ବିକ୍ରି ହେବନି ଦାଦାଙ୍କ ଘର, ସରକାର ନେଲେ ଖୁସି ହେବି: ଭଉଣୀ ଡ. ବାସନ୍ତୀ ଦେ ଚକ୍ରବର୍ତ୍ତୀ

ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଦେହାନ୍ତ ପରେ ତାଙ୍କର ସମ୍ପତ୍ତି ଓ ଘରକୁ ନେଇ ଚର୍ଚ୍ଚା

ବାଲେଶ୍ବର : ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଦେହାନ୍ତ ପରେ ଏବେ ତାଙ୍କର ସମ୍ପତ୍ତି ଓ ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ବାସଭବନ ବିକ୍ରି ହେବ ନା ତାଙ୍କ ସ୍ମୃତିରକ୍ଷା ପାଇଁ କିଛି ନୂଆ ଯୋଜନା ରହିଛି, ତାକୁ ନେଇ ଆଲୋଚନା ହୋଇଛି। ତେବେ ଦାଦା ପ୍ରେମୀମାନେ ତାଙ୍କ ବାସଭବନକୁ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉ ବୋଲି ଦାବି କରୁଥିବା ବେଳେ ଭଉଣୀ ଡ. ବାସନ୍ତୀ ଦେ ଚକ୍ରବର୍ତ୍ତୀ ଏନେଇ ନିଷ୍ପତ୍ତି ନେଇଛନ୍ତି। ଆଜି ତାଙ୍କ ସହ ସାକ୍ଷାତକାରରରେ ସେ ଏହି ଚର୍ଚ୍ଚା ବା ଆଲୋଚନାର ପୂର୍ଣ୍ଣଛେଦ ପକାଇବାକୁ ଯାଇ ନିଜର ଇଚ୍ଛା ପ୍ରକାଶ କରିଛନ୍ତି…

ପ୍ରଶ୍ନ: ବାଲେଶ୍ବରକୁ କେତେ ବର୍ଷ ପରେ ଆସିଛନ୍ତି?
ପ୍ରତି ଦେଢ଼ରୁ ୨ ବର୍ଷରେ ମୁଁ ଥରେ ଆସେ। ବ୍ୟସ୍ତତା ଭିତରେ ବେଶିଦିନ ରହିପାରେ ନାହିଁ। ଦାଦା ଚାଲିଯିବା ପରେ ବି ବାଲେଶ୍ବର ଆସିବା ବନ୍ଦ କରିବ‌ି ନାହିଁ।

ପ୍ରଶ୍ନ: ଏଥର ଏତେ ଦିନ ରହିବାର କିଛି ଉଦ୍ଦେଶ୍ୟ?
ଉ: ବାଲେଶ୍ବର ମାଟି ପ୍ରତି ଦୁର୍ବଳତା ରହିଛି। କାରଣ ଏଠାରେ ମୁଁ ବଢ଼ିଛି ଓ ତାକୁ ନେଇ ବହୁ ସ୍ମୃତି ରହିଛି। ଦାଦା ଚାଲିଯିବା ପରେ ତାଙ୍କ ସହ ଜଡ଼ିତ ଅନୁଷ୍ଠାନ, ବ୍ୟକ୍ତିବି‌ଶେଷଙ୍କ ସହ କିଛି ସମୟ ବିତାଇବାକୁ ଇଚ୍ଛା ଥିଲା।

ପ୍ରଶ୍ନ: ଦାଦାଙ୍କ ପରଲୋକ ପରେ ତାଙ୍କ ବାସଭବନ ବିକ୍ରି କରାଯିବ ବୋଲି ବାଲେଶ୍ବରବାସୀଙ୍କ ମଧ୍ୟରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି?
ଉ: ନା, ଏ ଘର ବିକ୍ରି ହେବ ନାହିଁ। ଦାଦା ବଞ୍ଚିଥିବା ବେଳେ ଏହି ଘରକୁ ସମାଜ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ କଥା ହୋଇଥିଲୁ। ଆମେ ଚାହୁଁଛୁ ଏ ଘର ସରକାର ନିଅନ୍ତୁ। ବର୍ତ୍ତମାନ ଦାଦାଙ୍କ ନାମରେ ଏକ ସ୍ମୃତି କମିଟି ଗଠନ ହୋଇଛି। ଘରର ରକ୍ଷାଣବେକ୍ଷଣ ସ୍ମୃତି କମିଟି କରିବ। ମୋ ପାଖରେ ଅଧିକ ସମୟ ନଥିବାରୁ ମୁଁ ଆମେରିକା ଫେରିଯାଉଛି। ଆସନ୍ତା ବର୍ଷ ଏ ସମ୍ପର୍କରେ ଚିନ୍ତା କରାଯିବ। ଜିଲ୍ଲାପାଳଙ୍କୁ ଭେଟି ଆଜି ଏନେଇ ଜଣାଇଛି। ଆସନ୍ତାକାଲି ଏଥିପାଇଁ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଡାକିଛି।

ପ୍ରଶ୍ନ: ସବୁଦିନ ପାଇଁ ଆପଣ ବାଲେଶ୍ବରକୁ ଫେରିବାକୁ ଚାହିଁବେ କି?
ଉ: ନା, ଫେରିବାର ନାହିଁ। କିନ୍ତୁ ବଞ୍ଚିଥିବା ଯାଏ ମୁଁ ବାଲେଶ୍ବର ଆସୁଥିବି। ମୁଁ ରାଜନୈତିକ ପରିବାରର ଝିଅ, ରାଜନୀତିକୁ ସମ୍ମାନ କରେ। ତେଣୁ ବାଲେଶ୍ବର ସହ ସମ୍ପର୍କ ସବୁଦିନ ଏମିତି ରହିଥିବ।

ସମ୍ବନ୍ଧିତ ଖବର