୍ତାତରେ କୋଇଲା ପରିବହନ ବନ୍ଦ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଲୋକଙ୍କ ମୃତ୍ୟୁମୁଖରେ ଠେଲି ନଦେଇ ଏମସିଏଲ ନିଜର ଏକ ସ୍ବତନ୍ତ୍ର ରାସ୍ତା ତିଆରି କରି କୋଇଲା ପରିବହନ କରୁ ବୋଲି ଦୁଇ ନେତା ଦାବି କରିଥିଲେ। ପ୍ରଶାସନ ଲୋକଙ୍କ ସହ ଆଲୋଚନା କରିବା ବଦଳରେ ଏମସିଏଲକୁ ବିକଳ୍ପ ରାସ୍ତା ତିଆରି କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର